ସଂଯୁକ୍ତ କିସାନ ମୋର୍ଚ୍ଚା ପକ୍ଷରୁ ‘ଅଗ୍ନିପଥ’କୁ ବିରୋଧ

ବାଲେଶ୍ୱର, (ସରୋଜ ପଣ୍ଡା) :-କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଏକ ପ୍ରତିବାଦ ସଭା ସ୍ଥାନୀୟ ଫାଣ୍ଡିଛକ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ପ୍ରତିରକ୍ଷା ବିଭାଗର ସୈନ୍ୟବାହିନୀରେ ସ୍ଥାୟୀ ନିଯୁକ୍ତି ନଦେଇ ୪ବର୍ଷିଆ ଠିକା ନିଯୁକ୍ତି ବ୍ୟବସ୍ଥାକୁ ମୋର୍ଚ୍ଚା ତରଫରୁ ଦୃଢ଼ ବିରୋଧ କରାଯାଇଛି । ଏହି ଠିକା ନିଯୁକ୍ତି ଯୁବକମାନଙ୍କ ମନୋବଳ ଓ ସ୍ପୃହାକୁ ହ୍ରାସ କରିବ । ଠିକା ନିଯୁକ୍ତିରୁ ଚାକିରି ହରାଇବା ପରେ ସେମାନଙ୍କ ପାଇଁ ପେନସନ୍ ଯୋଜନା ନଥିବାରୁ ଏକ ସମାନ୍ତରାଳ ବାହିନୀ ଦେଶରେ ସୃଷ୍ଟି ହେବ । ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ବୈତରଣୀ ପାରି ହେବାପାଇଁ ମୋଦୀ ସରକାର ଦେଶର ଯୁବବର୍ଗଙ୍କୁ ଲଲିପପ୍ ଦେଇ ଭଣ୍ଡାଇବାକୁ ଉଦ୍ୟମ କରୁଛନ୍ତି ବୋଲି ଏହି ସଭାରେ ବକ୍ତାମାନେ ପ୍ରକାଶ କରିଥିଲେ । ଉକ୍ତ ଯୋଜନା ପ୍ରଣୟନ ପୂର୍ବରୁ ଜାତୀୟ ସ୍ତରରେ ଆଲୋଚନା କିମ୍ବା ତର୍ଜମା କରାନଯାଇ ଏକତରଫା ଭାବେ କେନ୍ଦ୍ରସରକାରଙ୍କ ଏହି ନିଷ୍ପତ୍ତିକୁ କସାନ ମୋର୍ଚ୍ଚା ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି । କଳା କୃଷି ଆଇନ ପ୍ରତ୍ୟାହାର ଭଳି କେନ୍ଦ୍ର ସରକାର ଏହି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରି ପ୍ରତିରକ୍ଷା ବିଭାଗରେ ଠିକାନିଯୁକ୍ତି ବ୍ୟବସ୍ଥା ବନ୍ଦପାଇଁ ସେମାନେ ଦାବି କରିଥିଲେ । ଆନ୍ଦୋଳନକାରୀ ଯୁବବର୍ଗ ଦେଶର ଜାତୀୟ ସମ୍ପତ୍ତି ନଷ୍ଟ ନ କରି ଗଣତାନ୍ତ୍ରିକ ପଦ୍ଧତିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ବକ୍ତାମାନେ ଆହ୍ୱାନ ଦେଇଥିଲେ । ସଂଯୁକ୍ତ କିସାନ ମୋର୍ଚ୍ଚାର ଅନ୍ୟତମ ଆବାହକ ଗୌରାଙ୍ଗ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ କୃଷକନେତା ପ୍ରେମରଞ୍ଜନ ପାତ୍ର, ଶ୍ରମିକ ନେତା ରାଜକିଶୋର ଲେଙ୍କା, ପୂର୍ବତନ ସରପଞ୍ଚ ଷ୍ଟାଲିନ୍ ମିଶ୍ର, ଶ୍ରମିକନେତା ସର୍ବେଶ୍ୱର ମିଶ୍ର, ଆଇନଜୀବୀ ନିରଞ୍ଜନ ପରିଡ଼ା, ନାରୀନେତ୍ରୀ ବନ୍ଦନା ପାତ୍ର, ଲକ୍ଷ୍ମୀଧର ଗିରି ଓ ଯତୀନ୍ଦ୍ର ମହାନ୍ତି ପ୍ରମୁଖ ଏଥିରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ ଏହି ସଭାରେ ଭରତ ଚନ୍ଦ୍ର ସେଠୀ, ଶରତ ଚନ୍ଦ୍ର ଦଳାଇ, ଯତୀନ୍ ପାତ୍ର, ପରମେଶ୍ୱର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶ୍ୟାମସୁନ୍ଦର ଜେନା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ