କିନ୍ନରମାନଙ୍କ ନବୀନ ନିବାସ ଘେରାଉ : ସିବିଆଇ ତଦନ୍ତ ଦାବିକଲା କିନ୍ନର ମହାସଂଘ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ବିଜେଡ଼ିର ମହିଳା ଉପସଭାନେତ୍ରୀ ତଥା ‘ସଖା’ର ପୂର୍ବତନ ସଭାପତି ମୀରା ପରିଡ଼ା (ମାୟାଧର ପରିଡ଼ା)ଙ୍କୁ ଗିରଫ କରିବା ଦାବିରେ ଓଡ଼ିଶା କିନ୍ନର ଓ ତୃତୀୟଲିଙ୍ଗୀ ମହାସଂଘ ତରଫରୁ ନବୀନ ନିବାସ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୀରା ପରିଡ଼ା ଓ ସାଧନା ମିଶ୍ର ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହାଡ଼ପ କରିଥିବା ଅଭିଯୋଗ କରି ଓଡ଼ିଶାର ୩୦ଟି ଜିଲ୍ଲାରୁ ହଜାର ହଜାର କିନ୍ନର ମାଷ୍ଟର କ୍ୟାଣ୍ଟିନ ଛକରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ହାତରେ ପ୍ଲାକାର୍ଡ଼ ଧରି ମୀରା ପରିଡ଼ା, ସାଧନା ମିଶ୍ର, ମେଘନା ସାହୁ, କାଜଲ ନାୟକ, ସେନାଲି କିନ୍ନର ମୁର୍ଦ୍ଦମାଦ ନାରା ଦେଇ ନବୀନ ନିବାସରେ ଧସେଇ ପଶିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, କିନ୍ନରମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ୍ କରିବା ଓ ସେମାନଙ୍କ ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଯେଉଁ ଯୋଜନା ପ୍ରଣୟନ କରିଥିଲେ । ଏହାକୁ ମୀରା ପରିଡ଼ା ସଖା ଓ କୋଲକତାର ଏକ ଏନ୍‌ଜିଓ ସିଫାର ଏହିପରି ଦୁଇଟି ଏନ୍‌ଜିଓ ମାଧ୍ୟମରେ ଉକ୍ତ ଯୋଜନାରୁ ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହଡ଼ପ କରିଥିବା ଅଭିଯୋଗ ଆସିବା ପରେ, କିନ୍ନରମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ସେହିପରି ସଖା ଓଡ଼ିଶାର ୧୮ଟି ଜିଲ୍ଲାରୁ ଓ ସିଫାର ଦୁଇଟି ଜାଗାରୁ କିନ୍ନରମାନଙ୍କ ନାମରେ ଟଙ୍କା ଆଣି, ଖର୍ଚ୍ଚ ନକରି ସମସ୍ତ ଅର୍ଥକୁ ହରିଲୁଟ୍ କରିଛନ୍ତି । ଏତଦ୍‌ବ୍ୟତୀତ ଓଡ଼ିଶାରେ କିନ୍ନରମାନଙ୍କ ମଧ୍ୟରେ ଯେଉଁସବୁ ଗଣ୍ଡଗୋଳ ହେଉଛି ତାର ମୁଖ୍ୟ କାର୍ପେଟଦାର ମୀରା ପରିଡ଼ା, ସାଧନା ମିଶ୍ର, ମେଘନା ସାହୁ ବୋଲି ଅଭିଯୋଗ କିଛନ୍ତି । ଏହାପରେ ସୁଇଟି ସାହୁ, ମେନକା କିନ୍ନର, ଲିପ୍ସା, ସୌମ୍ୟା, ବର୍ଷା, ସୁଧା, ପୁନମ ଏକ ୭ ଜଣିଆ ପ୍ରତିନିଧି ଦଳ ଏସ୍‌ଏସ୍‌ପିଡ଼ି ନିର୍ଦ୍ଦେଶକ ଓ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବଙ୍କୁ ଭେଟି ୭ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ, କିନ୍ନର ମାନଙ୍କ ପାଇଁ ଉଦ୍ଦିଷ୍ଟ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରିଥିବା ‘ସଖା’ ଏନ୍‌ଜିଓକୁ ସିବିଆଇ ତଦନ୍ତ କରାଯାଉ, କିନ୍ନରମାନଙ୍କ ପାଇଁ ଉଦ୍ଦିଷ୍ଟ ଗାରିମା ଗୃହକୁ ଯେଉଁ ଯେଉଁ ସଂସ୍ଥା ନେଇଛନ୍ତି ସେହିସବୁ ସଂସ୍ଥାକୁ ସିବିଆଇ ତଦନ୍ତ ପରିସରଭୁକ୍ତ କରାଯାଉ, ସିଫାର୍ ଏନ୍‌ଜିଓକୁ ସିବିଆଇ ତଦନ୍ତ ପରିସରକୁ ଆଣାଯାଉ, କିନ୍ନର ବିରୋଧୀ ମୀରା ପରିଡ଼ା (ମାୟାଧର ପରିଡ଼ା), ସାଧନା ମିଶ୍ର, ମେଘନା ସାହୁ, ଯାଜପୁରର କାଜଲ କିନ୍ନର, ଭଦ୍ରକର ସୋନାଲି କିନ୍ନରଙ୍କୁ ସିବିଆଇ ପରିସରଭୁକ୍ତ କରାଯାଉ, ଭଦ୍ରକ ଜିଲ୍ଲାରେ ହୋଇଥିବା ଦୁଇଗୋଷ୍ଠୀ କିନ୍ନର ଗଣ୍ଡଗୋଳର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ କିନ୍ନରମାନଙ୍କୁ ମରଣାନ୍ତକ ଆକ୍ରମଣ କରିବା ଓ ତିନି ମହିଲା ଛାତରୁ ଠେଲି ରୁବି କିନ୍ନରଙ୍କୁ ଗୁରୁତର ଆହତ କରିଥିବା ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯାଉ, କିନ୍ନରମାନଙ୍କୁ ଥଇଥାନ କରିବା ନାମରେ ମୀରା ପରିଡ଼ା ଓଡ଼ିଶା ଖଦୀବୋର୍ଡ଼ରୁ ଆଣିଥିବା ୨୫ ଲକ୍ଷ ଟଙ୍କାର ସିବିଆଇ ତଦନ୍ତ କରାଯାଉ, ଭୁବନେଶ୍ୱର ମହାନଗର ନିଗମରୁ ସାଇକେଲ ଷ୍ଟାଣ୍ଡରୁ ଅର୍ଥ ଆଦାୟ କରିବା ପାଇଁ ଅନୁମତି ପାଇଥିବା କିନ୍ନର ଗୋଷ୍ଠୀମାନଙ୍କୁ ସିବିଆଇ ତଦନ୍ତଭୁକ୍ତ କରାଯାଉ । ମହାସଂଘର ସଭାପତି ସୁଇଟି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କିନ୍ନରମାନଙ୍କ ପ୍ରତିଷ୍ଠାତା ପ୍ରତାପ ସାହୁ ଯୋଗଦେଇ କିନ୍ନରମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମିଠି କିନ୍ନର, ସୋନମ କିନ୍ନର, ରାଧା ସ୍ୱାଇଁ, କାଜଲ କିନ୍ନର, ଲକି କିନ୍ନର, ଦେବକୀ କିନ୍ନର, ଦିବ୍ୟା କିନ୍ନର, ମଧୁ କିନ୍ନର, ପ୍ରାଚୀ କିନ୍ନର, ଶ୍ରାବଣୀ କିନ୍ନର, ଇତି କିନ୍ନର, ବିଷ୍ଣୁପ୍ରିୟା କିନ୍ନର, ମେହେନ୍ଦି କିନ୍ନର, ଚୁମୁକି କିନ୍ନର, ଲକ୍ଷ୍ମୀ କିନ୍ନର, ସାଗରିକ କିନ୍ନରଙ୍କ ସମେତ ଦୁଇ ହଜାରରୁ ଉର୍ଦ୍ଧ୍ୱ କିନ୍ନର ଯୋଗଦେଇ ମୀରା ପରିଡ଼ାଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ଯଦି ରାଜ୍ୟ ସରକାର ୭ ଦିନ ମଧ୍ୟରେ ଅଭିଯୁକ୍ତ ମାନଙ୍କୁ ତଦନ୍ତ କରି ଗିରଫ ନ କରନ୍ତି ତେବେ ମହାସଂଘ ତରଫରୁ ୧୦ ହଜାରରୁ ଉର୍ଦ୍ଧ୍ୱ କିନ୍ନର ନବୀନ ନିବାସ ଘେରାଉ କରିବେ ବୋଲି ଚେତାବନୀ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ