ଭିଜିଲାନ୍ସ ପଞ୍ଝାରେ ତହସିଲ କର୍ମଚାରୀ : ୧୦ ହଜାର ଟଙ୍କା ଜବତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ଦୀର୍ଘ ବର୍ଷ ପରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ତହସିଲ କାର୍ଯ୍ୟାଳୟରେ ଶୁକ୍ରବାର ପଶିଛି ରାଜ୍ୟ ଭିଜିଲାନ୍ସ ବିଭାଗର ବ୍ରହ୍ମପୁର ଟିମ୍ । ହିଞ୍ଜିଳିକାଟୁ ତହସିଲ କାର୍ଯ୍ୟାଳୟର ଜଣେ ବରିଷ୍ଠ ରାଜସ୍ୱ ସହାୟକଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଟିମ୍ ମାଡି ବସିଛି । ସଂପୃକ୍ତ କର୍ମଚାରୀଙ୍କ ଠାରୁ ରାସାୟନିକ ରଙ୍ଗବୋଳା ୧୦ ହଜାର ଟଙ୍କା ଜବତ କରିଛି । ଜମିପଟ୍ଟା କରାଇଦେବା ପାଇଁ ଜଣେ ଅଭିଯୋଗ କାରୀଙ୍କ ଠାରୁ ଲାଞ୍ଚ ବାବଦକୁ ଟଙ୍କା କାରବାର ବେଳେ ଭିଜିଲାନ୍ସ ଟିମ୍ ରେଡ୍ କରିଛି । ଭିଜିଲାନ୍ସ ହାବୁଡରେ ପଡିଥିବା କର୍ମଚାରୀ ଜଣଙ୍କ ହେଲେ ବରିଷ୍ଠ ରାଜସ୍ୱ ସହାୟକ ଏନ. ଜଗଦିଶ ରାଓ । ଭିଜିଲାନ୍ସ ବିଭାଗ ସୂଚନାନୁଯାୟୀ, ହିଞ୍ଜିଳିକାଟୁ ତହସିଲ ଅଞ୍ଚଳର ଜେିନିକ ଅବସରପ୍ରାପ୍ତ ସିଆପିଏଫ କର୍ମଚାରୀଙ୍କ ଜମି ପଟ୍ଟା କରାଇଦେବା ପାଇଁ ବରିଷ୍ଠ ରାଜସ୍ୱ ସହାୟକ ରାଓ ୧୦ ହଜାର ଟଙ୍କା ଉତ୍କୋଚ ଦାବି କରିଥିଲେ । ଏ ନେଇ ଅଭିଯୋଗକାରୀ ଅବସରପ୍ରାପ୍ତ ସିଆପିଏଫ କର୍ମଚାରୀ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ଗତ ପ୍ରାୟ ୫ ଦିନ ଧରି ଭିଜିଲାନ୍ସ କର୍ମଚାରୀ ତହସିଲ କାର୍ଯ୍ୟାଳୟ ପରିସରରେ ଛକି ରହିଥିଲେ । ଶୁକ୍ରବାର ଅପରାହ୍ନ ପ୍ରାୟ ୨ ଟା ୪୫ରେ ଶ୍ରୀ ରାଓ ଲାଞ୍ଚ ଟଙ୍କା ଗ୍ରହଣ କରିବା ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ କାବୁ କରିଥିଲେ । ତାଙ୍କ ନିକଟରୁ ଭିଜିଲାନ୍ସ ଟିମ୍ ରାସାୟନିକ ପ୍ରଲେପ ବୋଳା ୧୦ ହଜାର ଟଙ୍କା ଜବତ କରିଥିଲେ । ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ କେଶ ନଂ- ୧୧/୨୨ ଧାରା ୭ପିସି, ୨୦୧୮ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା କାର୍ଯ୍ୟାଳୟ ସୁତ୍ରରୁ ସୂଚନା ମିଳିଛି । ଚଢାଉ ବେଳେ ଅତିରିକ୍ତ ଭିଜିଲାନ୍ସ ଏସପି ହେନେରୀ କୁଲୁ, ଇନିସପେକ୍ଟର ଆରକେ ନାୟକ, ପିସି ପ୍ରଧାନଙ୍କ ସମେତ ୧୦ ଜଣିଆ କର୍ମଚାରୀ ସାମିଲ ଥିଲେ । ବହୁ ବର୍ଷ ପରେ ପ୍ରଥମ ଥର ପାଇଁ ହିଞ୍ଜିଳିକାଟୁ ସହରରେ ଭିଜିଲାନ୍ସ ଟିମ୍ ମୁହଁ ପୁରାଇଛି । ବିଭିନ୍ନ ବିଭାଗରେ ଉନ୍ନୟନ ପ୍ରକଳ୍ପ ଗୁଡିକରେ ଖୁଲମଖୁଲା ଦୁର୍ନିତିର ଚେର ଲମ୍ବି ଚାଲିଥିବା ବେଳେ ଅଦ୍ୟାବଧି ଅଭିଯୋଗ ପ୍ରକାରେ ଭିଜିଲାନ୍ସ ଟିମ୍ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକରେ ହାତଗୁଞ୍ଜା ଏବେ ତଳିଆ କର୍ମଚାରୀ ମାନଙ୍କ ପାଇଁ ମୁଖ୍ୟ ଆୟ ପାଲଟିଥିବା ଅଭିଯୋଗ ହେଉଛି । ମୂଳରୁ ଚୁଳ ପର୍ଯ୍ୟନ୍ତ ପ୍ରାୟ ସମସ୍ତଙ୍କ ସଂପୃକ୍ତି ରହୁଥିବା ଅଭିଯୋଗ ଉଠୁଥିବା ବେଳେ ଶୁକ୍ରବାରର ଚଢାଉ ଧର୍ମକୁ ଆଖି ଠାର ସଦୃଶ୍ୟ ହୋଇଛି । ଚଢାଉ ପରେ ହିଞ୍ଜିଳିକାଟୁ ଅଞ୍ଚଳର ବିଭିନ୍ନ ସରକାରୀ କାର୍ଯ୍ୟାଳୟ କର୍ମଚାରଙ୍କ ମନରେ କୋକୁଆ ଭୟ ସୃଷ୍ଠି ହୋଇଛି ।


