୮ ଜାଲ୍ ଶିକ୍ଷକଙ୍କ ବିରୋଧରେ ତଦନ୍ତ ଦାବି
କୋଦଳା :- (ଯୁଗାବ୍ଦ ନ୍ୟୁଜ) ଜାଲ୍ ପ୍ରମାଣ ପତ୍ର ଦେଇ ଗଂଜାମ ଜିଲ୍ଲାରେ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଥିବା ବେଳେ ଏବେ ସୂଚନା ତଥ୍ୟ ଆଧାରରେ ଏହି କାରନାମା ଉପରୁ ଧିରେ ଧିରେ ପରଦା ହଟିବାରେ ଲାଗିଛି। ଗତ କିଛି ଦିନ ତଳେ ବେଗୁନିଆପଡ଼ା ବ୍ଳକର ୯ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଜାଞ୍ଚ୍ କରିବାକୁ ଗଂଜାମ ଜିଲ୍ଲା ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚ ପକ୍ଷରୁ ଦାବି କରାଯାଇଥିଲା। ଏବେ ପୁଣି ୮ ଜଣ ଜାଲ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଜାଞ୍ଚ୍ କରିବାକୁ ଦାବି କରାଯାଇଛି। ଶୁକ୍ରବାର ଏନେଇ ଲିଖିତ ଅଭିଯୋଗ ହୋଇଛି। ଗଂଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମେତ ମାନ୍ୟବର ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ, ଶିକ୍ଷା ସଚିବ, ମୁଖ୍ୟ ଶାସନ ସଚିବ, ଭିଜିଲାନ୍ସ ନିର୍ଦ୍ଦେଶକ, ପ୍ରକଳ୍ପ ସଂଯୋଜକ (ଓପେପା), କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶକ,ଗଂଜାମ ଜିଲ୍ଲାପାଳ, ଗଂଜାମ ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ସଂଯୋଜକଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି। ଏଥି ସହିତ କବିସୂର୍ଯ୍ୟନଗର ବ୍ଲକରୁ ୧୯ ଜଣ, ପୋଲସରାରୁ ୪ ଜଣ, ଖଲ୍ଲିକୋଟ ବ୍ଲକର ୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ତଦନ୍ତ ପରିସରରେ ସାମିଲ ପାଇଁ ଦାବି କରିଛନ୍ତି । ବର୍ଷ ବର୍ଷ ଧରି ଜାଲ୍ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଭିନ୍ନ ସ୍ଥାନରେ ନିଯୁକ୍ତି କରି ଦରମା ନେଇ ରାଜ୍ୟ ରାଜକୋଷକୁ ଲୁଟି ଚାଲିଥିବା ବେଳେ ଶିକ୍ଷା ବିଭାଗର କିଛି ବରିଷ୍ଠ ଅଧିକାରୀଙ୍କ ସହ ସଲାସୁତୁରାରେ ଏଭଳି କାରନାମା ହୋଇଥିବା କୁହାଯାଉଛି। ଅନ୍ୟ ପକ୍ଷରେ ତୁରନ୍ତ ଏଥିପ୍ରତି ତଦନ୍ତ ଓ କାର୍ଯ୍ୟନୁଷ୍ଠାନ ନିଆଗଲେ ହାଇକୋର୍ଟ ରେ ମାମଲା ରୁଜୁ କରିବା ପାଇଁ ଚେତାବନୀ ଦେଇଛି ମଞ୍ଚ।


