ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ବିଶାଳ ବାଇକ ଶୋଭାଯାତ୍ରା
କଟକ, (ଯୁଗାବ୍ଦ ନ୍ୟୁଜ) : ପବିତ୍ର ପଣାସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ହିନ୍ଦୁ ଜାଗରଣ ମଂଚ ତରଫରୁ ବିଶାଳ ବାଇକ ଶୋଭାଯାତ୍ରା କଟକ ମହାନଗରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ୱ ବାଇକରେ ଯୁବକମାନେ ଦିନ ୧୧ ଘଟିକାରୁ ବାହାରି ଶୋଭାଯାତ୍ରାରେ କଟକ ସହର ପରିକ୍ରମା କରିଥିଲେ । ସଭିଙ୍କ ହାତରେ ଥିଲା ଗୈରୀକ ପତାକା ଏବଂ ମୁଖରେ ଥିଲା ‘ଜୟ ଶ୍ରୀରାମ ଧ୍ୱନୀ’ । ଏହି ବାଇକ ଶୋଭାଯାତ୍ରା ଷ୍ଟାଡିୟମ ପଡିଆ, ଚଣ୍ଡିଛକ, ବସ୍କିବଜାର, ମଣିସାହୁ ଛକ, ମଙ୍ଗଳାବାଗ, ରାଣୀହାଟ, କଲେଜଛକ, ଯୋବ୍ରା, ନୂଆ ବଜାର, ଓଏମ୍ପି ଛକ, ପ୍ରେସ ଛକ ଦେଇ ଖାନ୍ ନଗର ପଂଚମୁଖି ମନ୍ଦିର ନିକଟରେ ପହଁଚିଥିଲା । ଏଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପୂର୍ବ କ୍ଷେତ୍ରର ଧର୍ମ ଜାଗରଣ ସମନ୍ୱୟ ପ୍ରମୁଖ ବିନୟ କୁମାର ଭୂୟା ଯୋଗଦାନ କରି ପଣା ସକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳନର ଆବଶ୍ୟକତା ବିଷୟରେ ଉଦ୍ବୋଧନ ଦେଇଥିଲେ । ସେ କହିଛନ୍ତି, ଶ୍ରୀ ହନୁମାନ ଯେପରି ଭଗବାନ ଶ୍ରୀରାମଙ୍କ କାର୍ଯ୍ୟ ପାଇଁ ନିଜକୁ ଉତ୍ସର୍ଗ କରିଥିଲେ ସେହିପରି ବର୍ତ୍ତମାନର ଯୁବସମାଜ ରାଷ୍ଟ୍ରକାର୍ଯ୍ୟ ନିମନ୍ତେ ନିଜକୁ ଉତ୍ସର୍ଗ କରିବାକୁ ଚାହୁଁଛନ୍ତି । ସୀତାମାତାଙ୍କୁ ନାରୀ ଜାତିର ଆଦର୍ଶ ମନେକରୁଥିବା ଆଜିର ଯୁବସମାଜ ଆଗରେ ଲଭ ଜୀହାଦ୍, ଅପହରଣ, ବଳାତ୍କାର ତଥା ଧର୍ମାନ୍ତରଣ ଭଳି ସମ୍ବେଦନଶୀଳ ଘଟଣା ଦୈନନ୍ଦିନ ଘଟି ଚାଲିଛି । ଗୋ-ମାତାଙ୍କ ଅବାଧ ହତ୍ୟା ଭାରତୀୟ ମାତୃସମାଜ ପାଇଁ ଘୋର ଅପମାନ । ଏହାର ସମାଧାନ ପାଇଁ ଆଜିର ଯୁବସମାଜ ଅଣ୍ଟାଭିଡ଼ିଛି । ଉକ୍ତ ସଭାରେ ହିନ୍ଦୁ ଜାଗରଣ ମଂଚର ପ୍ରଦେଶ ସଂଗଠନ ସଂପାଦକ ତନ୍ମୟ ଦାଶ ତାଙ୍କ ମାର୍ଗଦର୍ଶନରେ କହିଲେ ପ୍ରଭୁ ଜଗନ୍ନାଥ ଓଡ଼ିଶାର ପରିଚୟ । ଜଗନ୍ନାଥ ସଂସ୍କୃତି ପ୍ରତ୍ୟକ ଓଡ଼ିଆଙ୍କ ପ୍ରାଣକେନ୍ଦ୍ର ତଥା ସ୍ୱାଭିମାନର ପ୍ରତୀକ । ବିଭିନ୍ନ ବିକାଶମୁଳକ କାର୍ଯ୍ୟକ୍ରମ ନାମରେ ଓଡ଼ିଶା ସରକାର ବିଗତ ଦିନରେ ଶ୍ରୀମନ୍ଦିରର ପୁରାତନ ଐତିହ୍ୟକୁ ଧ୍ୱଂସ କରିଚାଲିଛନ୍ତି । ସେଥିପାଇଁ ହିନ୍ଦୁଜାଗରଣ ମଞ୍ଚ ପକ୍ଷରୁ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ପଣାସଂକ୍ରାନ୍ତି ଠାରୁ ଆସନ୍ତା ୨୦ତାରିଖ ପର୍ଯନ୍ତ ଚାଲିବ । ଏହି କାର୍ଯ୍ୟକ୍ରମରେ ହିନ୍ଦୁଜାଗରଣ ମଞ୍ଚର ରାଜ୍ୟ ସଂଯୋଜକ ରଘୁନାଥ ବାରିକ, ରାଜ୍ୟ ଯୁବବାହିନୀ ପ୍ରମୁଖ ରାକେଶ ଧୂପର,ଜିଲ୍ଲା ସଂଯୋଜକ ଗୁରୁ ପ୍ରସାଦ ସାହୁ ଅନ୍ୟମାନଙ୍କ ମଧ୍ୟରେ ଜୟନ୍ତ ଦାଶ, ଅମିତ ରାଉତରାୟ, ଶୁଭମ ଆଚାର୍ଯ୍ୟ, ସରୋଜ ମିଶ୍ର, ଅଭୟ ଶାହା, ପିନାକୀ ପାର୍ଥସାରଥୀ, ସନୀ ପଟ୍ଟନାୟକ, ବିଷାଦ ନାୟକ, ରଣଦୀପ ରାୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିବା ସହ ସମସ୍ତ ପ୍ରକାରର ଦାୟିତ୍ୱ ନିର୍ବାହ କରିଥିଲେ ।


