ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକର ପରିଚାଳନା କାର୍ଯ୍ୟକୁ ବିହାର ରାଜ୍ୟ ଟିମ୍ର ତଦାରଖ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା ଓ ବାତ୍ୟା ସମୟରେ ସୁରୁଖୁରରେ ପରିଚାଳିତ ହେଉଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ତଦାରଖ ନିମନ୍ତେ ବିହାର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ଏକ ଟିମ୍ ସୋମବାର ଗଞ୍ଜାମ ଜିଲ୍ଲାକୁ ଗସ୍ତ କରିଛନ୍ତି । ଅତିରିକ୍ତ ସଚିବ ଏମ୍.ରାମଚନ୍ଦ୍ରଡୁଙ୍କ ନେତୃତ୍ୱରେ ଉପ ସଚିବ ଶ୍ୟାମ ବିହାର ମିନା, ବୈଷୟିକ କୁଶଳୀ ସୀମା ସିଂ ଓ ଅନୀଲ କୁମାର ପ୍ରମୁଖ ୪ ଜଣିଆ ଟିମ୍ ପ୍ରଥମେ ଖଲ୍ଲିକୋଟ ବ୍ଲକ କଙ୍କେଇ ଓଡିଆରପି କଲୋନୀକୁ ପରିଦର୍ଶନ କରି ବିଶ୍ୱବ୍ୟାଙ୍କ ସହାୟତାରେ ନିର୍ମାଣ ହୋଇଥିବା ବାତ୍ୟା ନିରୋଧକ ଗୃହକୁ ତଦାରଖ କରିଥିଲେ । ପରେ ଏହି ଟିମ୍ ଗଞ୍ଜାମ ବ୍ଲକ ଶତ୍ରୁସୋଲ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀକୁ ପରିଦର୍ଶନ କରି ପ୍ରାକୃତିକ ବିପର୍ଯ୍ୟୟ ବାତ୍ୟା ସମୟରେ ମୁକାବିଲା ବେଳେ ଆଶ୍ରୟସ୍ଥଳୀ କିଭଳି ପରିଚାଳନା ହେଉଅଛି ତାହା ଟିମ୍ ପରିଚାଳନା ଦାୟିତ୍ୱରେ ଥିବା ସଦସ୍ୟଙ୍କୁ ପଚାରି ବୁଝିଥିଲେ । ସେହିପରି ଛତ୍ରପୁର ବ୍ଲକ ବଡମାଧପୁର ପଞ୍ଚାୟତ ଗୋବା ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀକୁ ପରିଦର୍ଶନ କରି ଗ୍ରାମ୍ୟ ବିପର୍ୟ୍ୟୟ ପରିଚାଳନା କମିଟି ସହିତ ଆଲୋଚନା କରିଥିଲେ । ଏହାପରେ ଏହି ଟିମ୍ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସହିତ ଆଲୋଚନା କରିଥିଲେ । ବିହାର ରାଜ୍ୟର ଏହି ଟିମ୍ ପରିଦର୍ଶନ ବେଳେ ଡେପୁଟି କଲେକ୍ଟର ରାଜସ୍ୱ ଡ.ଦିବ୍ୟଲୋଚନ ମହନ୍ତ, ଖଲ୍ଲିକୋଟ ବିଡିଓ ନବକୃଷ୍ଣ ଜେନା,ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ପ୍ରଜ୍ଞାପରମିତା ଥାଟୋଇ, ଓସଡମାର ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଭୁ ପ୍ରସାଦ ମହାରଣା, ଓଡିଆରପିର ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ କୁମାର ବେହେରା ଓ ମୋନିକା ମୋନାଲୀ ମାନସିଂ, ଏକ୍ସପୋର୍ଟର ପ୍ରଭାତ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।


