ପ୍ରଥମ ଥର ପାଇଁ ଶ୍ରୀ ଗରୂଡେଶ୍ୱର ଉଚ୍ଚ ବିଦ୍ୟାଳୟର ପାସ୍ ହାର ଶତ ପ୍ରତିଶତ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଗାଙ୍ଗପୁର ଥାନା ଅନ୍ତର୍ଗତ ଧରାକୋଟ ବ୍ଳକ୍ ଝାଡ଼ବନ୍ଧ ଗ୍ରାମରେ ଅବସ୍ଥିତ ଶ୍ରୀ ଗରୂଡେଶ୍ୱର ଉଚ୍ଚ ବିଦ୍ୟାଳୟର ଦଶମ ପରୀକ୍ଷା ଫଳ ଅଞ୍ଚଳ ରେ ଖୁସିର ଲହରୀ ଖେଳାଇ ଦେଇଛି I ଏହି ବିଦ୍ୟାଳୟଟି ଉପାନ୍ତ ଅଞ୍ଚଳରେ ଅବସ୍ଥିତ ହୋଇଥିବା ବେଳେ ସାଧରଣତଃ ଏଠାରେ ଗରୀବ ଆଦିବାସୀ ଶ୍ରେଣୀର ଅଧିକ ଛାତ୍ର ଛାତ୍ରୀ ପଢନ୍ତି I ଚଳିତ ବର୍ଷ ଏହି ବିଦ୍ୟାଳୟରୁ ମୋଟ 55 ଜଣ ଛାତ୍ରଛାତ୍ରୀ ଦଶମଶ୍ରେଣୀ ସାର୍ଟିଫିକେଟ ପରୀକ୍ଷା ଦେଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇପାରିଛନ୍ତି I ବିଦ୍ୟାଳୟର B1 ରେ ଦୁଇଜଣ ଏବଂ B2 ରେ 14 ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି I ପ୍ରଥମଥର ପାଇଁ ଏହି ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ଶତପ୍ରତିଶତ ସଫଳତା ହାସଲ କରିଥିବାରୁ ଛାତ୍ରଛାତ୍ରୀ, ଅଭିଭାବକ,ଶିକ୍ଷକଶିକ୍ଷୟିତ୍ରୀ ଏବଂ ବୁଦ୍ଧିଜୀବି ଖୁସି ବ୍ୟକ୍ତ କରିଛନ୍ତି I ସେହିପରି ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ଛାତ୍ରଛାତ୍ରୀଙ୍କ ପାସ୍ ହାର ଶତପ୍ରତିଶତ ରହିଛି I ଚଳିତ ବର୍ଷ ଏହି ବିଦ୍ୟାଳୟରେ ପରୀକ୍ଷା ଦେଇଥିବା ସମସ୍ତ 122 ଜଣ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ A2 ରେ ନଅ ଜଣ, B1 ରେ 45 ଜଣ ଏବଂ B2 ରେ 41 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି I ଅନୁରୂପ ଭାବେ ଗୋବରା ସ୍ଥିତ ବିଶ୍ୱଭାରତୀ ଆବାସିକ ବିଶ୍ୱ ବିଦ୍ୟାଳୟରେ ମଧ୍ୟ ପାସ୍ ହାର ଶତପ୍ରତିଶତ ରହିଥିବା ବେଳେ ଏହି ବିଦ୍ୟାଳୟର ପପୁନ୍ କୁମାର ସ୍ୱାଇଁ ସର୍ବାଧିକ 553 ନମ୍ବର୍ ରଖି A1 ଗ୍ରେଡ୍ ହାସଲ କରିଥିବା ଯୋଗୁଁ ପପୁନ୍ ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି I


