ଚାରିଛକ ଫାଣ୍ଡି ହେଲା ଥାନା

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର ଚାରିଛକ ଠାରେ ୧୯୮୧ ମସିହାରେ ଏକ ଫାଣ୍ଡି ପ୍ରତିଷ୍ଠା କରାଯାଇଥିଲା । ଭୋଦର, କଳାପାଞ୍ଚଣ, ତୁଳସୀପୁର, ବାହାରଣା, ତମ୍ପାଳୋ, ଛଣିଜଙ୍ଗ ପ୍ରଭୁତି ଛଅଟି ପଞ୍ଚାୟତ ର ୮୯ ଟି ଗ୍ରାମକୁ ନେଇ ଫାଣ୍ଡି ଟି ଗଠିତ ହୋଇଥିଲା। ଚାରିଛକ ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବା ବେଳେ ଏଠାରୁ ଚାରି ଦିଗକୁ ଅର୍ଥାତ ପୁରୀ ଭାୟା ଗୋପ, ଭୁବନେଶ୍ୱର ଭାୟା ପିପିଲି,ନିମାପଡା, କଟକ ଭାୟା ନିଆଳି, ଫୁଲନଖରା , ଅସ୍ତରଙ୍ଗ ଭାୟା କାକଟପୁର, ନୟାହାଟ ପ୍ରଭୁତି ସ୍ଥାନ କୁ ଯିବାକୁ ପଡ଼ିଥାଏ । ଚାରିଛକ ବାଟ ଦେଇ କଟକ,ପୁରୀ ,ଭୁବନେଶ୍ୱର ,କୋଣାର୍କ, କାକଟପୁର, ଅସ୍ତରଙ୍ଗ, ରାଉର କେଲା, କଲିକତା, ପାରାଦ୍ଵିପ ପ୍ରମୁଖ ସ୍ଥାନକୁ ଶତାଧିକ ଯାତ୍ରୀବାହୀ ବସ ଯାତାୟାତ କରିଥାନ୍ତି । କୋଣାର୍କ ର ସୂର୍ଯ୍ୟମନ୍ଦିର, ପୁରୀ ର ଶ୍ରୀ ଜଗନ୍ନାଥ ମନ୍ଦିର ,ଅସ୍ତରଙ୍ଗ ର ଜାହାନିଆପିର, କାକଟପୁର ର ମା ମଙ୍ଗଳା ମନ୍ଦିର, ଚୌରାଶି ର ବରାହୀ ମନ୍ଦିର ,ମାଧବ ର ମାଧବାନନ୍ଦ ମନ୍ଦିର କୁ ଏହି ବଜାର ଦେଇ ବହୁ ପର୍ଯ୍ୟଟକ, ଯାତ୍ରୀ ଯାତାୟାତ କରିଥାନ୍ତି। ଏଠାରେ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହିତ ଶବ ବ୍ୟବଚ୍ଛେଦ କେନ୍ଦ୍ର , ମହିଳା ମହାବିଦ୍ୟାଳୟ , ବିଭିନ୍ନ ବ୍ୟାଙ୍କ ର ଶାଖା ରହିଛି । ସ୍ଥାନୀୟ ମହିଳା କଲେଜ କୁ ପ୍ରତିଦିନ ତିନି ହଜାରରୁ ଅଧିକ ଛାତ୍ରୀ ଅଧ୍ୟୟନ ଲାଗି ଆସି ଥାନ୍ତି । ପ୍ରାୟ ସାତ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ଏହି ଫାଣ୍ଡି କୁ ଥାନା ର ମାନ୍ୟତା ଦେବାକୁ ବିଭିନ୍ନ ମହଲ ରୁ ଦାବି ହୋଇ ଆସୁଥିଲା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାରିଛକ ଫାଣ୍ଡିକୁ ଥାନା ହେଲା ବୋଲି ଘୋଷଣା କରିଥିବାରୁ ଚାରିଛକ ଅଞ୍ଚଳ ରେ ଖୁସି ର ଲହରୀ ଖେଳିଯାଇଛି। ଚାରିଛକ ଫାଣ୍ଡିକୁ ଥାନା ଘୋଷଣା ହେବା ପରେ ସମାଜସେବୀ ଚନ୍ଦ୍ରକାନ୍ତ ଦଳାଇ, ସନାତନ ପାତ୍ର , କୃଷ୍ଣ ଚନ୍ଦ୍ର ରାଉତ, ଗୋପୀନାଥ କର , ଚାରିଛକ ପ୍ରେସ କ୍ଲବ ସମେତ ଚାରିଛକ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା,ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରମୁଖ ଙ୍କୁ ସାଧୁବାଦ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ