ସପ୍ତାହେ ଧରି ପାନୀୟ ଜଳରୁ ବଂଚିତ ହିଞ୍ଜିଳିକାଟୁ ପୌରାଂଚଳବାସୀ
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ/ଶେଷଦେବ ସାହୁ): ଗତ ସପ୍ତାହେ ଧରି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏକମାତ୍ର ପୌରପରିଷଦ ହିଞ୍ଜିଳିକାଟୁ ପୌରାଂଚଳବାସୀ ପାନୀୟଜଳ ପାଇବାରୁ ବଂଚିତ ରହିଛନ୍ତି । ଫଳରେ ପାଣି ମୁନ୍ଦାଏ ପାଇବା ଲାଗି ସହରବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ମନୋଭାବ ଯୋଗୁଁ ସ୍ଥାନୀୟ ପୌରବାସୀ ସପ୍ତାହେ ଧରି ପାନୀୟ ଜଳ ପାଇବା ପାଇଁ ଦହଗଞ୍ଜ ହେଉଥିବା ପରିଲିକ୍ଷିତ ହେଉଛି । ସହରବାସୀଙ୍କୁ ବିଶୁଦ୍ଧ ଓ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ହିଞ୍ଜିଳି ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ମାର୍ଚ୍ଚ ୨୫ ୨୦୧୮ରେ ୩.୬୭ କୋଟି ଟଙ୍କା ବ୍ୟୟରେ ୱାଟର ଟ୍ରିଟମେଂଟ ପ୍ଳାଂଟ ନିର୍ମାଣ କରାଯାଇଥିଲା । ହିଞ୍ଜିଳିକାଟୁ ପୌରାଂଚଳ ପରିସରସ୍ଥ ମେଣ୍ଢାଖାଇ ପାହାଡ଼ ଓ ପୁରୁଣା ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ପରିସରରେ ପ୍ରତ୍ୟେକ ୩ଏମଏଲଡ଼ି କ୍ଷମତା ବିଶିଷ୍ଟ ଗୋଟିଏ ଲେଖାଏଁ ପ୍ଳାଂଟ ନିର୍ମାଣ କରାଯାଇଥିଲା । ଗ୍ରୀଷ୍ମଋତୁରେ ଜଳକଷ୍ଟରୁ ମୁକ୍ତି ପାଇବା ଲାଗି ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସକାଶେ ଏହି ୱାଟର ଟ୍ରିଟମେଂଟ ପ୍ଳାଂଟ ନିର୍ମାଣ କରିଥିବା ବେଳେ ବର୍ତମାନ ଶୀତ ଦିନରେ ସହରବାସୀ ମୁନ୍ଦାଏ ପାନୀୟଜଳ ପାଇବାରୁ ବଂଚିତ ହେଉଛନ୍ତି । ସହରବାସୀଙ୍କୁ ପ୍ରତ୍ୟେହ ସକାଳ ସମୟରେ ୨ ଘଂଟା ଓ ଓ ଅପରାହ୍ନରେ ୧ ଘଂଟା ପର୍ଯ୍ୟନ୍ତ ଲାଇନ ପାଇପ ଯୋଗେ ପାନୀୟଜଳ ଯୋଗାଣ କରାଯାଉଥିବା ବେଳେ ଗତ ସପ୍ତାହେ ଧରି ପୌରାଂଚଳବାସୀ ପାନୀୟଜଳ ପାଇବାରୁ ବଂଚିତ ହୋଇଛନ୍ତି । ଏ ନେଇ ସ୍ଥାନୀୟ ଜନସ୍ୱାସ୍ଥ୍ୟ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଶ୍ରୀଧର ଦାଶଙ୍କୁ ପଚାରିବାରୁ ସେ କହିଲେ ସହରର ବିଭିନ୍ନ ସ୍ଥାନରେ ରାସ୍ତାଖେଳା ଯାଇଥିବାରୁ ପାଇପ୍ ଫାଟିଯିବାରୁ ପୌରାଂଚଳର ବିଭିନ୍ନ ୱାର୍ଡ଼କୁ ପାନୀୟ ଜଳ ଯୋଗାଣ ସମ୍ଭବପର ହୋଇ ପାରୁନାହିଁ । ଫାଟି ଯାଇଥିବା ପାଇପ୍ ଗୁଡ଼ିକର ମରାମତି କାର୍ଯ୍ୟ ଚାଲୁ ରହିଛି , ଆସନ୍ତା ଦିନେ କିମ୍ବା ଦୁଇଦିନ ମଧ୍ୟରେ ସହରବାସୀଙ୍କୁ ପାନୀୟଜଳ ଯୋଗାଣ କରାଯିବ ବୋଲି କହିଛନ୍ତି । ଅନ୍ୟପକ୍ଷରେ ସପ୍ତାହେ ଧରି ପୌରାଂଚଳ ବାସୀ ପାନୀୟ ଜଳ ଟୋପାଏ ନପାଇପାରିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ଜଳକଷ୍ଟକୁ ନେଇ ପୌରାଂଚଳର ବିଭିନ୍ନ ୱାର୍ଡ଼ବାସିନ୍ଦା ଜନ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଶୁଣିବାକୁ ମିଳିଛି ।


