ଭରତପୁର ମା’ ଦକ୍ଷିଣକାଳୀ ମନ୍ଦିରରୁ ୧୫ଲକ୍ଷ ଟଙ୍କାର ସୁନା ରୁପା ଗହଣା ଚୋରି
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଭରତପୁର ଗ୍ରାମରେ ଥିବା ମା’ଦକ୍ଷିଣକାଳୀଙ୍କ ମନ୍ଦିରରୁ ଚୋରଦଳ ୧୫ଲକ୍ଷ ଟଙ୍କା ମୂଲ୍ୟରୁ ଅଧିକ ସୁନା ଓ ରୂପା ଗହଣା ଚୋରି କରିନେଇଛନ୍ତି। ଏନେଇ ମନ୍ଦିର ଟ୍ରଷ୍ଟବୋର୍ଡ ସଦସ୍ୟ ଶିବପ୍ରସାଦ ଦାସ ଓ ପୂଜକ ଗୋବିନ୍ଦ ଚନ୍ଦ୍ର ମିଶ୍ର ସଦର ଥାନାରେ ଏତଲା ଦେଇଛନ୍ତି। ଏତଲାଦେବା ପରେ ସଦରଥାନାଧିକାରୀ ପଦ୍ମାଳୟା ପ୍ରଧାନ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସଦରଥାନାଧିକାରୀ ଶ୍ରୀମତୀ ପ୍ରଧାନଙ୍କ ନିବେଦନ କ୍ରମେ ଜିଲ୍ଲା ପୋଲିସ ମୁଖ୍ୟାଳୟ ଅଧିନରେ କାର୍ଯ୍ୟରତ ସାଇଣ୍ଟିଫିକ ଟିମ ଦକ୍ଷିଣକାଳୀ ମନ୍ଦିରରେ ପହଞ୍ଚି ଛାନଭିନ କରିବା ସହ ବିଭିନ୍ନ ସ୍ଥାନରୁ ଚୋରଙ୍କ ଫିଙ୍ଗରପ୍ରିଣ୍ଟର ନମୁନା ସଂଗ୍ରହ କରି ଫେରିଛନ୍ତି। ଚୋରଦଳ ମା’ଙ୍କର ୫ଶହ ଗ୍ରାମର ଏକ ରୂପା ମୁକୁଟ, ୪ଶହ ଗ୍ରାମର ରୂପାହାର, ସୁନା ମଙ୍ଗଳସୁତ୍ର, ୨ଟି ସୁନା ଚିତା, ୪ହଜାର ନଗଦ ଅର୍ଥ ସମେତ ଘଣ୍ଟା, ଘଣ୍ଟି ପିତଳ ବାସନକୁସନ ପ୍ରଭୃତି ଚୋରିକରି ନେଇଥିବା ଏତଲାରେ ଦର୍ଶାଯାଇଛି। ପ୍ରମାଣ ନଷ୍ଟ କରିବା ପାଇଁ ଚୋରଦଳ ମନ୍ଦିରରେ ଲାଗିଥିବା ୫ଟି ସି.ସି. ଟିଭି ମଧ୍ୟରୁ ୪ଟିକୁ ଭାଙ୍ଗିଦେଇଛନ୍ତି। କିନ୍ତୁ ଗୋଟିଏ ସିସିଟିଭିରେ ସେମାନଙ୍କ ଫଟୋ କଏଦ ହୋଇ ରହିଯାଇଛି। ଏହାକୁ ଆଧାର କରି ପୋଲିସ ଚୋରଦଳଙ୍କ ନିକଟରେ ପହଞ୍ଚିପାରିବ ବୋଲି ଥାନାଧିକାରୀ ଶ୍ରୀମତୀ ପ୍ରଧାନ ସୂଚନା ଦେଇଛନ୍ତି। ତୁରନ୍ତ ଚୋରଦଳଙ୍କୁ ଧରି ମା’ଙ୍କ ଜିନିଷପତ୍ର ଉଦ୍ଧାର କରିବା ପାଇଁ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଏସପି ସିଦ୍ଧାର୍ଥ କଟ୍ଟାରିଆଙ୍କ ସହ କଥା ହୋଇଛନ୍ତି।


