ସଂସଦରେ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କଲେ ନିତେଶ ଗଙ୍ଗଦେବ
ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ ପଶ୍ଚିମ ଓଡ଼ିଶା ଚାଷୀ ଆନ୍ଦୋଳନ ପ୍ରସଙ୍ଗ ଉଠାଇଛନ୍ତି । କୃଷିବୀମା ଓ ଚାଷ ସମସ୍ୟା ବିଷୟରେ ସମ୍ବଲପୁର ସାଂସଦ ଶ୍ରୀ ଗଙ୍ଗଦେବ ଉତ୍ଥାପନ କରି କହିଥିଲେ ଯେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବହୁ ଅଞ୍ଚଳରେ ଖରିଫ ଫସଲ ନଷ୍ଟ ହୋଇଯାଇଛି । ନିୟମାନୁଯାୟୀ କ୍ଷତିଗ୍ରସ୍ତ ଚାଷୀ ବୀମା ରାଶି ପାଇବେ । ଫସଲ କ୍ଷୟକ୍ଷତି ବାବଦରେ ବୀମା ରିପୋର୍ଟକୁ କେନ୍ଦ୍ର ସରକାରଙ୍କ ନିକଟକୁ ନପଠାଇ ଓଡ଼ିଶାର ବିଜେଡି ସରକାର ମାସରୁ ଊର୍ଦ୍ଧ୍ୱ ସମୟ ଧରି ଚାପି ରଖିଥିଲେ । ଓଡ଼ିଶା ସରକାରଙ୍କ ଏଭଳି ଖାମଖିଆଲି ମନୋଭାବ ପ୍ରତି ଲୋକସଭାରେ ସାଂସଦ ଶ୍ରୀ ଗଙ୍ଗଦେବ ନିନ୍ଦା କରିଥିଲେ । ମାତ୍ର କିଛି ଦିନ ପୂର୍ବରୁ ଓଡ଼ିଶା ସରକାର କେନ୍ଦ୍ରକୁ ରିପୋର୍ଟ ପଠାଇଛନ୍ତି ବୋଲି ସମ୍ବଲପୁର ସାଂସଦ ଜଣାଇଥିଲେ । ଫସଲ କ୍ଷୟକ୍ଷତି ବାବଦରେ ସମ୍ବଲପୁର ଲୋକସଭା କ୍ଷେତ୍ରର ଚାଷୀଙ୍କୁ ତୁରନ୍ତ ବୀମା ରାଶି ପ୍ରଦାନ କରିବା ସହ ସ୍ୱାମୀନାଥନ କମିଟି ରିପୋର୍ଟ ଆଧାରରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନିଦ୍ଧାରଣ କରିବାକୁ ଲୋକସଭାରେ ସାଂସଦ ଶ୍ରୀ ଗଙ୍ଗଦେବ ଦାବୀ କରିଥିଲେ ।


