ପୂର୍ବତନ ରାଜ୍ୟ ମୁଖ୍ୟ କମିଶନର ପଦ୍ମଶ୍ରୀ ଡଃ. ରଜତ କୁମାର କରଙ୍କ ବିୟୋଗ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) :-ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂସ୍ଥାର ପୂର୍ବତନ ରାଜ୍ୟ ମୁଖ୍ୟ କମିଶନର, ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ, ବାଗ୍ମୀ, ସାହିତ୍ୟିକ, ପଦ୍ମଶ୍ରୀ ଡଃ. ରଜତ କୁମାର କରଙ୍କର ଆଇଆରସି ଭିଲେଜସ୍ଥିତ ନିଜ ବାସଭବନ ରେ ଗତକାଲି ତାଙ୍କର ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା । ଏହି ଦୁଃଖଦ ଘଟଣାରେ ସ୍କାଉଟସ୍ ଏବଂ ଗାଇଡସ୍ ପରିବାରର ସମସ୍ତେ ମର୍ମାହତ ହୋଇଛନ୍ତି । ତାଙ୍କର ସ୍ମୃତି ଚାରଣ ନିମନ୍ତେ ରାଜ୍ୟ ମୁଖ୍ୟାଳୟରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଅଛି । ସେ ଦୀର୍ଘ ବର୍ଷ ଧରି ସ୍କାଉଟିଂ ସହିତ ଯୋଡି ହୋଇ ରହିଥିଲେ । ତାଙ୍କର ପାର୍ଥିବ ଶରୀରକୁ ତାଙ୍କର ବାସଭବନରେ ସ୍କାଉଟ ଗାଇଡ୍ର ପତାକା ଦିଆଯାଇ ଶେଷ ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ମରଶରୀରକୁ ଶେଷଥର ଦର୍ଶନ କରିବାପାଇଁ ବହୁ ଉଚ୍ଚପଦାଧିକାରୀ ଏବଂ ସ୍କାଉଟ ଗାଇଡ୍ର ଅଧିକାରୀମାନେ ଯୋଗଦାନ କରିବା ସଙ୍ଗେ ସଙ୍ଗେ ରାଜ୍ୟ ମୁଖ୍ୟ କମିଶନର ଡ. କାଳିପ୍ରସାଦ ମିଶ୍ର ଉପସ୍ଥିତ ରହିଥିଲେ । ରାଜ୍ୟ ସଂସ୍ଥାର ସଭାପତି ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ଏହି ଦୁଃଖଦ ଘଟଣାରେ ଦୁଃଖପ୍ରକାଶ କରିଛନ୍ତି । ସ୍ୱର୍ଗତ କରଙ୍କୁ ଗାର୍ଡ ଅଫ ଅନର ପ୍ରଦର୍ଶନ କରାଯାଇ ତାଙ୍କର ଶେଷକୃତ୍ୟ ସମ୍ପନ କରାଯିବ । ତାଙ୍କର ମୃତ୍ୟୁରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏତଦ୍ବ୍ୟତୀତ ଦଳଗତ ନିର୍ବିଶେଷରେ ବିଭିନ୍ନ ରାଜନୈତିକ ଦଳର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଆସି ଶେଷଦର୍ଶନ କରିଥିଲେ ।


