ପୌର ନିର୍ବାଚନ ପୂର୍ବରୁ ଗଜପତି ପୋଲିସର ଫ୍ଲାଗମାର୍ଚ୍ଚ ଓ ସଚେତନତା
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦରେ ଆଗାମୀ ୨୪ ତାରିଖରେ ହେବାକୁ ଥିବା ପୌର ନିର୍ବାଚନ ପୂର୍ବରୁ ଗଜପତି ପୋଲିସ ତରଫରୁ ସଚେତନତା ମୂଳକ ଉଦ୍ଦେଶ୍ୟରେ ଫ୍ଲାଗମାର୍ଚ୍ଚ ହୋଇଯାଇଛି । ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଅଧିକ୍ଷକ ବାମଦେବ ସିଂ, ପାରଳାଖେମୁଣ୍ଡି ଏସ୍ଡିପିଓ ରାମକୃଷ୍ଣ ପତିଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଶତାଧିକ ପୋଲିସ କର୍ମଚାରୀ ମୋଟର ସାଇକେଲ ଓ ଚାରିଚକିଆ ଯାନ ଯୋଗେ ର୍ୟାଲି ଓ ଫ୍ଲାଗମାର୍ଚ୍ଚ କରିଥିଲେ । ଏହି ଫ୍ଲାଗମାର୍ଚ୍ଚ ସ୍ଥାନୀୟ ସୁବାଷ ଛକ ଠାରୁ ବାହାରି ହାଟପଦା, କଟକିଆସାହି ଛକ, ରାଜନହର ଛକ, ବଡଦାଣ୍ଡ ସାହି ଆଦି ସହ ନଗର ପରିକ୍ରମା କରି ସାହି ବସ୍ତି ବୁଲି ବୁଲି ସଚେତନତା କରିଥିଲେ । ଆଗକୁ ନିର୍ବାଚନ ଥିବାବେଳେ ଏଥିରେ କୌଣସି ପ୍ରକାର ପ୍ରଲୋଭିତ ନହେବା, ନିଜ ଇଛା ମୁତାବକ ଭୋଟ ଦାନ କରିବା, ଭୋଟଦାନକୁ ଅଗ୍ରାଧିକାର ଦେବା ଇତ୍ୟାଦି ବିଷୟରେ ଲୋକମାନଙ୍କୁ ସଚେତନ କରାଯାଇଥିଲା । ଭୋଟଦାନ ସମୟରେ କୌଣସି ପରିସ୍ଥିତିରେ ମଧ୍ୟ ଜନସାଧାରଣ ଯେପରି ଭୟଭିତ ନହୁଅନ୍ତି ଏବଂ କୌଣସି ରାଜନୈତିକ ଦଳର ପ୍ରରୋଚନାରେ ନ ପଡନ୍ତି ସେଥିପ୍ରତି ମଧ୍ୟ ସଜାଗ ରହିବାପାଇଁ ସଚେତନ କରାଯାଇଥିଲା । ସର୍ବପରି ଆଗାମୀ ପୌର ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବ ସେଥିପ୍ରତି ଜନସାଧାରଣ ସତର୍କ ରହିବା ସହ ପୋଲିସକୁ ସହଯୋଗ କରିବାପାଇଁ ଏହି ଫ୍ଲାଗ୍ମାର୍ଚ୍ଚ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା ।