ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଯୁବକଙ୍କୁ ବିଭତ୍ସ ହତ୍ୟା ଘଟଣା : ପୋଲିସର ତଦନ୍ତ ଜାରି : ଘଟଣା ସ୍ଥଳ ରେ ବ୍ରହ୍ମପୁର ଏସ ପି
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ଦିଗପହଣ୍ଡି ଥାନା ଅନ୍ତର୍ଗତ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମ ନିକଟସ୍ଥ ସଉରା ପାହାଡ ମୁଖ୍ୟ ରାସ୍ତାରେ ଦୁଇ ଯୁବକ ତଥା ବିଜେଡି କର୍ମୀଙ୍କୁ ବିଭତ୍ସ ଭାବରେ ହତ୍ୟା କରାଯାଇଥିବା ଜଣାପଡିଛି । ମୃତ ଦୁଇ ଜଣକ ହେଲେ ଉକ୍ତ ପଞ୍ଚାୟତର ପାଳଝାଡି ଗ୍ରାମର ସୁଧୀର ପାତ୍ର ଓ ସୁଦର୍ଶନ ସୁଆର ବୋଲି ପ୍ରାଥମିକ ତଦନ୍ତ ରୁ ଖବର ମିଳିଛି । ଦିଗପହଣ୍ଡି ବ୍ଲକ ଏହି ପଞ୍ଚାୟତରେ ଚଳିତ ପଞ୍ଚାୟତ ନିର୍ବାଚନକୁ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା । ତେବେ ମୃତକ ଦୁଇଜଣ ବିଜୟୀ ହୋଇଥିବା ଦଳକୁ ସମ୍ପୂର୍ଣ୍ଣ ସହଯୋଗ କରିଥିବା ନେଇ ସାଧାରଣରେ ଚର୍ଚ୍ଚା ହୋଇ ଆସୁଛି । ଯାହାକୁ ନେଇ ବିପକ୍ଷ ଗୋଷ୍ଠୀ ନିର୍ବାଚନ ପରାଜୟକୁ ଭୁଲି ନପାରି ଏଭଳି ହତ୍ୟାକାଣ୍ଡ ଘଟାଇଥିବା ନେଇ ସାଧାରଣରେ ସନ୍ଦେହ କରାଯାଉଛି । ତେବେ ଶନିବାର ବିଳମ୍ବିତ ସନ୍ଧ୍ୟାରେ ଉଭୟ ଏକ ବାଇକ୍ ଯୋଗେ ନିକଟସ୍ଥ ଗ୍ରାମ ପନାଡ ଗ୍ରାମରୁ ଭୋଜି ଖାଇ ସାରି ପାଳଝାଡି ଫେରୁଥିଲେ । ତେବେ ହତ୍ୟାକାରୀ ମାନେ ସେମାନଙ୍କ ଚଲାପଥକୁ ପୂର୍ବରୁ ନଜର ରଖି ଟାର୍ଗେଟ ମଧ୍ୟ କରିଥିବା ବେଳେ ଉକ୍ତ ପାହାଡିଆ ନିଛାଟିଆ ଜାଗାରେ ଉଭୟଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହେଉଥିବା ଶୁଣିବାକୁ ମିଳିଛି । ଘଟଣାପରେ ରାତିରେ ସେହି ରାସ୍ତା ଦେଇ ଯାଉଥିବା ଏକ ଟ୍ରାକ୍ଟର ଦୁଇ ଯୁବକ ରକ୍ତାକ୍ତ ଅବସ୍ଥାରେ ପଡିଥିବାର ଖବର ଦେଇଥିଲେ । ଖବରପାଇ ଗ୍ରାମବାସୀ ସେଠାକୁ ଯାଇ ଦେଖିବା ପରେ ଉଭୟଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ତେବେ ଉପସ୍ଥିତ ଡାକ୍ତର ସୁଦର୍ଶନ ସୁଆରଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ସୁଧୀରଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ମଧ୍ୟ ଡାକ୍ତର ସୁଧୀରଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ସେହି ବିଳମ୍ବିତ ରାତିରେ ଚିକିଟି ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା , ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିବା ବେଳେ ଗୋଟିଏ ରକ୍ତ ଭିଜା ପଥର ସହ ଦୁଇ ହଳ ଚପଲ ଜବତ କରିଥିଲେ ମଧ୍ୟ ହତ୍ୟାକାରୀଙ୍କ କୈାଣସି ସୁରାକ ପାଇନଥିବା ଜଣାପଡିଛି । ଅପରପକ୍ଷରେ ପୋଲିସ ଦିଗପହଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିଥିବା ବେଳେ ଆଜି ସେମାନଙ୍କ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛନ୍ତି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ପୋଲିସ କହିଛି । ଏନେଇ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଇଥିବା ବେଳେ ପ୍ରକୃତ ହତ୍ୟାକାରୀଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି ଭାବେ ନଜର ରଖିଥିବା ଜଣାପଡିଛି । ଏଥିସହ ଦିଗପହଣ୍ଡି ଥାନା ଅଞ୍ଚଳରେ ବିଭିନ୍ନ ସମୟରେ ଅସାମାଜିକ ଯୁବକଙ୍କ ଦ୍ବାରା ବାରମ୍ବାର ଚୋରି , ଡକାୟତି ଓ ହତ୍ୟାକାଣ୍ଡ ଭଳି ଘଟଣା ଘଟୁଥିବାରୁ ମୁଣ୍ଡ ବ୍ୟଥାର କାରଣ ମଧ୍ୟ ପାଲଟିଛି । ତେବେ କେଉଁ କାରଣକୁ ନେଇ ହତ୍ୟାକାରୀ ମାନେ ଏଭଳି କାଣ୍ଡ ଘଟାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ତାହା ସ୍ପଷ୍ଟ ହୋଇନାହିଁ । ତେବେ ରବିବାର ସକାଳୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଜାରି ରହିଥିବାବେଳେ ବ୍ରହ୍ମପୂର୍ ଏସ ପି ପିନାକ ମିଶ୍ର ଙ୍କ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ ଏବଂ ପାଲଝାଡି ଗାଁ କୁ ଯାଇ ଘଟଣା ସମ୍ପର୍କ ରେ ବୁଝିଥିବା ସୂଚନା ମିଳିଛି ।


