ଟାଙ୍ଗରା ପାଲଟିବ ଚାଷ ଜମି : ରାଜପଥ ନିର୍ମାଣ କାର୍ଯ୍ୟରେ ଲୀନ ହେଲା ବଡ଼ କୋଳିପଦି ମାଇନର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ଜଳସମ୍ପଦ ବିଭାଗ ଅଧିନ ବଡ କୋଳିପଦି ମାଇନରଟି ସମ୍ପୂର୍ଣ ଭାବେ ଲୀନ ହୋଇଯାଇଛି। ଉକ୍ତ ମାଇନରଟି ତିନି ନମ୍ବର ହାଇଲେବୁଲ କେନାଲର ହାରାମଣି ବାଳିକା ବିଦ୍ୟାଳୟ ଠାରୁ ବାହାରିଥିବା ବେଳେ ଏହାର ଦୈର୍ଘ୍ୟ ପ୍ରାୟ ତିନି କିମିରୁ ଅଧିକ ହେବ। ବ୍ରିଟିଶ ଅମଳରୁ ଉକ୍ତ ମାଇନର କେନାଲଟି ଖନନ ହୋଇଥିବା ବେଳେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଜଳସମ୍ପଦ ବିଭାଗ ହାତରେ ନ୍ୟସ୍ତ ଥିଲା। ଉକ୍ତ କେନାଲ ଉପରେ ପାଳଦା, ଦକ୍ଷିଣବାଡ଼, ତୁଳସୀପୁର,ଖାରିଜିପିରିପୁର, ଶାସନ, ମହମ୍ମଦପୁର, କୋବରାଗଡ଼ିଆ ଓ ବଡକୋଳିପଦି ଗ୍ରାମର ଚାଷୀ ମାନେ ନିର୍ଭର କରି ଖରିଫ ଧାନ ଚାଷ ସମେତ ଡାଳୁଅ ଧାନ , ମୁଗ, ବିରି ଓ ଅନ୍ୟାନ୍ୟ ପନିପରିବା ଚାଷ କରିଥାଆନ୍ତି। ବିଶେଷ କରି ବର୍ଷାର ଅନିୟମିତତା ଯୋଗୁ ଅଞ୍ଚଳର ଚାଷୀ ଭାଇ ମାନେ ଖରିଫ ଧାନ ଚାଷ ପାଇଁ ବଡକୋଳିପଦି ମାଇନର କେନାଲ ଉପରେ ନିର୍ଭର କରିଥାଆନ୍ତି। କେନାଲ ପାଣିର ସଠିକ ବ୍ୟବହାର ଯୋଗୁ କୃଷକ ମାନେ ପ୍ରାୟ ଦୁଇ ହଜାର ହେକ୍ଟର ଚାଷ ଜମିରେ ସବୁଜିମା ଭରୁଥିବା ବେଳେ ଏବେ ସେଗୁଡିକ ଟାଙ୍ଗରା ଭୁଇଁରେ ପରିଣତ ହେବ ବୋଲି ଜଣାପଡିଛି । ଏହାର ପ୍ରମୁଖ କାରଣ ହେଲା ୧୬ନଂ ଜାତୀୟ ରାଜପଥ ପ୍ରଶସ୍ତିକରଣ ବେଳେ ଏବେ ଆରମ୍ଭରୁ ଇଲେକ୍ଟ୍ରି ଅଫିସ ଯାଏଁ କେନାଲଟି ପ୍ରାୟ ୫୦୦ମିଟର ସମ୍ପୂର୍ଣ୍ଣ ପୋତି ହୋଇଯାଇଛି। ନିର୍ମାଣକାରୀ ସଂସ୍ଥା ନୂତନ କେନାଲ ଖନନ ପାଇଁ ବିକଳ୍ପ ବ୍ୟବସ୍ଥା କରିନଥିବା ବେଳେ ପୁରୁଣା କେନାଲକୁ ପୋତି ତା ଉପରେ ସମ୍ପୂର୍ଣ୍ଣ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ କରିଛନ୍ତି। ସୁତରାଂ ବଡକୋଳିପଦି ମାଇନର ସମ୍ପୂର୍ଣ୍ଣ ରାସ୍ତା କାର୍ଯ୍ୟରେ ଲୀନ ହୋଇଯାଇଥିବା ବେଳେ ଏବେ ଶହ ଶହ ଚାଷୀ ଭାଇ ମାନଙ୍କ ମୁଣ୍ଡରେ ଚଡକ ପଡିଯାଇଛି। ତେଣୁ କୃଷି ଓ କୃଷକର ଆର୍ଥିକ ମେରୁଦଣ୍ଡକୁ ସଦୃଢ଼ କରୁଥିବା ବଡକୋଳିପଦୀ ମାଇନରର ବିକଳ୍ପ କେନାଲ ସୃଷ୍ଟି ପାଇଁ ଚାଷୀ ମାନେ ଜିଲ୍ଲାପାଳଙ୍କ ସମେତ ବିଧାୟକ ଓ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଗାମୀ ବର୍ଷା ଦିନ ପୂର୍ବରୁ ଏହା ଉପରେ ତୁରନ୍ତ ଦୃଷ୍ଟି ଦିଆନଗଲେ ଅଞ୍ଚଳର ବୃଦ୍ଧିଜୀବୀ ମାନଙ୍କ ସମେତ ଶହ ଶହ ଚାଷୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ଏଥିରେ ସନ୍ଦେହ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ