ଈଶ୍ୱର ଚନ୍ଦ୍ର ନାୟକ ରାଷ୍ଟ୍ରପତିଙ୍କ ଠାରୁ ପାଇବେ ଜାତୀୟ ଶିକ୍ଷକ ପୁରସ୍କାର
ନିମାପଡ଼ା, (ସନ୍ତୋଷ ଦାଶ):ଆସନ୍ତା ଗୁରୁଦିବସ ସେପ୍ଟେମ୍ବର ମାସ ୫ ତାରିଖ ରେ ଦେଶ ର ୪୬ଜଣ କୃତୀ ଶିକ୍ଷକ ରାଷ୍ଟ୍ରପତି ଙ୍କ ଠାରୁ ପାଇବେ ଜାତୀୟ ଶିକ୍ଷକ ପୁରସ୍କାର। ଏହି ତାଲିକା ରେ ଆମ ରାଜ୍ୟ ଓଡିଶା ରୁ ଏକମାତ୍ର ପୁରୀ ଜିଲ୍ଲା ନିମାପଡା ବ୍ଲକ ଶଗଡ଼ା ପଞ୍ଚାୟତ କନପୁର ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଈଶ୍ୱର ଚନ୍ଦ୍ର ନାୟକ ଙ୍କ ନାମ ଥିବା ଜଣାପଡିବା ପରେ ସମଗ୍ର ନିମାପଡା ଅଞ୍ଚଳ ରେ ଖୁସି ର ଲହରୀ ଖେଳି ଯାଇଛି। ନିମାପଡ଼ା ବ୍ଲକ ବାଙ୍ଗୁରୁଷ ପାଟଣା ଗ୍ରାମର ଈଶ୍ୱର ଚନ୍ଦ୍ର ଶଗଡା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। ସେ ପୂର୍ବରୁ ମଧ୍ୟ ଅନେକ ଜାତୀୟ ଓ ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି। ନିକଟରେ ତାଙ୍କ ଲିଖିତ ପୁସ୍ତକ ‘ ଅଳିଆ ରୁ ଅ ଆ ‘ ଜାତୀୟ ପୁରସ୍କାର ର ମାନ୍ୟତା ପାଇଛି। ଗତ ୨୦୧୬ ମସିହା ରେ ଈଶ୍ୱର ଚନ୍ଦ୍ର ରାଜ୍ୟ ଶିକ୍ଷକ ପୁରସ୍କାର ପାଇଥିଲେ। ଶିକ୍ଷକତା ସହ ସେ ସମାଜ ସେବା, ପୁସ୍ତକ ଓ ନିବନ୍ଧ ଲେଖିବାରେ ବ୍ୟସ୍ତ ରହିଛନ୍ତି। ତାଙ୍କ ଦ୍ଵାରା ଲିଖିତ ବହୁ ପୁସ୍ତକ କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତର ରେ ବହୁ ପ୍ରଶଂସା ପାଇଛି। ନିଜ ଗ୍ରାମ ବାଙ୍ଗୁରୁଷ ପାଟଣା ରେ ସେ ଷ୍ଟୁଡେଣ୍ଟ୍ ନଲେଜ ସେଣ୍ଟର ଓ ଲାଇବ୍ରେରୀ ପ୍ରତିଷ୍ଠା କରିଚନ୍ତି। ଏହି ନଲେଜ ସେଣ୍ଟର ରେ ପ୍ରାଥମିକ ଶ୍ରେଣୀ ର ଛାତ୍ର ଛାତ୍ରୀ ଙ୍କୁ ମାଗଣା ରେ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରାଯାଉଛି। ଦିଲ୍ଲୀ ବିଜ୍ଞାନ ଭବନ ରେ ସେପ୍ଟେମ୍ବର ମାସ ୫ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ସ୍ଵତନ୍ତ୍ର ଉତ୍ସବ ରେ ଈଶ୍ୱର ଚନ୍ଦ୍ର ମହାମହିମ ରାଷ୍ଟ୍ରପତି ଙ୍କ ଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିବେ। ଓଡ଼ିଶା ରୁ ସେ ଏକମାତ୍ର ଶିକ୍ଷକ ଭାବେ ଏହି ପୁରସ୍କାର ଗ୍ରହଣ କରିବାକୁ ଥିବାରୁ ତାଙ୍କ ପାଇଁ ନିମାପଡା ଓ ପୁରୀ ଜିଲ୍ଲା ଆଜି ଗୌରବାନ୍ଵିତ ହୋଇ ପାରିଛି। ଇଶ୍ଵର ଚନ୍ଦ୍ର ଙ୍କ ଏହି କୃତିତ୍ବ ପାଇଁ ତାଙ୍କୁ ସବୁ ମହଲ ରୁ ପ୍ରଶଂସା ମିଳୁଥିବା ବେଳେ ନିମାପଡା ର ବିଧାୟକ ତଥା ରାଜ୍ୟ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ତାଙ୍କୁ ବଧେଇ ଜଣାଇଛନ୍ତି ।


