କଂଗ୍ରେସରେ ଉର୍ମିଳା ମାତୋଣ୍ଡକର
ନୂଆଦିଲ୍ଲୀ(ଏଜେନ୍ସି): ଲୋକସଭା ନିର୍ବାଚନକୁ ଆଉ ମାତ୍ର ହାତ ଗଣତି କେତେ ଦିନ ବାକି ରହିଯାଇଥିବା ବେଳେ ବଲିଉଡ଼ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ବୁଧବାର କଂଗ୍ରେସରେ ସାମିଲ ହୋଇଛନ୍ତି । ଉର୍ମିଳା ପାର୍ଟିରେ ସାମିଲ ହୋଇଥିବା କଂଗ୍ରେସର ମିଡିଆ ଉପଦେଷ୍ଟା ରଣଦୀପ ସିଂହ ସୁରଜେୱାଲା ଆଜି ପାର୍ଟି ମୁଖ୍ୟାଳୟରେ ଘୋଷଣା କରିଛନ୍ତି । ଏହି ଅବସରରେ ମୁମ୍ବାଇର ଉତ୍ତର-ପଶ୍ଚିମ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ସଞ୍ଜୟ ନିରୁପମ୍ ଓ ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ମିଲିନ୍ଦ ଦେଓରା ମଧ୍ୟ ଉପସ୍ଥିତ ଥିଲେ ।
ଉର୍ମିଳା ଆଜି ଦଳର ସଦସ୍ୟତା ଗ୍ରହଣ କରିବା ପୂର୍ବରୁ ପାର୍ଟି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସାକ୍ଷାତ କରିଥିଲେ । ଏ ସଂକ୍ରାନ୍ତରେ କଂଗ୍ରେସ ପକ୍ଷରୁ ଉର୍ମିଲା ଓ ରାହୁଲଙ୍କ ଏକ ଫଟୋକୁ ଟ୍ୱିଟରରେ ପୋଷ୍ଟ କରାଯାଇଛି । ୪୫ ବର୍ଷୀୟ ଉର୍ମିଲା କହିଛନ୍ତି, କଂଗ୍ରେସର ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଆଜି ସକ୍ରିୟ ରାଜନୀତିରେ ପ୍ରବେଶ କରିଛନ୍ତି । ଏବେ ସେ ଦେଶବାସୀଙ୍କ ପାଇଁ କିଛି କରିବାକୁ ଚାହୁଁଛନ୍ତି । ତେବେ ଉର୍ମିଲା ଏବେ କଂଗ୍ରେସରେ ସାମିଲ ହୋଇଥିବା ବେଳେ ତାଙ୍କୁ ଦଳ ଉତ୍ତରମୁମ୍ବାଇରୁ ପ୍ରାର୍ଥୀ କରିବାକୁ ମାନସମନ୍ଥନ କରୁଥିବା ଜଣାପଡ଼ିଛି । ଯଦି ଉର୍ମିଳା ଆଶାୟୀ ପ୍ରାର୍ଥୀ ହୁଅନ୍ତି ତେବେ ତାଙ୍କର ମୁକାବିଲା ବିଜେପି ସାଂସଦ ଗୋପାଳ ସେଠୀଙ୍କ ସହ ହେବ । ଉତ୍ତରମୁମ୍ବାଇ ଲୋକସଭା ଆସନ ଆଜି ପର୍ଯ୍ୟନ୍ତ ବିଜେପିର ଗଡ଼ ହୋଇ ରହିଆସିଛି ।


