୩୮ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ  ସ୍କୁଲ ଘର ବର୍ଷେବି ଗଲାନି : ପିଲର ଦବିଲା, ବିଭିନ୍ନ ସ୍ଥାନରେ ଫାଟ

ହାଟଡିହି, (ବିକାଶ ବିଶ୍ୱାଳ) :-ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଉଥିବାବେଳେ ଉପଯୁକ୍ତ ତଦାରଖ ଅଭାବରୁ ନିମ୍ନମାନର କାମକରି ଠିକାଦାର ମାଲେମାଲ ହେଉଥିବା ବେଳେ କାର୍ଯ୍ୟ ଗୁଡିକର ମାନ ନିମ୍ନମାନର ହେଉଥିବା ଦେଖିବାକୁ ମିଳୁଛି । ହାଟଡିହି ବ୍ଲକରେ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅତି ନିମ୍ନମାନର ବୋଲି ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ମାନେ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି । ବିଶେଷକରି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅନୁଦାନରେ ନିର୍ମାଣ କରାଯାଉଥିବା କାର୍ଯ୍ୟ ଗୁଡିକ ଉପଯୁକ୍ତ ତଦାରଖ ଅଭାବରୁ ନିମ୍ନମାନର ହେଉଥିବା ଦେଖିବାକୁ ମିଳିଛି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଆମ୍ବୋ ପଞ୍ଚାୟତ ଶଙ୍ଗୋ ଧବଳେଶ୍ୱର ସ୍କୁଲରେ । ଏଠାରେ ଶ୍ରେଣୀଗୃହ ଅଭାବ ନେଇ ଗ୍ରାମବାସୀଙ୍କ ବାରମ୍ବାର ଦାବି ପ୍ରରେ ପ୍ରଶାସନ ପକ୍ଷରୁ ୩୮.୭ଲକ୍ଷ ଟଙ୍କା ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ଯୋଗାଇ ଦିଆଯାଇଥିଲା । ବ୍ଲକ ପକ୍ଷରୁ ଏହି କାର୍ଯ୍ୟର ଟେଣ୍ଡର କରାଯାଇ ୨୦୨୦/୨୧ ଆଥିକ ବର୍ଷରେ ୩୮.୭ଲକ୍ଷ ଟଙ୍କା ବ୍ୟୟରେ ଠିକାଦାର ଦୁଇଟି ଶ୍ରେଣୀଗୃହ, ସହିତ ସ୍କୁଲ ପାଚେରୀ ନିର୍ମାଣ କରିଥିଲେ । ଡିସେମ୍ବର ୨୦୨୧ରେ ମାନ୍ୟବର ଆନନ୍ଦପୁର ବିଧାୟକଙ୍କ ଦ୍ୱାରା ଏହାକୁ ଉଦ୍ଘାଟନ କରାଯାଇଥିଲା । ଏବେ ଏହି ଶ୍ରେଣୀଗୃହଟିର ଦୁଇଗୋଟି ପିଲର ଦବି ଯିବାରୁ ଶ୍ରେଣୀଗୃହର କାନ୍ଥ ଗୁଡିକରେ ଫାଟ ସୃଷ୍ଟି ହେଲାଣି । ପାଇଖାନା ଘରଟିର ବିମ ନିକଟରୁ ପ୍ଲାଷ୍ଟର ଖସିଲାଣି । ସେହିପରି ପାଚେରୀ କାନ୍ଥ ଗୁଡିକରେ ବିରାଟ ବିରାଟ ଫାଟସୃଷ୍ଟି ହେବାସହ କେତେବେଳେ ଯେ ଭାଙ୍ଗି ପଡିବ ତାର ଠିକ ଠିକଣା ନାହିଁ । ଠିକାଦାର କାମ କରିବା ସମୟରେ ବିଭାଗୀୟ ଯନ୍ତ୍ରୀ ମାନେ ରହୁ ନଥିବାରୁ ଏପରି ସମସ୍ୟା ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଯଦି ବର୍ଷେ ଭିତରେ ଶ୍ରେଣୀଗୃହ ଗୁଡିକର ଅବସ୍ଥା ଏପରି ହେଉଛି ତେବେ ଏହାର ସ୍ଥାୟିତ୍ୱ କେତେଦିନ ବୋଲି ଗ୍ରାମବାସୀମାନେ ପ୍ରଶ୍ନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ