ଲିଭିଗଲା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଜୀବନ ଦୀପ

ବନ୍ତ, (ଚାନ୍ଦିନୀ ମହାନ୍ତି) : ୧୯୯୦ ଦଶକରେ ଛାତ୍ର ନେତା ଭାବେ ପରିଚିତ ଥିଲେ । ୧୯୯୭ ମସିହାରେ ପଞ୍ଚାୟତ ସଂପାଦକ ଚାକିରୀରୁ ଜୀବନ ଆରମ୍ଭ କରିଥିଲେ । ଦୀର୍ଘ ୨୫ ବର୍ଷ କାଳ ଜଣେ କର୍ତ୍ତବ୍ୟନିଷ୍ଠ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରି ସେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ । ସେ ଆଜି ଆଉ ନାହାନ୍ତି । ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଆର ପାରିକୁ ସେ ଚାଲି ଯାଇଛନ୍ତି । ସେହି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜଣକ ହେଉଛନ୍ତି ବନ୍ତ ବ୍ଲକ ଟିଲୋ ମଧୁପୁର ଗ୍ରାମର ସ୍ୱର୍ଗତ ନରହରି ରାଉତଙ୍କ ପୁତ୍ର ଦୀଲିପ କୁମାର ରାଉତ(୫୩) । ଶୁକ୍ରବାର ଭୋର ସମୟରେ ତାଙ୍କର ପରଲୋକ ଘଟିଛି । ଗତ କିଛି ମାସ ହେବ ସେ ଶାରିରୀକ ଅସୁସ୍ଥତା ଯୋଗୁ ଚିିକିତ୍ସିତ ହେଉଥିଲେ । ଗତ ୭ ଦିନ ତଳେ ସେ କଟକସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ସମଗ୍ର ବ୍ଲକରେ ଶୋକର ଛାୟା ଖେଳି ଯାଇଛି । ମରଶରୀରକୁ୍ ଏକ ଆମ୍ବୁଲାନ୍ସ ଯୋଗେ ନିଜ ଗ୍ରାମକୁ ଆଣିବା ବେଳେ ପଧାନପଡା ଠାରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ବାହାରି ଥିଲା । ଏହି ଶୋଭାଯାତ୍ରା ବନ୍ତ ବଜାର ସମେତ ସମଗ୍ର ଟିଲୋ ପଞ୍ଚାୟତ ପରିକ୍ରମା କରିଥିଲା । ଶୋଭାଯାତ୍ରାରେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ବିଜେଡି ସଂପାଦକ ସୁବାଷ ଦାସ, ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ବିପିନ କୁମାର ନାୟକ, ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରଣବ କିଶୋର ଲେଙ୍କା, ଯୁବ ନେତା ଅକ୍ଷୟ ଦାସ, ପୂର୍ବତନ ସରପଞ୍ଚ ଅଶୋକ ମହାନ୍ତି, ସନ୍ତୋଷ ବାରିକ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବଟକୃଷ୍ଣ ମହାନ୍ତି, ଆଲୋକ ରାଉତ, ନିରଞ୍ଜନ ମହାପାତ୍ର, ସମୀମ୍ ନୱାଜ୍‌, ପଞ୍ଚାୟତ ବିଜେଡି ସଭାପତି ସୁଧିର ନାୟକ, ହେମନ୍ତ ମଲ୍ଲିକ, ରବିନ୍ଦ୍ର ବିଶ୍ୱାଳ, ବାବୁ ଜେନା, ସମିତି ସଭ୍ୟ ପରମେଶ୍ୱର ବାରିକ, ଫାଲ୍ଗୁନି ରାଉତ, ନିଳୋକ ସରପଞ୍ଚ ପ୍ରତିନିଧି ରବିନ୍ଦ୍ର ସେଠୀ, ଅନିରୁଦ୍ଧ ନାୟକଙ୍କ ସମେତ ବହୁ ବ୍ୟକ୍ତି ଶୋଭାଯାତ୍ରାରେ ସାମିଲ ଥିଲେ । ମରଶରୀର ନିଜ ବାସଭବନରେ ପହଞ୍ôଚବା ପରେ ଭଣ୍ଡାରିପୋଖରୀ ବ୍ଲକ ଉପାଧ୍ୟକ୍ଷ ପ୍ରଣତିକାନ୍ତି ସାମଲ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବ୍ଲକ ଯୁବ ବିଜେଡି ସଭାପତି ସତ୍ୟ ସାଧନ ବେଜ, ମହାନ୍ତିପଡା ସମିତି ସଭ୍ୟା ନିର୍ମଳା ନାୟକ, ନେରଡା ସରପଞ୍ଚ ଦେବଦାସୀ ଜେନା, ପୂର୍ବତନ ସରପଞ୍ଚ କୃପାସିନ୍ଧୁ ସେଠୀ, ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନାଙ୍କ ସମେତ ବହୁ ବ୍ୟକ୍ତି ଶେଷ ଦର୍ଶନ କରିବା ସହିତ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଶୋକାକୂଳ ପରିବେଶରେ ଅନ୍ତିମ ସତ୍କାର କରାଯାଇଥିଲା । ବଡପୁଅ ଆର୍ଶିବାଦ ଓ ସାନପୁଅ ସଂକଳ୍ପ ମୁଖାଗ୍ନି ଦେଇଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ପତ୍ନୀ ନିହାରିକା, ୨ ପୁଅ, ଭାଇ ପ୍ରବୀର, ପୁତୁରା ଉମେଶଙ୍କ ସମେତ ସପରିବାର ଉପସ୍ଥିତ ଥିଲେ । ସ୍ୱର୍ଗତ ରାଉତ ଚାକିରୀ କରିବା ଆଗରୁ ଜଣେ ଛାତ୍ର ନେତା ଥିଲେ । ୧୯୮୯ ମସିହାରେ ନିଳୋକସ୍ଥିତ ବାବାଜି ଚରଣ ସଂସ୍କୃତ ବିଦ୍ୟାଳୟରୁ ମଧ୍ୟମା ପାସ୍ କରି ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟରେ ପାଠ ପଢିଥିଲେ । ୧୯୯୩ ମସିହାରେ କଲେଜର ଛାତ୍ର ସଂସଦ ନିର୍ବାଚନରେ ସଭାପତି ପଦବୀ ପାଇଁ ଏ.ବି.ଭି.ପି ତରଫରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ୧୯୯୭ ମସିହାରେ ସେ ଟିଲୋ ପଞ୍ଚାୟତର ସମ୍ପାଦକ ଭାବେ ନିଯୁକ୍ତି ପାଇଥିଲେ । ପରେ ସେ ପଧାନପଡା ପଞ୍ଚାୟତ ଦାୟୀତ୍ୱ ମଧ୍ୟ ତୁଲାଇଥିଲେ । ଏଥିସହ ସେ ଭଣ୍ଡାରିପୋଖରୀ ଓ ଧାମନଗର ଆଦି ବ୍ଲକକୁ ବଦଳି ହୋଇ ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସୁଚାରରୂପେ କାର୍ଯ୍ୟ କରିଥିଲେ । ଶେଷର ଗତ ୩ ବର୍ଷ ହେବ ସେ ନିଳୋକ ପଞ୍ଚାୟତକୁ ବଦଳି ହୋଇ ଆସି ଏବେ କାର୍ଯ୍ୟ କରିଆସୁଥିଲେ । ପତ୍ନୀ ନିହାରିକା ବିଜେଡି ଦଳର ଜଣେ ଦୃଢ ସଂଗଠକ, ସକ୍ରୀୟ ମହିଳା ନେତ୍ରୀ ଅଟନ୍ତି । ସ୍ୱର୍ଗତ ରାଉତଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ