କୃଷି ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଦାବିରେ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ଜିଲ୍ଲାରେ କୃଷି ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ଜିଲ୍ଲାର ବହୁ କୃଷି ବୈଜ୍ଞାନିକ ଓ କୃଷି ବିଭାଗର ଅବସରପ୍ରାପ୍ତ ଅଧିକାରୀ ଏବଂ କର୍ମଚାରୀମାନେ ଗତ ମାର୍ଚ୍ଚମାସ ୨୫ ତାରିଖ ଦିନ ଏକ ବୈଠକର ନିଷ୍ପତ୍ତିକ୍ରମେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, କୃଷି ବିଭାଗର ସଚିବ, କୃଷିନିର୍ଦ୍ଦେଶକ, ମୂର୍ତ୍ତିକା ସଂରକ୍ଷଣ ନିର୍ଦ୍ଦେଶକଙ୍କ ସମେତ ଜିଲ୍ଲାର ମାନ୍ୟବର ବିଧାୟକମାନଙ୍କୁ ଏକ ନିବେଦନପତ୍ର ପ୍ରଦାନ କରାଯାଇଥିଲା । ଏହି ନିବେଦନପତ୍ରରେ ବାଲେଶ୍ୱରରେ କୃଷିମହାବିଦ୍ୟାଳୟ ଓ ଗବେଷଣାକେନ୍ଦ୍ର ପ୍ରତିଷ୍ଠା ସଂପର୍କରେ ବହୁ ତଥ୍ୟ ସମ୍ବଳିତ ଯୁକ୍ତି ଉପସ୍ଥାପିତ କରାଯାଇଥିଲା । ଶିଳ୍ପ ସଂସ୍ଥାମାନଙ୍କରେ ନିଯୁକ୍ତିଠାରୁ କୃଷି ଗବେଷଣା ଫଳରେ ଅନେକ ନିଯୁକ୍ତି ଓ ଖାଦ୍ୟଶସ୍ୟ ଉତ୍ପାଦନ ହୋଇପାରିବ ଓ ବହୁ ବେକାର ଯୁବକଯୁବତୀ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଉକ୍ତ ଆବେଦନ ପତ୍ରରେ ଦର୍ଶାଯାଇଥିଲା । ରବିବାର ଦିନ ପୂର୍ବାହ୍ନରେ ଡ. କେଶବ ଚରଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨ୟ ବୈଠକରେ ଏହି ଆବେଦନ ଉପରେ ବିଭାଗୀୟ ଉଚ୍ଚ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ଆସନ୍ତା ମଇମାସ ୨୯ ତାରିଖ ଦିନ ପରିବର୍ଦ୍ଧିତ ଜିଲ୍ଲାସ୍ତରୀୟ ବୈଠକରେ ସମସ୍ତ ବ୍ଲକ୍‌ରୁ କୃଷକ ପ୍ରତିନିଧି ଓ ବୁଦ୍ଧିଜୀବୀମାନଙ୍କୁ ନେଇ ଆଗାମୀ କାର୍ଯ୍ୟପନ୍ଥା ପାଇଁ ନିଷ୍ପତ୍ତି ନିଆଯିବ । ଉକ୍ତ ବୈଠକର ନିଷ୍ପତ୍ତିକ୍ରମେ ବିଧାନସଭା ଅଧିବେଶନ ସମୟରେ ଜିଲ୍ଲାର ସମସ୍ତ ବିଧାୟକ ବିଭାଗୀୟ ମନ୍ତ୍ରୀଙ୍କୁ ସାକ୍ଷାତ କରି ଏହି ଦାବି ସଂପର୍କରେ ବିଧାନସଭାରେ ଆଲୋଚନା ଓ ନିଷ୍ପତ୍ତି ପାଇଁ ଅନୁରୋଧ କରାଯିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବୈଠକରେ ସର୍ବଶ୍ରୀ ଅନନ୍ତ କୁମାର ଦତ୍ତ, ଭୂପତି ଚରଣ ପାତ୍ର, ପ୍ରବୋଧ କୁମାର ପାତ୍ର, ଭାସ୍କର ଚନ୍ଦ୍ର ପାଢ଼ୀ, ସୁଧୀର ପ୍ରଧାନ, ହର ନାରାୟଣ ମଢ଼ୁଆଳ, ହୃଷିକେଶ ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଇନ୍‌ଜୀବୀ ନିରଞ୍ଜନ ପରିଡ଼ା ଓ ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ ବୈଠକରେ ଯୋଗଦେଇ ଏହି ମହତ ଉଦ୍ୟମକୁ ପ୍ରଶଂସା କରିଥିଲେ । ରମେଶ ଚନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ