ଜିଲ୍ଲା ରକ୍ତଦାତା ସଂଘ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା) :-ଜିଲ୍ଲା ରକ୍ତଦାତା ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଂଘର ସଭାପତି କମଲ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି । ଅଧିକରୁ ଅଧିକ ରକ୍ତଦାନ ଶିବିର ଆୟୋଜନ କରିବା ଓ ଆୟୋଜକମାନଙ୍କୁ ପ୍ରୋତ୍ସାହିତ କରିବା ଉପରେ ଏଥିରେ ନିଷ୍ପତ୍ତି ନିଆଯାଇଛି । ରକ୍ତଦାନ ଶିବିରର ଆୟୋଜକ ଓ ରକ୍ତଦାତାମାନଙ୍କ ସହଯୋଗରୁ ଅଦ୍ୟାବଧି ବାଲେଶ୍ୱର ଜିଲ୍ଲାରେ ରକ୍ତର ଅଭାବ ହୋଇନାହିଁ । ବାଲେଶ୍ୱରରେ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ପରେ ଶଲ୍ୟଚିିକିତ୍ସା ରୋଗୀ ସଂଖ୍ୟା ଓ ଥାଲାସେମିଆ ରୋଗୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧିପାଇଛି ବୋଲି ଏହି ବୈଠକରେ ଉପସ୍ଥିତ ସଦସ୍ୟମାନେ ମତପ୍ରକାଶ କରିଥିଲେ । ପ୍ରତିବର୍ଷ ଭଳି ଆସନ୍ତା ଜୁନ ୧୪ ତାରିଖ ଦିର୍ନ ‘ବିଶ୍ୱ ରକ୍ତଦାତା ଦିବସ’କୁ ପାଳନ ସମ୍ପର୍କରେ ଆଲୋଚିତ ହୋଇଥିଲା । ଏହି ଦିବସ ପୂର୍ବରୁ ସଂଘର ସଦସ୍ୟତା ବୃଦ୍ଧି କରିବାକୁ ଉପସ୍ଥିତ ସଦସ୍ୟମାନଙ୍କୁ ଅନୁରୋଧ କରାଯାଇଛି । ସଂଘର ସାଧାରଣ ସଂପାଦକ ଇଂ. ଡ. ହୃଷିକେଶ ସାହୁ ଚଳିତବର୍ଷ ଆୟୋଜିତ ରକ୍ତଦାନ ଶିବିର ସମ୍ପର୍କରେ ସୂଚନା ଦେଇଥିଲେ । କୋଷାଧ୍ୟକ୍ଷ ଅକ୍ଷୟ କୁମାର ତ୍ରିପାଠୀ ଆୟବ୍ୟୟର ବିବରଣୀ ପାଠ କରିଥିଲେ । ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଅନୁଷ୍ଠିତ ବୈଠକରେ ରକ୍ତଭଣ୍ଡାର ଅଧିକାରୀ ଡା. ବସନ୍ତ କୁମାର ଉପାଧ୍ୟାୟ, ଡା. ମହେଶ କୁମାର ବିଶ୍ୱାଳଙ୍କ ସମେତ, ରବି ରାଉତ, ଇଂ. ବନମାଳି ନାୟକ, ଯଶୋଦା ନନ୍ଦନ ଆସ୍, ରମେଶ ଚନ୍ଦ୍ର ଜେନା, ଲକ୍ଷ୍ମୀଧର ବାରିକ, ଗୌରାଙ୍ଗ ପାଣିଗ୍ରାହୀ, ପଦ୍ମଲୋଚନ ଦତ୍ତ, ନିରଞ୍ଜନ ପରିଡ଼ା, ବିଜୟ କୁମାର ପାତ୍ର ଓ ଶ୍ୟାମସୁନ୍ଦର ଜେନା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


