୭ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟାଙ୍କ ଅଭିନବ ପ୍ରୟାସ : ଆମ ଗାଁ ଆମେ ଗଢିବା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ୭ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ମଧୁଛନ୍ଦା ମହାନ୍ତି ତାଙ୍କ ଜୋନ ଅନ୍ତର୍ଗତ ଗ୍ରାମଗୁଡିକର ସର୍ବାଙ୍ଗ ଉନ୍ନତି ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ତାହା ହେଉଛି ‘ଆମ ଗାଁ ଆମେ ଗଢିବା’ । ଏ ନେଇ ସେ ଓ କେନ୍ଦ୍ରାପଡ଼ା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି ଗାଁକୁ ଗାଁ ବୁଲି ଲୋକମାନଙ୍କ ପରିସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି । ଲୋକମାନେ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି କି ନାହିଁ । ଯଦି ସେଥିରୁ ବାଦ ପଡିଛନ୍ତି ତାହେଲେ ସଙ୍ଗେ ସଙ୍ଗେ ସେମାନଙ୍କ ଠାରୁ ଦରଖାସ୍ତ ଗ୍ରହଣ କରାଯାଇ କର୍ତ୍ତୃପକ୍ଷଙ୍କ ପାଖକୁ ପଠାଯାଉଛି । ସେହିଠାରେ ଲୋକଙ୍କ ସମସ୍ୟାର ସମାଧାନ କରାଯାଉଛି । ଠିକ ସେହିପରି କେଉଁ ଗାଁରେ ପାନୀୟ ଜଳ ସମସ୍ୟା ରହିଛି କି, ମହିଳା ସଶକ୍ତିକରଣ ଯୋଜନାରୁ କେହି ବାଦ ପଢିଛନ୍ତି କି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଆୟୁସ୍ମାନ ଭାରତ ଯୋଜନାର କାର୍ଡ ପ୍ରକୃତ ହିତାଧିକାରୀଙ୍କ ପାଖରେ ଅଛି କି ନାହିଁ କୃଷି ଓ ପଶୁ ପାଳନ ଯୋଜନାରେ ପ୍ରକୃତ ହିତାଧିକାରୀ ସାମିଲ ହୋଇଛନ୍ତି କି ନାହିଁ, ଗ୍ରାମାଞ୍ଚଳର ପିଲାମାନେ ଗୁଣାତ୍ମକ ଶିକ୍ଷା ପାଉଛନ୍ତି କି ନାହିଁ ସେ ସମ୍ପର୍କରେ ଲୋକଙ୍କ ଠାରୁ ଉଭୟ ପଚାରି ବୁଝୁଛନ୍ତି । ଲୋକଙ୍କ ସମସ୍ୟା ଶୁଣିବା ପରେ ତାହାକୁ ବିଭାଗୀୟ ଅଧକାରୀଙ୍କ ନିକଟରେ ପହଞ୍ଚାଇ ସେହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି । ଫଳରେ ବିଭାଗୀୟ ଅଧିକାରୀ ପ୍ରକୃତ ତଥ୍ୟ ପାଇ ପାରୁଛନ୍ତି । ଏହି କାର୍ଯ୍ୟ ରଥଯାତ୍ରା ଦିନ ଆରମ୍ଭ ହୋଇଛି । ଏହି ଜୋନ ଅଧିନରେ ଥିବା ବାରୋ, ଗାଙ୍ଗପଡ଼ା, ପଳସିଂହା, ସାନମାଣତିଆ, ଚନ୍ଦନପୁର ଓ କେଶପୁର ଗ୍ରାମଞ୍ଚାୟତରେ ଥିବା ପ୍ରତ୍ୟେକ ଗ୍ରାମ ଓ ପ୍ରତ୍ୟେକ ୱାର୍ଡରେ ଏଭଳି କାର୍ଯ୍ୟ କରାଯିବ ବୋଲି ଜିଲ୍ଲା ପରିଷଦ ସଭ୍ୟା ମଧୁଛନ୍ଦା ମହାନ୍ତି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ