ତାଲାଭାଙ୍ଗି ପଶିଲେ ଚୋର ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଦିନକୁ ଦିନ ଚୋରୀହାରୀ ବୃଦ୍ଧିପାଇଥିବାର ଜଣାପଡିଛି । ବିଶେଷ କରି ଚୋର ତଥା ଦୁର୍ବୁତ୍ତମାନେ ତାଲା ପଡିଥିବା ଘରକୁ ଟାର୍ଗେଟ କରି ଚୋରି କରୁଥିବାର ନଜିର ହେଉଛି । ଗତ କିଛି ମାସ ପୂର୍ବେ ବିଶ୍ୱନାଥ ନଗରରେ ହୋଇଥଇବା ଚୋରୀଘଟଣାର ପର୍ଦାଫାସ ହୋଇ ନଥିବା ବେଳେ ବିଳମ୍ବିତ ସନ୍ଧ୍ୟାରେ ପୁଣି ଶ୍ୟାମ ନଗର ଅଞ୍ଚଳରେ ଜଣେ ବ୍ୟକ୍ତି କାମରେ ବାହାରକୁ ଯାଇ ଥିବା ବେଳେ ଘରେ ତାଲା ପକାଇ ଯାଇଥିଲେ । ଏହାର ସୁଯୋଗ ଉଣ୍ଡି ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ସମେତ ନଗଦ ୭୨ହଜାର ଟଙ୍କା ଚୋରି କରି ପଳାଇଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ସୁବାଷ ନଗର ନିକଟସ୍ଥ ଶ୍ୟାମ ନଗରର ପ୍ରକାଶ ଚୌଧୁରୀ କୌଣସି କାମରେ ବାହାରକୁ ଯାଇଥିବା ବେଳେ ଏହାର ସୁଯୋଗ ଉଣ୍ଡି ଦୁର୍ବୃତମାନେ ତାଲା ଭାଙ୍ଗି ସୁନାଗହଣା, ଟଙ୍କା ସହ ମୂଲ୍ୟବାନ ଇଲେଟ୍ରୋନିକ୍ସ ସାମଗ୍ରୀ ଲୁଟି ନେଇଥିବାର ଅଭିଯୋଗ ହୋଇଛି । ପରିବାର ଲୋକେ ଘରକୁ ଫେରିବା ପରେ ଆଲମାରିରେ ନଗଦ ୭୨ ହଜାର ଟଙ୍କା, ଏକ ଭରି ସୁନା ଓ ରୂପା ତଥା ଅଳଙ୍କାର ଓ ବିଭିନ୍ନ ଇଲେଟ୍ରୋନିକ୍ସ ସାମଗ୍ରୀ ଚୋରି ହୋଇଥିବାର ଜାଣିବାକୁ ପାଇଥିଲେ । ଘଟଣା ସମ୍ପର୍କରେ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଅଭିଯୋଗ ହେବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


