ଗଜପତି ମାଟିରେ ଗଜପତି ରାଜାଙ୍କ ଜମି ଜବରଦଖଲ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ସରକାରୀ ଜମି ସହ ମହାରାଜାଙ୍କ ଜମି ଅଧିକାର କରିନେଇଥିବା ଅଭିଯୋଗ। କ୍ଷମତା ଗର୍ବରେ ଏଭଳି କାର୍ଯ୍ୟ ପାଇଁ ସାହାସ ଯୁଟାଉଛନ୍ତି କି କମାଣ୍ଡେଣ୍ଟ ସାହେବ, ବେସାହାରା ହୋଇପଡିଛନ୍ତି କି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଦାୟାଦ । ଏଭଳି ଘଟଣା ସାମ୍ନାକୁ ଆସିଛି ଗଜପତି ଜିଲ୍ଲା ୩ୟ ଓଏସ ଏପି ବାଟାଲିୟନ ପରିସରରେ । ରଜଜେମା କଲ୍ୟାଣୀ ଗଜପତିଙ୍କ ଅଭିଯୋଗ ପରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜମି ଜବରଦଖଲ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଜବରଦଖଲ କରିଛନ୍ତି ଓଏସ ଏପିର ୩ୟ ବାଟାଲିୟନର କମାଣ୍ଡେଣ୍ଟ ଜୁରିଆ ବେହେରା । ଏନେଇ ବାରମ୍ବାର ଜଣାଇବା ପରେ ମଧ୍ୟ ଜବରଦଖଲରୁ ହଟିନଥିଲେ ଅଧିକାରୀ ଜଣକ । ଓଲଟି ଧମକ ଚମକ ଦେଉଥିଲେ ଅଧିକାରୀ ଜଣକ । ରାଜ ଜେମା କଲ୍ୟାଣୀ ଦେବୀଙ୍କ ଲିଖିତ ଅଭିଯୋଗ ପରେ ରାଜାଙ୍କ ଜମି ସରହଦ ସ୍ପଷ୍ଟ କରିଥିଲା ରାଜସ୍ଵ ବିଭାଗ । ଆଜି ଘଟଣାସ୍ଥଳରେ ଉପସ୍ଥିତ ରହି ଜେସିବି ମେସିନ୍ ଲଗାଇ ଜବରଦଖଲ ଉଚ୍ଛେଦ କରିଛନ୍ତି ନିଜେ କଲ୍ୟାଣୀ ଦେବୀ । ଜମି ଜବରଦଖଲକୁ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏଥିରୁ ହଟୁନଥିଲେ ଅଧିକାରୀ ଜଣକ। ତେବେ ଜମି ଜବରଦଖଲ ପଛରେ ଅଧିକାରୀ ଜଣକଙ୍କ ଉଦ୍ଦେଶ୍ୟ କ’ଣ ତାହା ସ୍ପଷ୍ଟ ହେଉନାହିଁ। ଅପରପକ୍ଷରେ ପାରଳାଖେମୁଣ୍ଡି OSAP 3rd SS ବାଟାଲିୟନର ଡେପୁଟି କମାଣ୍ଡେଣ୍ଟ ଜୁରିଆ ବେହେରାଙ୍କ ବିରୋଧରେ ବଢ଼ି ଚାଲିଛି ସଙ୍ଗିନୀ ଅଭିଯୋଗର ଲମ୍ବା ତାଲିକା । କ୍ଷମତା ଅପବ୍ୟବହାର କରି ବାଟାଲିୟନର ଯବାନମାନଙ୍କୁ ପାହାଡ଼ର ମାଟି ଖୋଳା ଠାରୁ ଆରମ୍ଭ କରି ପଥର ଫଟାଇ ସମତଳ ଭୂମି କରିଛନ୍ତି ପାହାଡିଆ ଅଞ୍ଚଳ। ସେଠାରେ ପୋଖରୀ ନିର୍ମାଣ ସହ ବଗିଚା ସୃଷ୍ଟି କରିଛନ୍ତି କମାଣ୍ଡେଣ୍ଟ ମହୋଦୟ। ବଗିଚାର ମଧ୍ୟ ସ୍ଥାନରେ ବ୍ୟୟବହୁଳ ରେସିଡେଣ୍ଟ କାର୍ଯ୍ୟାଳୟ ନିର୍ମାଣ କରି ସେଠାରୁ ଯବାନମାନଙ୍କୁ ଏକର ଏକର ଜମିରେ ନିଜ ଇଚ୍ଛା ଅନୁସାରେ ରାସ୍ତା ଓ ଗଛ ଲଗାଇବା କାମର ଲଗାଉଛନ୍ତି। ଏପରିକି ବଗିଚା ମଧ୍ୟରେ ବିଭିନ୍ନ ପ୍ରଜାତିର ଠେକୁଆ ଓ ବତକ ଓ ଗୃହ ପାଳିତ ପଶୁ ପକ୍ଷୀ ରଖି ସେଗୁଡିକ ଦାୟିତ୍ଵ ନେବାକୁ ନିୟୋଜିତ କରିଆସୁଛନ୍ତି । ତେବେ ଚାକିରି ଭୟରେ ଯବାନ ମାନେ ତାଙ୍କ ନିର୍ଦ୍ଦେଶରେ ଅକ୍ଲାନ୍ତ ପରିଶ୍ରମ କରି ଆସୁଛନ୍ତି । ଏ ସମ୍ପର୍କରେ କାହାକୁ ଅଭିଯୋଗ କରିବାକୁ ମଧ୍ୟ ସାହସ ଯୁଟାଇ ପାରୁନାହାନ୍ତି ଯବାନ ମାନେ । ବିଡମ୍ବନାର ବିଷୟ ବଗିଚା ମଧ୍ୟରେ ବିଭିନ୍ନ ନାମି ଦାମି ଦୋକାନ ଓ ମଲର ଏଡଭାଟାଇଜ ହୋଡିଂ ଲଗାଇଛନ୍ତି। ତେବେ ଏସବୁରେ ଖର୍ଚ୍ଚ ହୋଇଥିବା ଲକ୍ଷ ଲକ୍ଷ ଟଙ୍କା ବିଧାୟକ ଓ ବିଭିନ୍ନ ବିଭାଗକୁ ପ୍ରଭାବିତ କରି ଆଦାୟ କରୁଥିବା ଜଣାପଡିଛି। ପୂର୍ବରୁ ସରକାରୀ ଜମି ଖନନ କରି ଶହଶହ ଟ୍ରାକ୍ଟର ମୋରମ ଓ ପଥର ବେଆଇନ ଭାବେ ବିକ୍ରି କରି ଅର୍ଥ ଆଦାୟ କରିଆସୁଥିବା ସହ ନୂତନ ଭାବେ ପୋଲିସରେ ଭର୍ତ୍ତି ହୋଇଥିବା କର୍ମଚାରୀଙ୍କୁ ତାଲିମ ନାମରେ ପାହାଡ଼ ଖୋଳିବା, ମାଟି ସମତଳ କରିବା, ପଥର ଫୁଟାଇ ବିକ୍ରି କରିବା , କଠିନ କାମରେ ନିୟୋଜିତ କରିବା , ଯବାନ ମାନଙ୍କୁ ନିର୍ଯାତନା ଦେଉଥିବା ଭଳି ଅଭିଯୋଗ ରହିଛି, ସରକାରି ଗାଡ଼ିରେ କାଠ ଚୋରାଚାଲାଣ ଭଳି ସଙ୍ଗିନ ଅଭିଯୋଗ ରହିଛି। ଅନେକ ଘଟଣାର ବିଭାଗିୟ ତଦନ୍ତ ମଧ୍ୟ ହୋଇଛି ତଥାପି ବିଭାଗ କାର୍ଯ୍ୟାନୁଷ୍ଠାନ ନେବାରେ ବିଭାଗ ପଛ ଗୁଞ୍ଛା ଦେଉଛି କାହିଁକି , କଣ ବିଭାଗର ବରିଷ୍ଠ ଅଧିକାରୀ ମଧ୍ୟ ସହମତି ଜଣାଉଛନ୍ତି ନାଁ ଆଉ କିଛି କାରଣ ରହିଛି ? ଏ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶୃଙ୍ଖଳା ବିଭାଗରେ ବରିଷ୍ଠ ଅଧିକାରୀ ତଥା ୩ୟ ବାଟାଲିୟନର କମାଣ୍ଡେଣ୍ଟଙ୍କ ମନମୁଖୀ କାର୍ଯ୍ୟ କଳାପ ସହ ବହୁ ଦୁର୍ନୀତିରେ ସଂପୃକ୍ତି ଥିବା ଅଭିଯୋଗ ହୋଇଛି । ତେବେ ଏ ନେଇ ଉଚ୍ଚ ସ୍ତରୀୟ ତଦନ୍ତ ହେବା ଆବଶ୍ୟକ ରହିଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ।


