ସାଧାରଣ ବଂଟନ ସାମଗ୍ରୀ ହରିଲୁଟ୍
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ବାଲାଗୋଡା ଗ୍ରାମପଂଚାୟତରେ ସାଧାରଣ ଗରିବ ହିତାଧିକାରୀଙ୍କଠାରୁ ବାଇଓମାଟ୍ରିକ ମେସିନରେ ଟିପ ଚିହ୍ନ ଠକେଇ କରି ସାଧାରଣ ବଂଟନ ସାମଗ୍ରୀକୁ ହରିଲୁଟ୍ କରୁଥିବା ଅଭିଯୋଗ ହୋଇଛି । ଉକ୍ତ ଗ୍ରାମପଂଚାୟତର ବଲାଣୀ ଗ୍ରାମର ମଂଜୁ ଦାସ, ନୀର୍ମଳା ଦାସ, ଗୀତାରାଣୀ ପଲେଇ ଓ ରଶ୍ମୀ ଦାସ ପ୍ରମୁଖ ଅଭିଯୋଗ କରିଛନ୍ତି ଯେ, ବାଲାଗୋଡା ଗ୍ରାମପଂଚାୟତରେ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ଅଧିନରେ ସେମାନଙ୍କୁ ରାସନକାର୍ଡ ମାଧ୍ୟମରେ କଣ୍ଟ୍ରୋଲ ସାମଗ୍ରୀ ମିଳୁଥିଲା । ସେମାନେ ସାମଗ୍ରୀ ଉଠାଇବାକୁ ଗଲା ବେଳେ ସେଠାରେ ବଂଟନ ଦାୟିତ୍ୱରେ ଥିବା କର୍ମଚାରୀ ମାନେ ପ୍ରଥମେ ସେମାନଙ୍କଠାରୁ ବାଇଓମେଟ୍ରିକ ମେସିନ୍ ରେ ଟିପ ଚିହ୍ନ ଲଗାଇବାକୁ କହିଥାନ୍ତି । ରାସନକାର୍ଡ ଧାରୀ ମାନେ ଟିପଚିହ୍ନ ଲଗାଇବା ପରେ ମେସିନ୍ ରେ ଲିଙ୍କ ଫେଲ ହୋଇଯାଇଥିବା କହି ସେମାନଙ୍କୁ ଖାଦ୍ୟ ସାମଗ୍ରୀ ନଦେଇ ଫେରେଇ ଦିଆଯାଇଥାଏ । ପରବର୍ତୀ ସମୟରେ ପୁଣି ସାମଗ୍ରୀ ଆଣିବାକୁ ଗଲେ ସେମାନଙ୍କୁ ଆଉ ଚାଉଳ ମିଳିବ ନାହିଁ ବୋଲି କୁହାଯାଇଥିଲା ଏହି ଭଳି ସେମାନଙ୍କୁ ଦୀର୍ଘ ୫ ମାସ ହେବ ଖାଦ୍ୟ ସାମଗ୍ରୀ ଦିଆଯାଉନଥିବା ନେଇ ମଙ୍ଗଳବାର ଯୋଡା ବ୍ଲକର ଯୋଗାଣ ନିରୀକ୍ଷକଙ୍କ କାର୍ଯାଳୟକୁ ଅଭିଯୋଗ ଜଣାଇବା ପାଇଁ ସେମାନେ ଆସିଥିଲେ । ସେହିପରି ଉକ୍ତ ଗ୍ରାମର ଶୋଭା ପାତ୍ର ଅଭିଯୋଗ କରିଛନ୍ତି ଯେ, ତାଙ୍କ ରାସନକାର୍ଡରେ ୪ ଜଣଙ୍କ ନାମ ଉଲ୍ଲେଖ ଥାଇ ୪ ଜଣ ସଦସ୍ୟଙ୍କ ନାମରେ ସାମଗ୍ରୀ ଉଠାଉଥିଲେ । ପରବର୍ତିୀ ସମୟରେ କାର୍ଡରେ ପରିବାରର ଆଉ ୨ ଜଣ ସଦସ୍ୟଙ୍କର ନାମ ଯୋଡିବା ପରେ ୬ ଜଣଙ୍କ ନାମରେ ନୂତନ କାର୍ଡ ତାଙ୍କୁ ଦିଆଗଲା । ତେବେ ଏହି ନୂତନ କାର୍ଡ ମାଧ୍ୟମରେ ୬ ଜଣଙ୍କ ନାମରେ ସାମଗ୍ରୀ ଦିଆଯିବା ପରିବର୍ତେ ସାମଗ୍ରୀ ବଂଟନ ଦାୟିତ୍ୱରେ ଥିବା କର୍ମଚାରୀମାନେ ଉକ୍ତ ନୂତନ କାର୍ଡକୁ ନିଜ ପାଖରେ ରଖି ପୂର୍ବ ରାସନକାର୍ଡ ଅନୁଯାୟୀ ୪ ଜଣ ସଦସ୍ୟଙ୍କ ନାମରେ ସାମଗ୍ରୀ ଦେଉଛନ୍ତି । ଏ ସମ୍ପର୍କରେ ହିତାଧିକାରୀ ମହିଳା ଶୋଭା ପାତ୍ର ନୂତନ କାର୍ଡକୁ ଫେରାଇ ଦେବା ପାଇଁ ଓ ନୂତନ କାର୍ଡ ଅନୁସାରେ ୬ ଜଣଙ୍କ ନାମରେ ସାମଗ୍ରୀ ଦେବା ପାଇଁ ଅତି ବିକଳ ହୋଇ ବହୁ କାକୁତି ମିନତି କରିଥିଲେ ହେଁ , ତାଙ୍କ ନୂତନ ରାସନକାର୍ଡକୁ ଉକ୍ତ କର୍ମଚାରୀମାନେ ଫେରାଇ ନଥିଲେ କି ରାସନ ସାମଗ୍ରୀ ମଧ୍ୟ ଦେଇନଥିବା ମହିଳା ଶୋଭା ପାତ୍ର ବ୍ଲକରେ ଖବରଦାତାଙ୍କ ଆଗରେ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ବାଲାଗୋଡା ଗ୍ରାମପନଚାୟତର ଜିଆରଏସ ପ୍ରିୟବ୍ରତ ବାରିକ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ସାଧାରଣ ବଣ୍ଟନ ଦାୟିତ୍ୱ ଗ୍ରାମପଂଚାୟତର ନିର୍ବାହୀ ଅଧିକାରୀଙ୍କ ନାମରେ ରହିଛି । ହେଲେ ଏହାର ବଂଟନ ଦାୟିତ୍ୱ ସେ ନେଇଛନ୍ତି । ଉକ୍ତ ଅଭିଯୋଗ ସମ୍ପର୍କରେ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ସହ କଥାବାର୍ତା ହେବା ପାଇଁ ସେ କହିଥିଲେ । ଏ ସମ୍ପର୍କରେ ଗ୍ରାମପନଚାୟତ ନିର୍ବାହୀ ଅଧିକାରୀ ପୁରୁଷୋତମ ସାହୁ ଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଉକ୍ତ ଅଭିଯୋଗ ଭିତିହୀନ । ଏପରି କୌଣସି କାରବାର ହେଉନଥିବା କହିବା ସହିତ ଫିଙ୍ଗରପ୍ରିଣ୍ଟ ଦେବା ପରେ ଯେଉଁ ଗରିବ ହିତାଧିକାରୀମାନେ ଚାଉଳ, ଗହମ ନେଇ ଟଙ୍କା ଅଭାବରୁ କିରୋସିନ୍ ନେଇନଥାନ୍ତି , ସେମାନଙ୍କର କିରୋସିନ୍ କୁ ଅନ୍ୟ ଲୋକମାନେ ପଇସା ଦେଇ ନେଇଥାନ୍ତି ବୋଲି ସ୍ୱୀକାର କରିଥିଲେ । ତେବେ ପରୋକ୍ଷରେ ଗରିବ ଲୋକଙ୍କୁ କିଛି ପଇସା ଦେଇ ସେମାନଙ୍କର ଫିଙ୍ଗରପିଣ୍ଟ ନେଇ ଚାଉଳ , ଗହମ ଏବଂ କିରୋସିନ୍ କୁ କଳାବଜାରୀ କରାଯାଉଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଯୋଡା ଯୋଗାଣ ନିରୀକ୍ଷକ ଦାୟିତ୍ୱରେ ଥିବା ଚମ୍ପୁଆ ଯୋଗାଣ ନିରୀକ୍ଷକ ଜିତରାଏ ଟୁଡୁଙ୍କୁ ଫୋନ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ ଉଠାଇନଥିଲେ ଏବଂ ତାଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇପାରିନି ।


