ମିଳୁନି ଭତ୍ତା ଭୋକ ଉପାସରେ ଭିନ୍ନକ୍ଷମ ପ୍ରାଣକୃଷ୍ଣଙ୍କ ପରିବାର
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଓରାଳି ଗ୍ରାମର ପ୍ରାଣକୃଷ୍ଣ ଭୋଇ ନାମକ ଜଣେ ବ୍ୟକ୍ତି ତିନିବର୍ଷ ହେଲା ଘରେ ପଡି ରହିଥିବାବେଳେ ଭତ୍ତା କଣ୍ଡିଏ ପାଇପାରୁ ନଥିବାରୁ ପାଞ୍ଚ ପରାଣି କୁଟୁମ୍ବଙ୍କ ସହ ଭୋକ ଉପାସରେ ଦିନ କାଟୁଥିବା ଦେଖିବାକୁ ମିଳିଛି । ପ୍ରାଣକୃଷ୍ଣ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାବେଳେ ପରିବାର ଟି ତାଙ୍କ ଉପରେ ହିଁ ନିର୍ଭରଶୀଳ ଥିଲା । ତିନିବର୍ଷ ପୁର୍ବେ ସେ ନଡିଆ ଗଛରୁ ବାହୁଙ୍ଗା ହାଣୁଥିବାବେଳେ ଗଛରୁ ଖସିପଡିବାରୁ ତାଙ୍କ କଙ୍କାଳ ଭାଙ୍ଗଯିବା ସହ ଗୋଡ ଦୁଇଟି ଅକର୍ମଣ୍ୟ ହୋଇଗଲା । ଅର୍ଥାଭାବ ଯୋଗୁଁ ଉପଯୁକ୍ତ ଚିକିତ୍ସା କରିନପାରିବାରୁ ସେ ଘରେ ପଙ୍ଗୁ ହୋଇ ରହିଗଲେ । ତାଙ୍କୁ ପରିବାର ଲୋକେ ଟେକି ଟେକି ବାହାରକୁ ଆଣି ଶୌଚ କରାଉଛନ୍ତି । ତାଙ୍କ ଚିକିତ୍ସା ପାଇଁ ଅନେକ କାକୁତି ମିନତୀ ହୋଇଥିଲେ ବି ପ୍ରଶାସନ ସହଯୋଗର ହାତ ବଢ଼ାଇ ନାହିଁ ବୋଲି ପ୍ରାଣକୃଷ୍ଣ କହିଛନ୍ତି । ଏପରି ଅବସ୍ଥାରେ କେବଳ ପିଡିଏସ ଚାଉଳ ଗଣ୍ଡିକ ତାଙ୍କ ପାଇଁ ସାହାରା ପାଲଟିଛି । ଘର ଖଣ୍ଡିଏ ନଥିବାରୁ ଭଙ୍ଗା ଦଦରା ଚାଳଘରେ ପାଞ୍ଚ ପରାଣି କୁଟୁମ୍ବ ପଡି ରହିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।


