ଦେବର୍ଷି ଶିକ୍ଷା ନିକେତନରେ ବିଜ୍ଞାନ ମେଳା-କୁଇଜ ପ୍ରତିଯୋଗିତା
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ସହରର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଖପରାପଦାସ୍ଥିତ ଦେବର୍ଷି ଶିକ୍ଷା ନିକେତନରେ ଏକ ବିଜ୍ଞାନ ମେଳା ତଥା ପ୍ରକଳ୍ପ ପ୍ରଦର୍ଶନୀ ଏବଂ କୁଇଜ ପ୍ରତିଯୋଗିତା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଚେୟାରମ୍ୟାନ ଭାଗବତ ଚନ୍ଦ୍ର ପାତ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ । ସିଆରସିସି ସଙ୍ଗୀତା ରଥ, ଅଧ୍ୟାପକ ଚନ୍ଦ୍ରକାନ୍ତ ଶତପଥୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ବେହେରା ପ୍ରମୁଖ ବରେଣ୍ୟ ଅତିଥି ଭାବେ ଏଥିରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଦୈନନ୍ଦିନ ଜୀବନରେ ବିଜ୍ଞାନର ଉପାଦେୟତା ସାଙ୍ଗକୁ ରାଷ୍ଟ୍ର ନିର୍ମାଣରେ ଏହାର ଆବଶ୍ୟକତା ସମ୍ପର୍କରେ ଅତିଥିମାନେ ଉଦାହରଣ ଆଧାରରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯନ୍ତ ଛାତ୍ରଛାତ୍ରୀମାନେ ବିଜ୍ଞାନ ପ୍ରକଳ୍ପ ଓ ପ୍ରଦର୍ଶନ ଓ କୁଇଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଅତିଥିମାନେ ପ୍ରତି ପ୍ରକଳ୍ପ ବୁଲି ଦେଖିବା ସହ ଏହାର ବିଶେଷତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପଚାରି ବୁଝିଥିଲେ । ବିଜ୍ଞାନ ଶିକ୍ଷକ ମୃତ୍ୟୁଞ୍ଜୟ ପାଣିଗ୍ରାହୀ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ । ଏହି ଅବସରରେ ଶ୍ରେଷ୍ଠ ପ୍ରକଳ୍ପ ପ୍ରଦର୍ଶନକାରୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।


