ନାମାଙ୍କନ ପତ୍ର ଯାଂଚ ବେଳେ ସମସ୍ତ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ
ଛତ୍ରପୁର, (ଦେବଦତ୍ତ ମହାରଣା) :ଆସନ୍ତା ମାର୍ଚ୍ଚ ମାସ ୨୪ ତାରିଖରେ ପୌର ନିର୍ବାଚନ ଅନୁଷ୍ଠିତ ହେବ । ଏଥିଲାଗି ଗତ ୨ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ମାନେ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବୁଧବାର ଛତ୍ରପୁର ଏନଏସି କାର୍ଯ୍ୟାଳୟରେ ଏନଏସିର ଚେୟାରମ୍ୟାନ ଓ ୧୪ ଟିି ୱାର୍ଡ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥୀ ମାନଙ୍କ ପ୍ରାର୍ଥୀ ପତ୍ର ଯାଂଚ କରାଯାଇଛି । ଆସନ୍ତା ୧୪ ତାରିଖ ଦିନ ପ୍ରାର୍ଥୀ ମାନଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କାର୍ଯ୍ୟକ୍ରମ ରହିଛି । ଛତ୍ରପୁର ଏନଏସି ରେ ଚେୟାରମ୍ୟାନ ପଦବୀ ପାଇଁ ବିଭିନ୍ନ ଦଳର ୪ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୧୪ ଟି ୱାର୍ଡର କାଉନସିଲର ପଦବୀ ନିମନ୍ତେ ମଧ୍ୟ ବିଭିନ୍ନ ପ୍ରାର୍ଥୀ ମାନେ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ଛତ୍ରପୁର ଏନଏସି କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଯାଂଚ ବେଳେ କୌଣସି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇନଥିବା ଜଣାପଡିଛି । ପୌର ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟ ଜାରି ରଖାଯାଇଛି । ଆସନ୍ତା ମାର୍ଚ୍ଚ ମାସ ୨୪ ତାରିଖରେ ନିର୍ବାଚନ ହେବ ଓ ୨୬ ତାରିଖରେ ଭୋଟ ଗଣତି ଅନୁଷ୍ଠିତ ହେବ । ଏନଏସିର ୧୪ ଟି ୱାର୍ଡରେ ୨୨ ଟି ବୁଥ୍ କରାଯାଇଛି । ଚଳିତ ବର୍ଷ ଛତ୍ରପୁର ଏନଏସିର ଅଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେବାକୁ ଥିବା ବେଳେ ଏନଏସିର ୧୪ ଟି ୱାର୍ଡ ର ୧୪ ଜଣ ୱାର୍ଡ ସଭ୍ୟ ପଦବୀ ପାଇଁ ମଧ୍ୟ ନିର୍ବାଚନ ହେବ । ଛତ୍ରପୁର ଏନଏସି ରେ ମୋଟ ୧୮୭୩୪ ଜଣ ଭୋଟର ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସେଥି ମଧ୍ୟରୁ ୯୩୭୨ ଜଣ ମହିଳା ଭୋଟର ରହିଥିବା ବେଳେ ୯୩୬୦ ଜଣ ପୁରୁଷ ଭୋଟର ଏବଂ ୨ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ।