ଆଦିବାସୀ ପଲ୍ଲୀରେ ‘ଆସ ଆମେ ସ୍କୁଲ୍‌କୁ ଯିବା’ କାର୍ଯ୍ୟକ୍ରମ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଆଜକୁ ୨ବର୍ଷ ହେବ କୋଭିଡ୍ ମହାମାରୀ ଯୋଗୁଁ ବିଦ୍ୟାଳୟରେ ତାଲା ପଡ଼ି ରହିଥିଲା । ଅନ୍‌ଲାଇନ୍ ଶିକ୍ଷା ଦିଆଯାଇଥିଲେ ସୁଦ୍ଧା ବିଦ୍ୟାର୍ଥୀମାନେ ଏହାର ଶତପ୍ରତିଶତ ସୁଫଳ ପାଇପାରି ନଥିଲେ । ଦୁଇବର୍ଷ ମଧ୍ୟରେ ଅନେକଙ୍କ ପାଠ ପଢାରେ ଡ଼ୋରି ବନ୍ଧା ହୋଇଯାଇଛି । ଅନେକ ବିଦ୍ୟାର୍ଥୀ ନିଜ ପିତାମାତାଙ୍କ ସହ ମୂଲ ଲାଗିବା ପାଇଁ ଯାଉଥିବା ବେଳେ ଆଉ କେହି ହାଣ୍ଡିଆ ବିକ୍ରୀ କରିବାକୁ ଯାଉଛନ୍ତି ତ ଆଉ କେହି ଘରକାମ ଓ ରୋଷେଇ କାର୍ଯ୍ୟ କରୁଛନ୍ତି । ବିଦ୍ୟାଳୟ ଖୋଲିଥିଲେ ସୁଦ୍ଧା ବିଦ୍ୟାଳୟକୁ ଯିବା କଥା ସମ୍ପୂର୍ଣ୍ଣ ରୂପେ ବିଦ୍ୟାର୍ଥୀମାନେ ଭୁଲି ଯାଇଛନ୍ତି । ଏହିଭଳି ଅଭାବନୀୟ ଏବଂ କରୁଣ ଦୃଶ୍ୟର ଚିତ୍ର ଦେଖିବାକୁ ମିଳିଛି ଚନ୍ଦକା-ଡମ୍‌ପଡ଼ା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ରହିଥିବା ଆଦିବାସୀ ପଲ୍ଲୀ କନ୍ଦଳେଇରେ । ଗାଁର ବିକାଶ ନେଇ କାର୍ଯ୍ୟ କରୁଥିବା ସାମାଜିକ କର୍ମୀ ସୁଶାନ୍ତ ସାହୁ ବିଦ୍ୟାର୍ଥୀମାନଙ୍କର ଏତାଦୃଶ କାର୍ଯ୍ୟକୁ ଦେଖି ବିଦ୍ୟାର୍ଥୀ ଓ ଅଭିଭାବକଙ୍କ ମଧ୍ୟରେ ସକରାତ୍ମକ ଭାବନା ଜାଗ୍ରତ କରିବା ପାଇଁ ଗାଁରେ ଆୟୋଜନ କରିଛନ୍ତି ‘ଆସ ଆମେ ସ୍କୁଲ୍‌କୁ ଯିବା’ କାର୍ଯ୍ୟକ୍ରମ । ଗାଁରେ ଥିବା କିଛି ବିଦ୍ୟାର୍ଥୀ ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ସ୍କୁଲ୍‌କୁ ଯିବୁ, ପାଠ ପଢିବୁ, ଭଲ ମଣିଷ ହେବୁ ବୋଲି ଆଗ୍ରହ ପ୍ରକାଶ କରିଛନ୍ତି । ଗାଁ ବାହାରକୁ ଚାଲିଯାଇ ମୂଲ ଲାଗୁଥିବା ବିଦ୍ୟାର୍ଥୀ ମାନଙ୍କ ସହ ଯୋଗାଯୋଗ କରିବା ପାଇଁ ଗ୍ରାମବାସୀଙ୍କୁ ନିବେଦନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ କନ୍ଦଳେଇ ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଚିତ୍ର କୁମାର ମାଝୀଙ୍କ ସମେତ ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡା, ତ୍ରିଲୋଚନ ବେଉରା, ପ୍ରଦୀପ୍ତ ରଞ୍ଜନ ରାଉତଙ୍କ ଉପସ୍ଥିତିରେ ଅଭିଭାବକ ଓ ବିଦ୍ୟାର୍ଥୀମାନଙ୍କୁ ସଚେତନତା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ