ବୁଦ୍ଧ ମନ୍ଦିରରେ ପ୍ରକଟ ଉତ୍ସବ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ହିମାଳୟ ପାଦ ଦେଶରେ ଥିବା ଦେଶ ନେପାଳ, ଭୁଟାନ ଓ ସିିକିମ୍ ଭଳି ରାଜ୍ୟରେ ଦ୍ୱିତୀୟ ବୁଦ୍ଧ ଭାବେ ପୂଜା ପାଉଥିବା ଗୁରୁ ପଦ୍ମସମ୍ଭବ ଯେ ଓଡ଼ିଶାରେ ଜନ୍ମ ନେଇଥିଲେ, ଏକଥା ଓଡ଼ିଶାବାସୀ ମଧ୍ୟ ଜାଣନ୍ତି ନାହିଁ । ଏ ବିଷୟରେ ଯଥେଷ୍ଟ ପ୍ରଚାର ଓ ପ୍ରସାରର ଆବଶ୍ୟକତା ରହିଛି ବୋଲି ବିଶିଷ୍ଟ ଐତିହାସିକମାନେ ମତବ୍ୟକ୍ତ କରିଛନ୍ତି । ମହାବୋଧି ସମିତି ଓଡ଼ିଶା ଶାଖା ପକ୍ଷରୁ ଶନିବାର ବୁଦ୍ଧମନ୍ଦିର ସଭାଗୃହରେ ଗୁରୁ ପଦ୍ମସମ୍ଭବଙ୍କ ଜନ୍ମୋତ୍ସବ ପ୍ରଥମଥର ପାଇଁ ସଭାପତି ଡଃ ବିମଳେନ୍ଦୁ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ବାଦର ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ଯେ, ଜନ୍ମଦିନ ପାଳନ କରିବା ହିନ୍ଦୁ ପରମ୍ପରାର ଏକ ଅଭିନ୍ନ ଅଙ୍ଗ । କିନ୍ତୁ ଆଜି ଆମେ ଯେଉଁ ମହାପୁରୁଷଙ୍କ ଜନ୍ମଦିନ ପାଳନ କରୁଛେ ସେ ଯେ ଓଡ଼ିଆ ଓ ସାରା ବିଶ୍ୱରେ ତାଙ୍କର ଖ୍ୟାତି ରହିଛି, ଏହା ଐତିହାସିକମାନଙ୍କ ଦ୍ୱାରା ଗୃହୀତ । ଏ ବିଷୟରେ ଓଡ଼ିଶାବାସୀଙ୍କୁ ଅବଗତ କରାଇବା ମହାବୋଧି ସମିତି, ଓଡ଼ିଶା ଶାଖାର ଏକ ପ୍ରମୁଖ କାର୍ଯ୍ୟ ହେବା ଦରକାର । ମୁଖ୍ୟବକ୍ତା ଭାବେ ଯୋଗଦେଇ ଐତିହାସିକ ପ୍ରବୀର କୁମାର ପଟ୍ଟନାୟକ ଏକ ଗବେଷଣାତ୍ମକ ପ୍ରବନ୍ଧ ପାଠ କରି ପଦ୍ମସମ୍ଭବଙ୍କ ଜନ୍ମ ବୃତ୍ତାନ୍ତ ଓ ବୌଦ୍ଧଧର୍ମର ପ୍ରଚାର ପ୍ରସାରରେ ତାଙ୍କର ମହନୀୟ ଅବଦାନ ବିଷୟରେ ଆଲୋକପାତ କରିଥିଲେ । ଗବେଷକ ଡଃ ଅସୀତ ମହାନ୍ତି ଦଲାଇଲାମାଙ୍କ ଦ୍ୱାରା ଦକ୍ଷିଣ ଓଡ଼ିଶାରେ ଗୁରୁ ପଦ୍ମସମ୍ଭବଙ୍କ ଦ୍ୱାରା ପ୍ରତିଷ୍ଠିତ ମହାବିହାର ବିଷୟରେ ଉଲ୍ଲେଖ କରି ମହାଯାନ ସିଦ୍ଧାନ୍ତ ଉପରେ କହିଥିଲେ । ପୂର୍ବତନ ପ୍ରଶାସକ ନରେନ୍ଦ୍ର କୁମାର ମିଶ୍ର ସୋନପୁର ସହର ସଲଗ୍ନରେ ଥିବା ଲଙ୍କେଶ୍ୱରୀ ମନ୍ଦିର ସହ ଗୁରୁ ପଦ୍ମସମ୍ଭବଙ୍କ ସମ୍ପର୍କର ଐତିହାସିକ ବ୍ୟାଖାନ କରିଥିଲେ । ଗବେଷକ ଅନୀଲ ଧୀର ଗୁରୁ ପଦ୍ମସମ୍ଭବ ଯେ ଓଡ଼ିଶାର ଏହାର ବହୁଳ ପ୍ରମାଣ ସମ୍ବଲପୁର ଗୁଢି ଅଞ୍ଚଳରେ ରହିଛନ୍ତି । ଗୁରୁ ପଦ୍ମସମ୍ଭବଙ୍କ ଉପରେ ବହୁ ପୁସ୍ତକ ଲେଖା ହୋଇଥିଲେ ମଧ୍ୟ ୨୦୧୨ ମସିହାରେ ଡଃ ବିମଳେନ୍ଦୁ ମହାନ୍ତିଙ୍କ ଇଂରାଜୀ ପୁସ୍ତକ ବିଶ୍ୱବାସୀଙ୍କ ଆଖି ଖୋଲି ଦେଇଥିବାରୁ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ସ୍ମୃତିଫଳକ ଓ ଉତ୍ତରୀୟ ଦେଇ ଡଃ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମହାବୋଧି ସମିତିର ରାଷ୍ଟ୍ରୀୟ ଉପସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ୱାଗତ ଭାଷଣ ଓ ଟ୍ରଷ୍ଟି ତଥା ସମ୍ପାଦକ ଡଃ ସୌରେନ୍ଦ୍ର କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ଶିକ୍ଷାବିତ ଡଃ ବଦ୍ରୀନାଥ ପଟ୍ଟନାୟକ, ଐତିହାସିକ ଡଃ ସୁରେନ୍ଦ୍ର ମହାରଣା, ସିଦ୍ଧାର୍ଥ ପଣ୍ଡା, କମଳ ଲୋଚନ ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ