ମହାବିଦ୍ୟାଳୟର ସ୍ୱେଚ୍ଛାସେବୀ ଶିଶୁ ସୁରକ୍ଷାର ଦାୟିତ୍ୱ ନେବେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାରେ ଶିଶୁ ସୁରକ୍ଷା ପାଇଁ ଆରମ୍ଭ ହୋଇଥିବା ଜିଲ୍ଲାର ନିର୍ଦ୍ଧିଷ୍ଟ କାର୍ଯ୍ୟକ୍ରମ “ପ୍ରତିଜ୍ଞା”ର ସଫଳ ରୂପାୟନ ପାଇଁ ଏଣିକି ଜିଲ୍ଲାରେ ଥିବା ପ୍ରତି ମହାବିଦ୍ୟାଳୟର ଏନ୍ଏସ୍ଏସ୍, ୟୁଥ ରେଡକ୍ରସ ଏବଂ ସ୍କାଉଟ ଆଣ୍ଡ ଗାଇଡର ସ୍ୱେଚ୍ଛାସେବୀମାନେ ଦାୟିତ୍ୱ ନେବେ । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ ପରେ ଜିଲ୍ଲାରେ ଥିବା ୧୩ ଗୋଟି ମହାବିଦ୍ୟାଳୟର ଏନ୍ଏସ୍ଏସ୍, ୟୁଥ ରେଡକ୍ରସ ଏବଂ ସ୍କାଉଟ ଆଣ୍ଡ ଗାଇଡର ସ୍ୱେଚ୍ଛାସେବୀମାନଙ୍କୁ ଚିହ୍ନଟ କରାଯାଇ ଦୁଇଟି ଭାଗରେ ଶିଶୁ ସୁରକ୍ଷା ଉପରେ ପ୍ରଶିକ୍ଷଣ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାର ନିର୍ଦ୍ଧିଷ୍ଟ କାର୍ଯ୍ୟକ୍ରମ “ପ୍ରତିଜ୍ଞା”ର ଉଦ୍ଦେଶ୍ୟ ଥିଲା ଯେ କିଶୋରୀ ବାଳିକା ମାନଙ୍କୁ ନେଇ ଏକ ସଂଗଠନ ତିଆରି କରାଯିବ । ଯେଉଁଥିରେ ସେମାନେ ସେମାନଙ୍କର ସୁରକ୍ଷା ପାଇଁ ନେତୃତ୍ୱ ନେବେ । ଏହା ସହ ଜିଲ୍ଲାରେ ଶିଶୁ ମାନଙ୍କ ଉପରେ ଘଟୁଥିବା ନିର୍ଯ୍ୟାତନା ଏବଂ ଘଟିବାକୁ ଥିବା ଘଟଣା ଉପରେ ସୂଚନା ଦେବେ । ଯାହାଦ୍ୱାରାକି ଜିଲ୍ଲାର ଶତ ପ୍ରତିଶତ ଶିଶୁ ପାଖରେ ଶିଶୁ ଅଧିକାର ଏବଂ ଶିଶୁ ସୁରକ୍ଷାର ବର୍ତ୍ତା ସହଜରେ ପହଞ୍ଚାଯାଇପାରିବ । ଏହି କାର୍ଯ୍ୟକ୍ରମରେ ଖଜୁରୀପଦା ଠାରେ ଥିବା ବାବାସାହେବ ଆମ୍ବେଦକର କଲେଜ, ମୋହନାର ହିଲଟପ୍ କଲେଜ, ଅଡବାର ହରଭଙ୍ଗା ମହାବିଦ୍ୟାଳୟ , ଆର୍.ଉଦୟଗିରିର ମହେନ୍ଦ୍ରତନୟା ମହା ବିଦ୍ୟାଳୟ, ଚାନ୍ଦିପୁଟର ଇନ୍ଦିରାଗାନ୍ଧି ମେମୋରିଆଲ ମହାବିଦୟାଳୟ ଗୁଡିକର ୧୫୦ଜଣ ସ୍ୱେଚ୍ଛାସେବୀଙ୍କୁ ନେଇ ଶିଶୁ ସୁରକ୍ଷାର ସମସ୍ତ ଦିଗ ଉପରେ ଦିନିକିଆ ପ୍ରଶିକ୍ଷଣ ଶିବିର ଆର୍.ଉଦୟଗିରି ଠାରେ ଥିବା କୃଷି ବିଜ୍ଞାନ କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗ ଦେଇ ଥିବା ପ୍ରାୟ ସ୍ୱେଚ୍ଛାସେବୀ ନାବାଳିକା ହୋଇଥିବା ବେଳେ ନିଜର ସୁରକ୍ଷା ନିଜ ନେତୃତ୍ୱରେ ନିଆଯିବା କଥାକୁ ସମସ୍ତଙ୍କ ଦ୍ୱାରା ଆଗ୍ରହର ସହିତ ଗ୍ରହଣ କରାଯାଇ ଥିଲା । ଉପରୋକ୍ତ ପ୍ରଶିକ୍ଷଣ ଶିବିର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଚାଲିଥିବା ବେଳେ ଏଥିରେ ଆର୍.ଉଦୟଗରିରର ମହେନ୍ଦ୍ରତନୟା ମହିବିଦ୍ୟାଳୟର ଅଧ୍ୟକ୍ଷା ଭାରତୀ ମିଶ୍ର, ମହାବିଦ୍ୟାଳୟର ସମସ୍ତ ଏନ୍ଏସ୍ଏସ୍, ୟୁଥ ରେଡକ୍ରସ ଏବଂ ସ୍କାଉଟ ଆଣ୍ଡ ଗାଇଡର ସଂଯୋଜକ ମାନେ ଯୋଗ ଦେଇ ସେମାନଙ୍କ ର ୟୁନିଟ୍ ମାଧ୍ୟମରେ ଶିଶୁ ଅଧିକାର ଏବଂ ସୁରକ୍ଷାର ବାର୍ତ୍ତା ଜିଲ୍ଲାର ଶେଷ ଶିଶୁ ପାଖରେ କିପରି ପହଞ୍ଚିବ ତାହାରି ଉପରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆକ୍ସନ ଏଡର ଜିଲ୍ଲା ସଂଯୋଜକ ବିକାଶ କୁମାର ମେହେର ଓ ୟୁଏନ୍ଏଫପିଏର ଜିଲ୍ଲା ସଂଯୋଜିକା ସଂଯୁକ୍ତା ତ୍ରିପାଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଜୟପ୍ରକାଶ ବାଡତ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।


