ବକେୟା ପ୍ରାପ୍ୟକୁ ଅନାଇ ଶ୍ରମିକଙ୍କ ଧୈର୍ଯ୍ୟ ସୀମା ଟପିଲା
ବାଲେଶ୍ୱର, (ସରୋଜ ପଣ୍ଡା) :ଉତ୍ତର ଓଡ଼ିଶାର ବୃହତ ଶିଳ୍ପାନୁଷ୍ଠାନ ବାଲେଶ୍ୱରର ବିରଳା ଟାୟାର୍ସର ଅଚଳାବସ୍ଥାକୁ ନେଇ ଶ୍ରମିକମାନଙ୍କ ଧୈର୍ଯ୍ୟର ସୀମା ଲଙ୍ଘିବାରେ ଲାଗିଛି । ଶ୍ରମିକଙ୍କ ସ୍ୱାର୍ଥରକ୍ଷା ପାଇଁ ଜାତୀୟ ଉଦ୍ୟୋଗ ଆଇନ ପ୍ରାଧିକରଣ “ନ୍ୟାସନାଲ କମ୍ପାନି ଲ’ ଟ୍ରିବ୍ୟୁନାଲ”(ଏନସିଏଲଟି)ରେ ଫେରାଦ ଦେବାକୁ ଚେତାବନୀ ଦେଇଛନ୍ତି ଶ୍ରମି ସଙ୍ଗଠନ ମିଳିତ ମଞ୍ଚ । ମିଳିତ ମଞ୍ଚର କର୍ମକର୍ତ୍ତା ଓ ବହୁ ଶ୍ରମିକନେତା ଗୁରୁବାର ଜିଲାପାଳଙ୍କୁ ସାକ୍ଷାତ ସହ ବିରଳା କର୍ତ୍ତୃପକ୍ଷଙ୍କ ଉଦସୀନତା ଓ ଶ୍ରମିକଙ୍କ ଦୟନୀୟ ସ୍ଥିତି ସମ୍ପର୍କରେ ଅବଗତ କରିଥିଲେ । ବିଶେଷ କରି ବିରଳା ଟାୟାର୍ସର ଉତ୍ପାଦନ ୩ ବର୍ଷରୁ ଅଧିକ କାଳ ବନ୍ଦ ରହିଥିବା ବେଳେ ପୂର୍ବରୁ କାର୍ଯ୍ୟ କରି ମଧ୍ୟ ସେମାନଙ୍କୁ ୧୩ ମାସର ବକେୟା ଦରମା ମିଳିନାହିଁ । କେବଳ ଦରମା ନୁହେଁ ୨୦୧୯-୨୦ ମସିହାଠାରୁ ବୋନସ, ପିଏଫ, ଇଏସଆଇ ଅର୍ଥ ସମେତ ଅବସର ନେଇଥିବା ଶ୍ରମିକଙ୍କ ଗ୍ରାଚୁଇଟି ଅର୍ଥ ବି ମିଳିନାହିଁ । ସବୁଠାରୁ ବଡ଼କଥା ହେଲା ବିରଳା ଟାୟାର୍ସ କାର୍ଯ୍ୟକ୍ଷମ ପାଇଁ ଶ୍ରମିକ ସଂଗଠନଙ୍କ ପକ୍ଷରୁ ବାରମ୍ବାର ଜିଲା ପ୍ରଶାସନ, ରାଜ୍ୟ ଶ୍ରମ ମନ୍ତ୍ରାଳୟ, ଶ୍ରମ ଆୟୁକ୍ତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏମିତିକି ଗତ ୨୦୨୧ ମାର୍ଚ୍ଚ ମାସରେ ଶ୍ରମ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରମିକ ସଂଗଠନ ଓ ଶିଳ୍ପାନୁଷ୍ଠାନ ପରିଚାଳନା କର୍ତ୍ତୃପକ୍ଷଙ୍କ ଆଲୋଚନା ବୈଠକରେ କିଛି ନିର୍ଯ୍ୟାସ ବାହାରିଲା ନାହିଁ । ପରିଚାଳନା କର୍ତ୍ତୃପକ୍ଷ ପ୍ରତିନିଧିଙ୍କ ଜିଦଖୋର ତଥା ନକାରାତ୍ମକ ମାନସିକତା ଏହାର ମୂଳ କାରଣ ଥିଲା ବୋଲି ଶ୍ରମିକ ସଂଗଠନ କର୍ମକର୍ତ୍ତାମାନେ ଆରୋପ କରିଛନ୍ତି । ତେବେ ଏବେ ଶ୍ରମିକଙ୍କ ଧୈର୍ଯ୍ୟର ସୀମା ଟପିଥିବା ବେଳେ ସେମାନଙ୍କ ବକେୟା ପ୍ରାପ୍ୟ ପ୍ରଦାନରେ କର୍ତ୍ତୃପକ୍ଷ ଉଚିତ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଜାତୀୟ ଉଦ୍ୟୋଗ ଆଇନ ପ୍ରାଧିକରଣ ନିକଟରେ ମାମଲା ରୁଜୁ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏହି ଅବସରରେ ଶ୍ରମିକ ସଂଗଠନଙ୍କ ପକ୍ଷରୁ ଦାବି ସମ୍ବଳିତ ଏକ ସ୍ମାରକପତ୍ର ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ରଙ୍କୁ ପ୍ରଦାନ କରାଯାଇଥିଲା । ସ୍ମାରକପତ୍ର ପ୍ରଦାନ ବେଳେ ଶ୍ରମିକ ନେତା ଅରୁଣୁ କୁମାର ସ୍ୱାଇଁ, ସତ୍ୟନାରାୟଣ ଆଚାର୍ଯ୍ୟ, ଉପେନ୍ଦ୍ର ପ୍ରସାଦ ବେହେରା, ଶିବପ୍ରସାଦ ଦାଶ ପ୍ରମୁଖଙ୍କ ସମେତ ଉପସ୍ଥିତ ଥିଲେ ।