ଅଢ଼େଇଦ୍ୱାରରେ ଠିକାଦାର ଗାତ ଖୋଳି ଚାଲିଗଲା : ଗୃହପାଳିତ ପଶୁଙ୍କ ଯାଉଛି ଜୀବନ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଷଡଙ୍ଗ ପଞ୍ଚାୟତର ଅଢ଼େଇଦ୍ୱାର ଗ୍ରାମରେ ଠିକାଦାର ଗାତ ଖୋଳି ଚାଲିଯିବା ଦ୍ୱାରା ଏହି ଗାତରେ ପଡି ଅନେକ ଗୃହ ପାଳିତ ପଶୁଙ୍କ ଜୀବନ ଯାଉଥିବା ଅଭିଯୋଗ ହୋଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଅଢ଼େଇଦ୍ୱାର ଗାଁରେ ଜଣେ ଠିକାଦାର ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟ କରୁଥିଲେ । ବିଦ୍ୟୁତ ଟ୍ରାନସଫରମର ର ଆର୍ଥିଂ କରିବାପାଇଁ ୬ଟି ଗାତ ପ୍ରକଳ୍ପ ଚାରିପଟେ ଖୋଳିଦେଲେ । କିନ୍ତୁ ଆଉ ପାଇପ ପକାଇ ଗାତକୁ ପୋତିଲେନି । ଦୀର୍ଘଦିନ ଧରି ଗାତ ଗୁଡିକ ଖୋଲା ରହିଥିବାବେଳେ ଅନେକ ଗୋରୁ ଗାଈ ଓ ଛେଳି ଏହି ଗାତରେ ପଡୁଛନ୍ତି । ଦୁଇଦିନ ଭିତରେ ଏହି ଗାତରେ ଦୁଇଟି ଗୋରୁ ଓ ବାଛୁରୀ ପଡିଥିବାବେଳେ ଗୋଟିଏ ଗୋରୁ ମୃତ୍ୟୁ ବରଣ କରିଛି । ଗତକାଲି ପ୍ରଣୟ କୁମାର ସାଙ୍କର ଗୋଟିଏ ବାଛୁରୀ ଏହି ଗାତରେ ଖସିପଡିଥିଲା । ପରିବାର ଲୋକେ ଅନେକ ଖୋଜାଖୋଜିୀ କରିବାପରେ ଗାତରେ ପଡିଥିବା ଦେଖି ଏକ ହିଟାଚି ମେସିନି ସାହାଯ୍ୟରେ ବାଛୁରୀକୁ ଉଦ୍ଧାର କରିଥିଲେ । ସେହିପରି ଆଜି କରୁଣାକର ବାରିକଙ୍କ ଏକ ଗାଈ ଏହି ଗାତରେ ଖସିପଡି ଆଜି ମୃତ୍ୟୁବରଣ କରିଥିବା ଜଣାଯାିଛି । ଏହାକୁନେଇ ଗ୍ରାମବାସୀଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଛି । ଉକ୍ତ ଠିକାସଂସ୍ଥା ତୁରନ୍ତ ଗାତଗୁଡିକ ପୋତିବା ସହ କ୍ଷତିଗ୍ରସ୍ଥ ଗାଈ ମାଲିକଙ୍କୁ କ୍ଷତିପୁରଣ ଦେଉ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି ।


