ଭଣ୍ଡାରିପୋଖରୀରେ ସ୍ଥାଣୁ ପାଲଟିଛି ଉଠା ଜଳସେଚନ ବିଭାଗ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):କୃଷି କ୍ଷେତ୍ରର ସର୍ବାଙ୍ଗୀନ ଉନ୍ନତି ପାଇଁ କେନ୍ଦ୍ର ଠାରୁ ରାଜ୍ୟ ସରକାରଙ୍କ ଯାଏଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରୁଛନ୍ତି। ମୁଖ୍ୟତଃ କୃଷିଜାତ ଦ୍ରବ୍ୟର ଅଭିବୃଦ୍ଧି ପାଇଁ ଜଳ ଅପରିହାର୍ଯ୍ୟ ହୋଇପଡିଥିବା ବେଳେ ଏଦିଗରେ ଉନ୍ନତିକରଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କେଉଁଭଳି କୃଷକ ମାନେ ସମ୍ପୂର୍ଣ୍ଣ ଜଳସେଚନ ଜମିରେ ଚାଷକରି ଫସଲ ଅଭିବୃଦ୍ଧି ହାରକୁ ବଢାଇ ପାରିବେ ସେଥିପ୍ରତି ସରକାର ଯତ୍ନବାନ ହେବା ସହିତ ବିଭିନ୍ନ ବିଭାଗ ଜରିଆରେ ଅର୍ଥ ବ୍ୟୟ କରୁଛନ୍ତି। ବିଶେଷ କରି ଜଳସମ୍ପଦ ବିଭାଗ ଜରିଆରେ ଚାଷଜମିରେ ଜଳ ସୁପରିଚାଳନା ପାଇଁ କେନାଲ ବ୍ୟବସ୍ଥା ଥିବା ବେଳେ ଅନେକ କ୍ଷେତ୍ରରେ ଉଠା ଜଳସେଚନ ବିଭାଗକୁ ମଧ୍ୟ କାର୍ଯ୍ୟକ୍ଷମ କରାଯାଉଛି। ଯଦି ବର୍ଷା ଜନିତ କାରଣରୁ କେନାଲ ଜଳ ସୁପରିଚାଳନା ହୋଇନପାରିବ ତାହେଲେ ସେ କ୍ଷେତ୍ରରେ ଉଠା ଜଳସେଚନ ପ୍ରକଳ୍ପ ଦ୍ବାରା ଚାଷୀ ମାନଙ୍କୁ ଯଥା ସମ୍ଭବ ପାଣି ଯୋଗାଇବାକୁ ବ୍ୟବସ୍ଥା କରାଯାଇଛି। ପରିତାପର ବିଷୟ କୃଷି ଭିତ୍ତିକ ଉଠାଜଳସେଚନ ବିଭାଗ ଏବେ ଭଣ୍ଡାରିପୋଖରୀ ବ୍ଲକରେ ସ୍ଥାଣୁ ପାଲଟିଥିବା କୁହାଯାଉଛି। ବିଭାଗର ସ୍ଥାୟୀ କାର୍ଯ୍ୟାଳୟଟିଏ ଏଠାରେ ନଥିବା ବେଳେ ଯନ୍ତ୍ରୀ ମାନେ ଭଦ୍ରକରେ ରହି ସମସ୍ତ କାର୍ଯ୍ୟ କରୁଛନ୍ତି। ଅନେକ ବର୍ଷ ପୂର୍ବରୁ ବ୍ଲକର ବିଭିନ୍ନ ଜାଗାରେ ଉଠାଜଳସେଚନ ପ୍ରକଳ୍ପ ମାନ ନିର୍ମାଣ କରାଯାଇଥିବା ବେଳେ ତାହା ଏବେ ଭଗ୍ନ ଅବସ୍ଥାରେ। କେଉଁଠି ପ୍ରକଳ୍ପ ଘରୁ ମୋଟର ସହିତ ଅନ୍ୟାନ୍ୟ ଯନ୍ତ୍ରାଂଶ ଚୋରି ହୋଇଗଲାଣି ତ ପୁଣି କେଉଁଠି ବିଦ୍ୟୁତ ବିନା ପ୍ରକଳ୍ପ ଅଚଳ ହୋଇଗଲାଣି। ପରିସ୍ଥିତି ଏଭଳି ଦେଖାଯାଇଛି ଯେ ବିଦ୍ୟୁତ ଖୁଣ୍ଟରେ ଟ୍ରାନ୍ସଫର୍ମର ଥାଇ ଭିତରୁ କଏଲ ମଧ୍ୟ ଚୋରି ହୋଇଯାଇଛି। ବିଭାଗ କେବଳ ବର୍ଷକୁ ବର୍ଷ ସରକାରଙ୍କ ନୂଆ ନୂଆ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ପ୍ରକଳ୍ପ ମାନ ନିର୍ମାଣ କରୁଥିବା ବେଳେ ପରବର୍ତ୍ତୀ ସମୟରେ ରକ୍ଷଣାବେକ୍ଷଣ ଅଭାବରୁ ଚାଷୀ ମାନେ ଏହାଦ୍ୱାରା ଉପକୃତ ହୋଇ ପାରୁନାହାନ୍ତି। ହାତଗଣତି କେତେକ ସ୍ଥାନକୁ ଛାଡିଦେଲେ ବ୍ଲକର ୨୩ଗୋଟି ପଞ୍ଚାୟତରେ ଉଠା ଜଳସେଚନ ବିଭାଗ ଚାଷୀଙ୍କ ନିକଟତର ହୋଇନଥିବା ଜଣାପଡ଼ିଛି। ସମ୍ପ୍ରତି ଜଳନିଧି ଯୋଜନାରେ କ୍ଲଷ୍ଟର ପଏଣ୍ଟ ନିର୍ମାଣ କରିବା ପାଇଁ ବିଭାଗ ଅଣ୍ଟା ଭିଡିଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ପୁରୁଣା ପ୍ରକଳ୍ପ ମାନ ନଷ୍ଟ ହେଉଥିବା ପରିତାପର ବିଷୟ ପାଲଟିଛି। “ଗୋଦରା ହାଣେ ଯେତେ ମାଡ଼େ ସେତେ” ନ୍ୟାୟରେ ଯନ୍ତ୍ରୀ ମାନେ ବୃତ୍ତିଗତ ନିୟମ ଦୃଷ୍ଟିରୁ ନୂଆ ପ୍ରକଳ୍ପ ନିର୍ମାଣ ପାଇଁ ଆଗଭର ହେଉଥିବା ବେଳେ ଏପଟେ ପୁରୁଣା ପ୍ରକଳ୍ପ ମାନ ନଷ୍ଟ ହୋଇଯାଉଛି। ଖବର ଅନୁଯାୟୀ ମାଳଦା, ଜଳହରି, ରଣଜିତ, ଚାଙ୍ଗୁଆ, ଷୋଳମପୁର, ବରାହନୂଆପଡା ,ନପଙ୍ଗ, ରହଣିଆ,ନାଆମୀ,ତେସିଙ୍ଗା, ବିଷ୍ଣୁପୁର, ଝୁଟୁଣା, ରାଜେନ୍ଦ୍ରପୁର, ବନ୍ଦାଳୋ-ମଢ଼ିଆଳି ପ୍ରମୁଖ ସ୍ଥାନ ମାନଙ୍କରେ ଉଠା ଜଳସେଚନ ବିଭାଗ ସେଭଳି କୌଣସି ଆଖିଦୃଶିଆ କାର୍ଯ୍ୟ କରିପାରିନାହିଁ। ଯାହାକୁ ନେଇ ଚାଷୀମାନେ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଛନ୍ତି। ମୋଟାମୋଟି ଭାବେ କେବଳ ବ୍ୟବସ୍ଥା ଗତ ଭାବେ ବିଭାଗୀୟ ଅଧିକାରୀ କିଛି କାର୍ଯ୍ୟ କରୁଥିଲେ ସୁଦ୍ଧା ଅନେକ ସ୍ଥାନରେ ଉଠାଜଳସେଚନ ବିଭାଗ ସମ୍ପୂର୍ଣ୍ଣ ଫେଲ ମାରିଥିବା ଜଣାପଡିଛି।


