ଶିକ୍ଷକ ନିଯୁକ୍ତି ଦାବି କଲା ମାନବ ଅଧିକାର ସୁରକ୍ଷା ମଞ୍ଚ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ସଜାଡ଼ିବା ସହ ସରକାରୀ ସ୍କୁଲ ଗୁଡିକରେ ଆବଶ୍ୟକତା ଅନୁଯାୟୀ ଶିକ୍ଷକ ନିଯୁକ୍ତି ଦାବି କରିଛି ମାନବ ଅଧିକାର ସୁରକ୍ଷା ମଞ୍ଚ l ଗଞ୍ଜାମ ଜିଲ୍ଲାରେ ଶିକ୍ଷକଙ୍କ ଅଭାବ ଯୋଗୁଁ ଶିକ୍ଷା ଦାନ ପ୍ରକ୍ରିୟା ସମ୍ପୂର୍ଣ ଭାବେ ଧ୍ବଂସ ପାଇଛି l ବର୍ତମାନ ଜିଲ୍ଲାର କୌଣସି ସ୍କୁଲରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାଁନ୍ତି l ଅଧିକାଂଶ ସ୍କୁଲରେ ଜଣେ ଜଣେ ଶିକ୍ଷକଙ୍କ ଦାୟିତ୍ୱରେ ଶିକ୍ଷାଦାନ ଠୁ ଆରମ୍ଭ କରି ସ୍କୁଲର ସମସ୍ତ କାର୍ଯ୍ୟକଳାପ ମଧ୍ୟ ହସ୍ତାନ୍ତର କରାଯାଉଛି l ଏଣୁ ସାମଗ୍ରିକ ଭାବେ ସ୍କୁଲରେ ଯେଉଁ ଶିକ୍ଷାଦାନ ପ୍ରକ୍ରିୟାକୁ ଅଧିକ ଗୁରୁତ୍ୱ ଦେବା କଥା, ସେଥିପ୍ରତି ସରକାର ଚରମ ଅବହେଳା କରିଆସୁଛନ୍ତି l ଏହି କାରଣରୁ ଯେଉଁଠି ବିଦ୍ୟାର୍ଥୀ ଓ ଶିକ୍ଷକଙ୍କ ଅନୁପାତ 30:1 ରହିବା କଥା ତାହା କେବଳ କାଗଜ ପତ୍ରରେ ହିଁ ସୀମିତ ରହିଛି l ଅଧିକାଂଶ ସ୍କୁଲରେ ମାତ୍ରାଧିକ ଛାତ୍ର ଛାତ୍ରୀ ଙ୍କୁ ପାଠ ପଢ଼ାଇବା ଦୁରେଥାଉ, ଶୃଙ୍ଖଳାଗତ ନୀତି ନିୟମକୁ ମଧ୍ୟ ରକ୍ଷା କରାଯାଇପାରୁନାହିଁ l ଏଣୁ ସରକାର ଗୋଟିଏ ପକ୍ଷରେ ଶିକ୍ଷା ଅଧିକାର ସମ୍ବନ୍ଧୀୟ ଅନେକ ପ୍ରକାର ଭାଷଣ, ପ୍ରଚାର କରୁଥିବାବେଳେ ଅଘୋଷିତ ଭାବେ ଦୁଇ ପ୍ରକାର ଶିକ୍ଷା ପ୍ରଚଳନ କରୁଛନ୍ତି l ଧନୀକ ଶ୍ରେଣୀ ପାଇଁ ଟଙ୍କା ବଦଳରେ ସବୁ ସୁବିଧା ଥାଇ ଘରୋଇ ସ୍କୁଲ ଓ ଗରିବ ଶ୍ରେଣୀ ପାଇଁ ସବୁ ଦିଗରୁ ଅବହେଳିତ ସରକାରୀ ସ୍କୁଲ l ଏହି କାରଣରୁ ଅଧିକାଂଶ ଗରିବ ମଧ୍ୟବିତ୍ତ ଘରର ଅଭିଭାବକ ମାନେ ଧାର କରଜ କରି ସୁଦ୍ଧା ବିଭିନ୍ନ ଘରୋଇ ସ୍କୁଲରେ ପିଲାଙ୍କ ନାମ ଲେଖା ପାଇଁ ବାଧ୍ୟ ହେଉଛନ୍ତି l କିନ୍ତୁ ଏହାର ସୁଯୋଗ ନେଇ ସରକାର ସରକାରୀ ବିଦ୍ୟାଳୟରେ ପିଲାଙ୍କ କମ ଉପସ୍ଥାନ ବା ନାମଲେଖାକୁ ଦର୍ଶାଇ ହଜାର ହଜାର ସ୍କୁଲକୁ ସବୁଦିନ ପାଇଁ ବନ୍ଦ କରୁଛନ୍ତି l ଏଣୁ ଏହା ସିଧା ସଳଖ ଭାବେ ସରକାରଙ୍କ ଶିକ୍ଷା ମାରଣ ନୀତି ଅଟେ l ଅନ୍ୟ ପକ୍ଷରେ ଘରୋଇ ସ୍କୁଲରେ ଶିକ୍ଷା ଅଧିକାର ଆଇନ (ଆର.ଟି.ଇ)କୁ ମଧ୍ୟ ସଠିକ ଭାବେ କାର୍ଯ୍ୟକାରୀ ହୋଇପାରୁନି, ଏଣୁ ଏ ପ୍ରକାର ବିପର୍ଯ୍ୟସ୍ତ ପରିସ୍ଥିତିରେ ଶିକ୍ଷା ଭଳି ମୌଳିକ ଅଧିକାରକୁ ସୁରକ୍ଷିତ ରଖିବା ଏବଂ ଦେଶର ଭବିଷ୍ୟତକୁ ଗଢ଼ିତୋଳିବା ପାଇଁ ସରକାର ପ୍ରଚେଷ୍ଟା କରିବା ଉଚିତ l ଏହି ପରିପ୍ରେକ୍ଷୀରେ ପ୍ରମୁଖ ଦାବି ଗୁଡିକ ମଧ୍ୟରୁ ଛାତ୍ର ଓ ଶିକ୍ଷକଙ୍କ ଅନୁପାତ ସଂଖ୍ୟା 30:1କୁ ଆଧାର କରି ପ୍ରତ୍ୟେକ ସରକାରୀ ସ୍କୁଲରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ଦିଆଯିବା,ପ୍ରତ୍ୟେକ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷା ବର୍ଷ ଆରମ୍ଭରୁ ପାଠ୍ୟକ୍ରମ ଆରମ୍ଭ ବେଳେ ହିଁ ସମସ୍ତ ପାଠ୍ୟ ପୁସ୍ତକ ଯୋଗାଇଦିଆଯିବା, ଶିକ୍ଷା, ଶିକ୍ଷକ, ଶିକ୍ଷାନୁଷ୍ଠାନ ଓ ଛାତ୍ର ଛାତ୍ରୀ ଙ୍କ ବିଭିନ୍ନ ସମସ୍ୟା ଗୁଡିକୁ ସମାଧାନ ପାଇଁ ପ୍ରାଥମିକତା ଦିଆଯିବା,ସତେଜ ପୃଷ୍ଟିକର ରୁଚିକର ପରିଷ୍କାର ପରିଚ୍ଛନ୍ନତା ମଧ୍ୟରେ ମଧ୍ୟାହ୍ନ ଭୋଜନ ପରିବେଷଣ କରାଯିବା,ପ୍ରତ୍ୟେକ ସ୍କୁଲରେ ଛାତ୍ର ଛାତ୍ରୀଙ୍କ ନିମନ୍ତେ ଟଏଲେଟ ବ୍ୟବସ୍ଥା ସହ ଟଏଲଟ କୁ ନିୟମିତ ଭାବେ ସଫା ସୁତରା ଓ ସଂକ୍ରମଣ ମୁକ୍ତ ରଖିବା,ପ୍ରତ୍ୟେକ ସ୍କୁଲରେ ବିଶୁଦ୍ଧ ପାନୀୟ ଜଳ ର ବ୍ୟବସ୍ଥା କରିବା,ଗୁଣାତ୍ମକ ଶିକ୍ଷା ପଦ୍ଧତିକୁ ପ୍ରାଥମିକତା ଦେଇ ପାଠ୍ୟକ୍ରମରେ ମାନବିକତା, ସାମାଜିକ ଦାୟିତ୍ୱ ବଦ୍ଧତା, କର୍ତ୍ତବ୍ୟ ପରାୟଣାତା କୁ ଅଧିକ ଗୁରୁତ୍ୱ ଦିଆଯିବାସହ ଗଣତନ୍ତ୍ରର ମୂଳପିଣ୍ଡ ଧର୍ମ ନିରପେକ୍ଷତା, ଭାଇଚାରା ଓ ବୈଜ୍ଞାନିକ ଚିନ୍ତାଧାରାକୁ ଦୃଢ଼ୀଭୁତ କରିବା ପାଇଁ ପାଠ୍ୟକ୍ରମରେ ଅଂଶଭୁକ୍ତ କରାଯିବା ଆଦି 7ଦଫା ଦାବି ସମ୍ବିଳିତ ସ୍ମାରକ ପତ୍ର ଆଜି ଜିଲ୍ଲା ଶିକ୍ଷାଧିକାରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି l ସୂଚନା ଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ 655ଶିକ୍ଷକ ପଦବୀ ଖାଲିଥିବା ବେଳେ ବିଜ୍ଞାନ ଓ ଗଣିତରେ 258ଜଣ ଶିକ୍ଷକ ନାହାଁନ୍ତି ଓ ପ୍ରାଥମିକ ବିଦ୍ୟାଳୟରେ ବହୁ ଶିକ୍ଷକ ପଦବୀ ଖାଲି ପଡିଛି l ଏଣୁ ଏହି ସମ୍ବେଦନ ମୂଳକ ପ୍ରସଙ୍ଗରେ ସରକାର ଖୁବ ଶୀଘ୍ର ଶିକ୍ଷକ ନିଯୁକ୍ତି ଦେବା ଦରକାର l ଆଜି ମଞ୍ଚ ଆବାହକ ଅବନୀ ଗୟା,ପୂଜ୍ୟ ପୂଜା ସମିତି ସଭାପତି ବଂଶୀଧର ଭୂୟାଁ,ବରିଷ୍ଠ ସାମ୍ବାଦିକ ରବି ରଥ,ବିଜୟ ଚନ୍ଦ୍ର ବିଷୋୟୀ,ଏସ. ସlମ୍ବlଶିବା ରାଓ,ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ସଭାପତି ରାଜେନ୍ଦ୍ର ପଣ୍ଡା,କାମରାଜୂ ମହାରଣା,ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ମାଗୁଣି ନାହାକ, ହୃଷିକେଶ ପାତ୍ର, ଶିବ ସୁନ୍ଦର ରଥ,ସୁବାଷ ଚନ୍ଦ୍ର ମିଶ୍ର,ଆର. ସତ୍ୟ ନାରାୟଣ ରାଓ, ରବୀନ୍ଦ୍ର କୁମାର ନାୟକ, ବିରେନ କୁମାର ବେହେରା, ରାମ ଚନ୍ଦ୍ର ସାହାଣୀ ପ୍ରମୁଖ ଆଜିର ବିକ୍ଷୋଭରେ ଅଂଶ ଗ୍ରହଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ