ଗାୟକ ବସନ୍ତ ରାଉତଙ୍କ ୬୬ତମ ଜୟନ୍ତୀ ଉତ୍ସବ

କୋଣାର୍କ, (ଜ୍ୟୋସ୍ନା ରାଣୀ ପ୍ରସାଦ) :- ‘ପାଲା’ କୌଣସି ଏକ ଶସ୍ତା ମନୋରଂଜନ ନୁହେଁ । ଓଡିଶାର ପରମ୍ପରା, ସଂସ୍କୃତି, ଭାଷା, ସାହିତ୍ୟ, ସଂଗୀତ ଓ ଆଧ୍ୟାତ୍ମିକ ଚିନ୍ତାଚେତନାର ପ୍ରଚାର ପ୍ରସାର କରୁଥିବା ‘ପାଲା’ ମର୍ଯ୍ୟାଦାସଂପନ୍ନ ମନୋରଂଜନ ମାଧ୍ୟମରେ ମଣିଷ ସମାଜକୁ ନୈତିକ ମୂଲ୍ୟବୋଧର ପାଠ ପଢାଇଥାଏ । ଦେବଭାଷା ସଂସ୍କୃତରେ ରଚିତ ଭାରତୀୟ ବାଙ୍‌ମୟର ଭଣ୍ଡାରକୁ ମାତୃଭାଷାରେ ତର୍ଜମା କରି ରସସିକ୍ତ ମନୋରଂଜନ ମାଧ୍ୟମରେ ପରିବେଷଣ କରିବାର କଳା ପାଲା ଗାୟକମାନଙ୍କୁ ସମାଜରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି ବୋଲି ବୁଧବାର ସ୍ଥାନୀୟ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଅର୍କମଣ୍ଡଳ ପାଲା ଗାୟକ ପରିଷଦ ପକ୍ଷରୁ ଗାୟକ ଆନନ୍ଦ ବସନ୍ତ କୁମାର ରାଉତଙ୍କ ୬୬ତମ ଜୟନ୍ତୀ ଉତ୍ସବ ପାଳନ ଅବସରରେ ବିଶିଷ୍ଟ ବିଦ୍ୱାନମାନେ ମତବ୍ୟକ୍ତ କରିଛନ୍ତି । ଅଖଣ୍ଡ ପୁରୀ ଜିଲ୍ଲା ପାଲା ଗାୟକ ପରିଷଦର ସଭାପତି ଗାୟକବ୍ୟାସ ଲକ୍ଷ୍ମୀଧର ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ପାଲା ଗାୟକ ପରିଷଦର ସଭାପତି ଗାୟକ ସିଦ୍ଧାନ୍ତଦର୍ଶୀ ମଦନମୋହନ ଜେନା, ଉପସଭାପତି ବିନାୟକ ରଥ, ନିର୍ଦ୍ଦେଶକ ଅମୀୟ କୁମାର ପଟ୍ଟନାୟକ, ଗାୟକ ସାରସ ସୁଦର୍ଶନ ମହାପାତ୍ର, ଗାୟକ ଅରୁଣ ଚକ୍ରଧର ବାରିକ, ଗାୟକ ବାଚସ୍ପତି ବନବିହାରୀ ଗ୍ରହାଚାର୍ଯ୍ୟ, କୋଣାର୍କ ସାହିତ୍ୟ ସଂସଦର ସଂପାଦକ ରବୀନ୍ଦ୍ରନାଥ ବାହିନୀପତି, ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ପ୍ରତାପ ରାଉତ, ଗାୟକ ଲଳିତ ଉପେନ୍ଦ୍ର ବେହେରା, ଗାୟକ ଚନ୍ଦନ ଉପେନ୍ଦ୍ର ସ୍ୱାଇଁ, ଗାୟକ ଅତିବଡି ମଙ୍ଗରାଜ ବିଶ୍ୱାଳ, ଜୟଚନ୍ଦ୍ର ବଡଦଳେଇ, ବଂଶୀଧର ଦାଶ, ତ୍ରିଲୋଚନ ନାୟକ, ବାଉରିବନ୍ଧୁ ସାହୁ, ସୁବଳ ବେହେରା, ପ୍ରଦ୍ୟୁମ୍ନ ପାତ୍ର, ଦଣ୍ଡପାଣି ବାରିକ, ଅର୍ଜ୍ଜୁନ ସାମନ୍ତରା ଓ ବସନ୍ତ ମଙ୍ଗରାଜ ଏକାଧାରରେ ଜଣେ ବିଶିଷ୍ଟ ଶିକ୍ଷାବିତ୍‌, ସାହିତ୍ୟିକ, ପାଲାଗାୟକ ଓ ସଂଗଠକରୂପେ ପରିଚିତ ଗାୟକ ଆନନ୍ଦ ବସନ୍ତ ରାଉତଙ୍କ ବହୁମୁଖୀ ପ୍ରତିଭାର ଗୁଣଗାନ କରିବା ସହିତ ତାଙ୍କର ନିରାମୟ ଦୀର୍ଘଜୀବନ କାମନା କରିଥିଲେ । ଗାୟକ ବ୍ୟାସ ଲକ୍ଷ୍ମୀଧର ଦାଶ ପାଲାକାରମାନଙ୍କୁ ସମସ୍ତ ପ୍ରକାର ନିଶାସେବନଠାରୁ ଦୂରରେ ରହି ଆଚରଣସିଦ୍ଧ ସଚ୍ଚରିତ୍ରବାନ ବ୍ୟକ୍ତିତ୍ୱରୂପେ ନିନ ନିଜକୁ ଜନମାନସରେ ଉପସ୍ଥାପିତ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ପାଲା ସଂସ୍କୃତିର ଅବକ୍ଷୟକୁ ନେଇ ବିଦ୍ୱାନମାନେ ଚିନ୍ତାବ୍ୟକ୍ତ କରିବା ସହିତ ଏହାର ହୃତଗୌରବକୁ ପୁନଃସ୍ଥାପିତ କରିବା ନିମନ୍ତେ ପାଲାକାରଙ୍କ ନୀତିନିଷ୍ଠ ଉଦ୍ୟମ ସଂପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ କୋଣାର୍କ ଅଂଚଳର ଶତାଧିକ ଶିକ୍ଷକ, ସାହିତ୍ୟିକ ଓ ପାଲାପ୍ରେମୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ