ଜିଲ୍ଲା କୋଷାଗାର ଓଏସଡି ପଦରେ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ନିଯୁକ୍ତି ନକରାଯିବାକୁ ଦାବି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ଜିଲ୍ଲା କୋଷାଗାର କାର୍ଯ୍ୟାଳୟରେ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ ନକରାଯିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଛି । ଅଭିଯୋଗ ଅନୁଯାଇ ଜିଲ୍ଲା କୋଷାଗାରରେ ଓଏସଡି ପଦ ନିମନ୍ତେ ବିଜ୍ଞାପନ ପ୍ରକାଶ ପାଇଥିବା ବେଳେ ସେହି ପଦ ନିମନ୍ତେ ବିଭିନ୍ନ ପ୍ରାର୍ଥୀ ଆବେଦନ କରିଛନ୍ତି । ସେଥିମଧ୍ୟରୁ ଜଣେ କେନ୍ଦ୍ରାପଡା କୋଷାଗାରର ପୂର୍ବତନ ହିସାବରକ୍ଷକ(ଆକାଉଣ୍ଟାଣ୍ଟ) ମଧ୍ୟ ଆବେଦନ କରିଛନ୍ତି । ସେ ଏଠାରେ କାର୍ଯ୍ୟରତ ଥିବା ବେଳେ ତାଙ୍କ ବିରୋଧରେ ବହୁ ଦୁର୍ନୀତି ସମ୍ପର୍କିତ ଅଭିଯୋଗ ହୋଇଥିଲା । ସେ ସବୁ ବିଲରେ ଅର୍ଥ ଆଦାୟ କରନ୍ତି ଓ ପେନସନରମାନଙ୍କୁ ହଇରାଣ ହରକତ କରନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଥିଲା । ଫଳରେ ତତ୍କାଳୀନ କୋଷାଗାର ଅଧିକାରୀ ସଂପୃକ୍ତ ହିସାବ ରକ୍ଷକଙ୍କ ଠାରୁ ସମସ୍ତ ଦାୟୀତ୍ୱ ଓ କ୍ଷମତା ଅପସାରଣ କରିନେଇଥିଲେ । ଏତଦବ୍ୟତିତ ସଂପୃକ୍ତ କର୍ମଚାରୀ ପଟ୍ଟାମୁଣ୍ଡାଇ କୋଷାଗାର କାର୍ଯ୍ୟାଳୟରେ ଥିବା ସମୟରେ ତାଙ୍କର ବେଆଇନ କାର୍ଯ୍ୟକଳାପକୁ ନେଇ କୋଷାଗାର ଅଧିକାରୀ ତାଙ୍କ ଠାରୁ ସମସ୍ତ ଦାୟୀତ୍ୱ ଅପସାରଣ କରିନେଇଥିଲେ ବୋଲି ଅଭିଯୋଗ ହୋଇଛି । ଫଳରେ ୩ବର୍ଷ କାଳ ସେ ବସି ବସି ଦରମା ପାଇଥିଲେ । ଗତବର୍ଷ ଓଏସଡି ପଦ ନିମନ୍ତେ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ସଂପୃକ୍ତ କର୍ମଚାରୀ ଜଣଙ୍କ କୃତକାର୍ଯ୍ୟ ହୋଇନପାରିବାରୁ ତାଙ୍କୁ ନିଯୁକ୍ତି ପ୍ରଦାନ କରାଯାଇନଥିଲା । ନିଯୁକ୍ତି ନପାଇବାରୁ ସଂପୃକ୍ତ କର୍ମଚାରୀ କୋଷାଗାର ଅଧିକାରୀଙ୍କ ବିରୋଧରେ ବିଭାଗୀୟ ଉଚ୍ଚ କତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ତାହା ତଦନ୍ତ ପରେ ମିଥ୍ୟା ପ୍ରମାଣିତ ହୋଇଥିଲା । ଏବେ ସଂପୃକ୍ତ କର୍ମଚାରୀ ଜଣଙ୍କ ଓଏସଡି ପଦ ନିମନ୍ତେ ଆବେଦନ କରିଥିବା ବେଳେ ସେହି ଚାକିରୀ ପାଇବା ପାଇଁ ବିଭିନ୍ନ ଉପାୟରେ ଜିଲ୍ଲା କୋଷାଗାର ଅଧିକାରୀଙ୍କ ଉପରେ ଚାପ ପକାଉଥିବା ଅଭିଯୋଗ ହୋଇଛି । ଏଭଳି ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ଓଏସଡି ପଦରେ ନିଯୁକ୍ତି ପ୍ରଦାନ କରାନଯିବାକୁ କେନ୍ଦ୍ରାପଡା ଜିଲ୍ଲାପାଳ ଓ ବିଭାଗୀୟ ଉଚ୍ଚ କତ୍ତୃପକ୍ଷଙ୍କ ନିକଟରେ ଦାବି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ