ଶିକ୍ଷକଙ୍କ ମାଡରେ ଛାତ୍ର ଲହୁଲୁହାଣ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ହିଞ୍ଜିଳିକାଟୁ ବ୍ଲକ ବଳରାମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକ ବୁଧବାର ଅପରାହ୍ଣ ସମୟରେ ୩ ଜଣ ଛାତ୍ରଙ୍କୁ ପ୍ରବଳ ପିଟିଛନ୍ତି। ସାମାନ୍ୟ ବିଶୃଙ୍ଖଳା ସୃଷ୍ଟି ପାଇଁ ଶିକ୍ଷକ ଜଣକ ଉତ୍ତ୍ୟକ୍ତ ହୋଇ ବାଡ଼ି ଧରି ୩ ଛାତ୍ରଙ୍କୁ ନିର୍ଘାତ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସରକାରୀ ନୀତି ନିୟମର ସୀମା ସରହଦ ଟପି ଶିକ୍ଷକ ଜଣକ ନିର୍ଦ୍ଦୟ ଭାବେ ୩ ଛାତ୍ରଙ୍କୁ ରୋଳା ଫଟା ମାଡ଼ ମାରିଥିବା ଜଣାପଡ଼ିଛି।ଶିକ୍ଷକ ଜଣକ ହେଲେ ଅନୁପ କୁମାର ମହାନ୍ତି । ଶିକ୍ଷକଙ୍କ ଅମାନୁଷିକ ମାଡର ଶିକାର ହୋଇଥିବା ଛାତ୍ର ମାନେ ହେଲେ ସଂପୃକ୍ତ ବିଦ୍ୟାଳୟର ୮ମ ଶ୍ରେଣୀର ଛାତ୍ର ରାଜାରମ ଦାସ, ସନ୍ତୋଷ ଦାସ ଓ ସତ୍ୟବାନ ଗୌଡ଼।ସତ୍ୟବାନଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିବା ଦେଖିବାକୁ ମିଳିଛି । ବିଦ୍ୟାଳୟର ଗଣିତ ଓ ବିଜ୍ଞାନ ଶିକ୍ଷକ ଅନୁପଙ୍କ ରୋଳା ଫଟା ମାଡର ଚିହ୍ନ ସ୍ପଷ୍ଟ ବାରି ହୋଇ ପଡିଛି। ଶିକ୍ଷା ଅଧିକାର ଆଇନର ଖୋଲାଖୋଲି ଉଲ୍ଲଙ୍ଘନ କରି ଦଣ୍ଡ ଓ ଭେଦଭାବ ମୁକ୍ତ ଅଞ୍ଚଳକୁ ଶିକ୍ଷକ ଜଣକ ଦଣ୍ଡଯୁକ୍ତ ଅଞ୍ଚଳ କରି ସଭ୍ୟ ସମାଜକୁ ପରୋକ୍ଷରେ ବାର୍ତ୍ତା ଦେଇଥିବା ପରିବେଶ ଓ ପରିସ୍ଥିତିରୁ ଜଣାପଡିଛି । ମିଳିଥିବା ସୂଚନା ପ୍ରକାରେ ବୁଧବାର ଅପରାହ୍ନରେ କୌଣସି କାରଣଙ୍କୁ ନେଇ ଶିକ୍ଷକ ଅନୁପ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ରାଜାରମ, ସନ୍ତୋଷ ଓ ସତ୍ୟବାନଙ୍କୁ ନିର୍ଘାତ ମାଡ ମାରିଥିଲେ । ଶିକ୍ଷକଙ୍କ ଏଭଳି ନିର୍ଦ୍ଦୟ ମାଡରେ ସଂପୃକ୍ତ ଛାତ୍ରଙ୍କ ଶରୀରର ବିଭିନ୍ନ ସ୍ଥାନରେ ରୋଳା ଚିହ୍ନ ଦେଖି ସତ୍ୟବାନଙ୍କ ଜଣେ ସମ୍ପର୍କୀୟ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ । କିନ୍ତୁ ଶିକ୍ଷକ ଜଣକ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ସଫେଇ ଦେଇଥିଲେ।ଅନ୍ୟ ପକ୍ଷରେ ଶିକ୍ଷକ ଜଣକ ବିଭିନ୍ନ ସମୟରେ ଶିକ୍ଷାର୍ଥୀ ମାନଙ୍କୁ ଅରୁଚିକର ମନ୍ତବ୍ୟ ଓ ବ୍ୟବହାର ଅଶୋଭନୀୟ ବୋଲି ଜଣାପଡିଛି । ପରେ ଘଟଣା ସମ୍ପର୍କରେ ଶିକ୍ଷକଙ୍କ ସହ ଯୋଗାଯୋଗ କରା ଯାଇଥିଲା।କିନ୍ତୁ ଶିକ୍ଷକ ଜଣକ ବେଫିକର ଭାବେ ଘଟଣା ସମ୍ପର୍କରେ ବିଇଓଙ୍କ କାର୍ଯ୍ୟାଳୟରେ ଅଭିଯୋଗ କଲେ ଜାଣି ପାରିବେ ବୋଲି କହିଛନ୍ତି । ଏ ନେଇ ବିଇଓ ଏସ.ଗିରିଧର ଓ ସିଆରସିସି ସନାତନ ବେହେରାଙ୍କୁ ଅବଗତ କରା ଯାଇଥିଲା । ଏଭଳି ଏକ ସଙ୍ଗୀନ ଅଭିଯୋଗ ଉପରେ ଉଭୟ ଅଧିକାରୀ ବିଦ୍ୟାଳୟକୁ ଯାଇ ଅନୁସନ୍ଧାନ କରିବେ ବୋଲି କହିଥିଲେ। ଦୀର୍ଘ ୬ ବର୍ଷ ଧରି ସମ୍ପୃକ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଶିକ୍ଷକଙ୍କ ରାଜନୈତିକ ପତିଆରା ମଜବୁତ ଥିବା ଶୁଣିବାକୁ ମିଳୁଛି। ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ଫାଇଲ ତଳେ ଚାପି ଶିଥିଳ ହୋଇଯିବ ନା ଦୋଷୀ ଶିକ୍ଷକଙ୍କ ବିରୋଧରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହାହିଁ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।