ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା‘ଅରୁଣ ଦିବସ’

ବାଲେଶ୍ୱର, (ସରୋଜ ପଣ୍ଡା) : ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ ପକ୍ଷରୁ ଦିବଂଗତ ବିଧାୟକ ତଥା ଆସୋସିଏସନର ପ୍ରତିଷ୍ଠାତା ସଭାପତି ଅରୁଣ ଦେଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ‘ଅରୁଣ ଦିବସ’ ସ୍ଥାନୀୟ ଦୁର୍ଗା ଗାର୍ଡ଼େନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସୋସିଏସନର ସମ୍ପାଦକ ପ୍ରଦୀପ କୁମାର ଦାସ ଏଥିରେ ସଭାପତିତ୍ୱ କରିଥିଲେ । ସଂଘର ଉପଦେଷ୍ଟା ଲକ୍ଷ୍ମୀନାରାୟଣ ମହାନ୍ତି ଏଥିରେ ପ୍ରାକ ସୂଚନା ପ୍ରଦାନ କରିଥିଲେ । ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଏଥିରେ ଯୋଗଦେଇ ଦାଦାଙ୍କ ଅବର୍ତ୍ତମାନରେ କେବଳ ବାଲେଶ୍ୱର ନୁହେଁ, ବରଂ ସମଗ୍ର ଓଡ଼ିଶା ପାଇଁ ବଡ଼କ୍ଷତି ହୋଇଛି ବୋଲି କହିଥିଲେ । ଦଳମତ ନିର୍ବିଶେଷରେ ବିପଦରେ ପଡ଼ିଥିବା ବ୍ୟକ୍ତିଙ୍କୁ ସାହାଯ୍ୟ ସହଯୋଗ କରିବାକୁ ସେ ତିଳେ ହେଲେ କୁଣ୍ଠାବୋଧ କରୁନଥିଲେ । ଦାଦାଙ୍କ ଭଳି ଜଣେ ବିଜ୍ଞ ରାଜନୀତିଜ୍ଞଙ୍କୁ ବାଲେଶ୍ୱର ମାଟି ସବୁବେଳେ ମନେ ପକାଇବ ବୋଲି ଶୀ ଜେନା କହିଥିଲେ । ସ୍ୱର୍ଗତ ଦେଙ୍କ ଭଉଣୀ ପ୍ରଫେସର ବାସନ୍ତୀ ଚକ୍ରବର୍ତ୍ତୀ ଏଥିରେ ଯୋଗଦେଇ ଦାଦାଙ୍କ ପାଇଁ ବାଲେଶ୍ୱରବାସୀଙ୍କ ମଧ୍ୟରେ ପରିଲକ୍ଷିତ ଉତ୍ସାହ ଓ ବ୍ୟଗ୍ରତା ତାଙ୍କୁ ଅଭିଭୁତ କରିଥିବା କହିଥିଲେ । ସଦର ବିଧାୟକ ସ୍ୱରୂପ ଦାସ, ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ଓ ପ୍ରଦୀପ୍ତ ପଣ୍ଡା, ଶ୍ରମିକ ନେତା ଜୟନ୍ତ ଦାସ, ପୂର୍ବତନ ପୌରାଧ୍ୟକ୍ଷ ଆଲୋକ କୁମାର ସାହୁ, ରଂଜନ ବାଗ, ବିଶ୍ୱଜିତ ମହାପାତ୍ର, ଗୋପୀନାଥ ସେନାପତି ପ୍ରମୁଖ ଏଥିରେ ଯୋଗଦେଇ ସ୍ୱର୍ଗତ ଦେଙ୍କ ଜୀବନାଦର୍ଶ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ । ଜଣେ ଆଦର୍ଶବାଦୀ ନେତା ଭାବେ ଅରୁଣ ଦେ ସମସ୍ତଙ୍କଠାରୁ ଆଗରେ ଥିଲେ । ସଂକୀର୍ଣ୍ଣତାରୁ ଊର୍ଦ୍ଧ୍ୱରେ ରହି ଗରିବ, ଖଟିଖିଆ ମେହେନତି ମଣିଷ ତଥା ସାଧାରଣ ଜନତାଙ୍କ ଉନ୍ନତି ପାଇଁ ସେ ସବବେଳେ କାର୍ଯ୍ୟ କରିଆସୁଥିଲେ । ଏବେକାର ନେତାଙ୍କଠାରେ ସେଭଳି ଦକ୍ଷତା ପରିଲକ୍ଷିତ ହେଉନାହିଁ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ତାଙ୍କର ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ଦିବଂଗତ ଆତ୍ମା ପ୍ରତି ସମସ୍ତେ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ । ପ୍ରତିବର୍ଷ ଅଗଷ୍ଟ୨ ତାରିଖକୁ ଅରୁଣ ଦିବସ ଭାବେ ପାଳନ କରାଯିବ ବୋଲି ବାଲେଶ୍ୱର ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ କର୍ମକର୍ତ୍ତାମାନେ ଏହି ଅବସରରେ ଘୋଷଣା କରିଥିଲେ । ଆସୋସିଏସନର ଯୁଗ୍ମ ସମ୍ପାଦକ ସୌମ୍ୟରଞ୍ଜନ ଯାଦବ, ଅଂଶୁଜିତ ପଣ୍ଡା, ପ୍ରିୟବ୍ରତ ସାହୁ ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ସିମୁଳିଆଠାରୁ ଜଳେଶ୍ୱର ପର୍ଯ୍ୟନ୍ତ ଜିଲାର ୧୧୨ଗୋଟି ପେଟ୍ରୋଲ ପମ୍ପର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ