ରଙ୍ଗକୁ ନେଇ ଚିନ୍ତାପ୍ରକଟ କଲେ ପରିବେଶବିତ୍‌

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପାଖେଇ ଆସୁଛି ରଙ୍ଗର ପର୍ବ ହୋଲି । ଗାଆଁ ଠୁ ସହର ଏ ନେଇ ଉତ୍ସବ ମୁଖର । ଆଉ ଦିନ କେଇଟା ପରେ ରାସ୍ତାକଡ଼, ହାଟବଜାରରେ ଖୋଲିବ ରଙ୍ଗର ପସରା । ବିକ୍ରୀ ହେବ ଭଳିକି ଭଳି ଆକର୍ଷଣୀୟ ରାସାୟନିକ ରଙ୍ଗ । ଚିକିତ୍ସାବିଜ୍ଞାନୀ ଓ ବିଶେଷଜ୍ଞଙ୍କ କହିବାନୁଯାୟୀ ଏ ରଙ୍ଗ ମଣିଷ ଶରୀର ପାଇଁ ହାନିକାରକ । ଏ ରଙ୍ଗର ବ୍ୟବହାର ଦ୍ୱାରା ଚର୍ମରୋଗ ଠାରୁ ଆରମ୍ଭ କରି ମାରାତ୍ମକ କ୍ୟାନସର ପରି ରୋଗକୁ ମଣିଷ ଆମନ୍ତ୍ରଣ କରିଥାଏ । ବଜାରରେ ଉପଲବ୍ଧ ରଙ୍ଗର ଭୟାବହତାକୁ ହୃଦୟଙ୍ଗମ କରି ଏ ସମୟରେ ସରକାର ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ଜନସାଧାରଣଙ୍କୁ ଏ ନେଇ ସଚେତନ କରିବା ସହ ସତର୍କ ସୂଚନା ବି ଜାରି କରିଥାନ୍ତି । ଯଦି ଏ ରଙ୍ଗ ମଣିଷ ସମାଜ ପାଇଁ ଘାତକ ତେବେ ଏ ସମୟରେ ବଜାରରେ ବିକ୍ରୀ ପାଇଁ କିଏ ଅନୁମତି ଦେଉଛି? ନା ବ୍ୟବସାୟୀମାନେ ମନଇଚ୍ଛା ବିକ୍ରୀ କରୁଛନ୍ତି । ବିଭାଗୀୟ କର୍ତ୍ତୃପକ୍ଷ ଚୁପ୍ କାହିଁକି? ଏ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ରଙ୍ଗ ଦ୍ୱାରା କେବଳ ମଣିଷ ପ୍ରଭାବିତ ହୁଏ ତା’ ନୁହେଁ । ପ୍ରାଣୀଜଗତ ଠାରୁ ଆରମ୍ଭ କରି ପରିବେଶ ଉପରେ ଏହାର ଶତ ପ୍ରତିଶତ କୁ-ପ୍ରଭାବ ପଡ଼ିଥାଏ ବୋଲି ଚିନ୍ତାପ୍ରକଟ କରିଛନ୍ତି ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ।ସୂଚନାଯୋଗ୍ୟ, ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଗତବର୍ଷ ଦୀପାବଳୀରେ ସବୁଜ ବାଣ ବ୍ୟବହାର ପାଇଁ ସରକାର ଜନସାଧାରଣଙ୍କୁ ପରାମର୍ଶ ଦେବା ସହ ପ୍ରଦୂଷଣ ସୃଷ୍ଟିକାରୀ ବାଣର ବିକ୍ରୀକୁ ନିଷିଦ୍ଧ କରିଥିଲେ । ଯାହା ଏକ ସୁନ୍ଦର, ସ୍ୱାଗତଯୋଗ୍ୟ ଓ ପ୍ରଶଂସନୀୟ ପଦକ୍ଷେପ । ସେହିପରି ରାସାୟନିକ ରଙ୍ଗର ବିକ୍ରୀକୁ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କରି ହର୍ବାଲ ରଙ୍ଗର ବ୍ୟବହାର ପାଇଁ ଏବେଠୁ ସରକାର ନିର୍ଦ୍ଦେଶନାମା ଜାରି କରନ୍ତୁ ବୋଲି ସୁଶାନ୍ତ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ