ନାଗପୁରା ପାଟରେ ଗୋବରୀ ବନ୍ୟା, ପାଟନାଳୀ ଖନନ ଦାବି ଜୋର ଧରିଲା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନାଗପୁରା ପାଟର ଦୁଃଖ ହେଉଛି ଗୋବରୀ ନଦୀ । ଲଘୁଚାପ ଜନିତ ବର୍ଷାଜଳ ଜମିରହୁଥିବାରୁ ଏହି ପାଟ ଅଞ୍ଚଳରେ ଶହଶହ ଏକର ଚାଷଜମି ପାଣିରେ ବୁଡି ରହିଛି । କେନ୍ଦ୍ରାପଡା ବ୍ଲକ ଅଧିନ ଓସ୍ତପୁର ଗ୍ରାମପଞ୍ଚାୟତର ନାଗପୁରା ପାଟ ଗୋବରୀ ନଦୀକୁ ଲାଗିଛି । ଗତ ୨୦୧୮ ମସିହାରୁ ୨୦୨୧ ମସିହା ପର୍ଯ୍ୟନ୍ତ ୪ ବର୍ଷ ଧରି ଲଗାତାର ଭାବେ ଏହି ପାଟରୁ ଲଘୁଚାପ ଜନିତ ବର୍ଷା ଜଳ ନିଷ୍କାସିତ ହୋଇନପାରିବାରୁ ଶହ ଶହ ଏକର ଚାଷ ଜମିର ଫସଲ ନଷ୍ଟ ହୋଇଯାଇଛି । ଚଳିତ ବର୍ଷ ମଧ୍ୟ ଏହାର ପୁନରାବୃତ୍ତି ହେବାର ଆଶଙ୍କା ରହିଛି । ନାଗପୁରା ପାଟର ପୂର୍ବ ଦିଗରେ ସାହାସପୁର, ଫୋରଡ ଗ୍ରାମ ଥିବା ବେଳେ ଉତ୍ତର ଦିଗରେ ଗୋବରୀ ନଦୀ, ଦକ୍ଷିଣ ଏବଂ ପଶ୍ଚିମ ଦିଗରେ ଦେ’ପୁର ଏବଂ ନାଗପୁରା ଗ୍ରାମ ଅବସ୍ଥିତ । ପ୍ରାୟ ୨ଶହ ଏକରରୁ ଉର୍ଦ୍ଧ୍ୱ ଚାଷଜମି ଏହି ପାଟ ପାଣିରେ ବୁଡିରହୁଛି । ଏହି ପାଟ ମଧ୍ୟ ଦେଇ ଏକ ଘେରିବନ୍ଧ ଯାଇଛି । ଏହା ସାହାସପୁର ଓ ଫୋରଡ ଗ୍ରାମ ସୀମାରୁ ପଶ୍ଚିମକୁ କେନ୍ଦ୍ରାପଡା ସହର ପାଖ ହଜାରି ବଗିଚାର ସୀମାକୁ ଲାଗିଛି । ଏଣୁ ଏହି ଘେରି ବନ୍ଧ ଦ୍ୱାରା ସେହି ପାଟଟି ଦୁଇ ଭାଗ ହୋଇ ତଳପାଟ ଏବଂ ଉପର ପାଟ ନାମରେ ନାମିତ । ଗୋବରୀ ନଦୀରେ ଘେରି ବନ୍ଧ ନଥିବାରୁ ଏହି ଘେରି ବନ୍ଧର ଉତ୍ତର ପାଶ୍ୱର୍ ଅର୍ଥାତ୍ ଗୋବରୀ ନଦୀ ସୀମାକୁ ଲାଗି ପ୍ରାୟ ୨ଶହ ଏକରରୁ ଅଧିକ ଜମି ରହିଛି । ଲଘୁଚାପ ଜନିତ ବର୍ଷା ହେଲେ ଏହି ପାଟରୁ ଜଳ ନିଷ୍କାସନ ହେବାପାଇଁ ପାଟନାଳୀର ସୁବିଧା ନଥିବାରୁ ଉଦବୃତ୍ତ ବର୍ଷା ଜଳ ପାଟରୁ ନିଷ୍କାସିତ ହୋଇପାରୁନାହିଁ । ଲଗାତାର ୪ ବର୍ଷ ଧରି ଏହି ପାଟର ଫସଲ ନଷ୍ଟ ହେବାରୁ ୪ଟି ଗ୍ରାମର ଚାଷୀମାନେ ସ୍ଥାନୀୟ ରାଜନେତାଙ୍କ ଠାରୁ ଆରମ୍ଭ କରି ଡ୍ରେନେଜ ଡିଭିଜନକୁ ପାଟନାଳୀ ଖୋଳିବା ପାଇଁ ଅନୁରୋଧ କରି ଆସୁଛନ୍ତି । ଶେଷରେ ଗତ ମାର୍ଚ୍ଚ ମାସରେ ଉଦବୃତ୍ତ ବର୍ଷା ଜଳ ନିଷ୍କାସନ ପାଇଁ ୮୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ପାଟନାଳୀ ଖନନ ପାଇଁ ବିଭାଗୀୟ ମଞ୍ଜୁରୀ ମିଳିଛି । କିନ୍ତୁ କୌଣସି ଅଜଣା କାରଣରୁ ଡ୍ରେନେଜ ଡିିଭିଜନର ନିର୍ବାହୀ ଯନ୍ତ୍ରୀ ଏବଂ ଠିକାଦାରଙ୍କ ମଧ୍ୟରେ ସମନ୍ୱୟ ନରହୁଥିବାରୁ ଅପ୍ରେଲ ମାସରେ ଆରମ୍ଭ ହେବାକୁ ଥିବା ଏହି ପ୍ରକଳ୍ପ କାର୍ଯ୍ୟ ଅଦ୍ୟାବଧି ଆରମ୍ଭ ହୋଇପାରିଲା ନାହିଁ । ଯାହାଫଳରେ କି ନାଗପୁରା ପାଟରୁ ଫୋରଡ, ଏଣ୍ଡର, ସାହସପୁର ଇତ୍ୟାଦି ପାଟ ଦେଇ ଉଦବୃତ୍ତ ବର୍ଷା ଜଳକୁ ପାଟନାଳୀ ଦ୍ୱାରା ମାଲୁହା କିମ୍ବା ଗଣ୍ଡାକିଆ ନିକଟରେ ଗୋବରୀ ନଦୀରେ ପକାଇବା ପାଇଁ ଯେଉଁ ଯୋଜନା ରହିଛି ତାହା କାର୍ଯ୍ୟକାରୀ ହେଲାନାହିଁ । ଯାହାଫଳରେ କି ଏହି ପାଟରେ ଥିବା ୨ଶହ ଏକରରୁ ଅଧିକ ଜମିର ଧାନ ଫସଲ ନଷ୍ଟ ହେବାର ସମ୍ଭାବନା ଦେଖାଦେଇଛି । ଏହା ବ୍ୟତୀତ ପାଟର ଖମାମୁହଁରୁ ଘେରିବନ୍ଧ ବଡପୋଲ ଏବଂ ବରୁଣାଇ ଠାକୁରାଣୀ ପାଖ ଯାଆଁର ମୁହଁ ନିକଟରୁ ସାନ ପୋଲ ନିକଟକୁ ପାଟନାଳୀର ସୁବିଧା ନାହିଁ । ତାହା ପାଖରେ ଯେଉଁ ପାଟନାଳୀଟି ଅଛି ତାହା ବହୁଦିନ ଧରି ଖୋଳା ଯାଇନାହିଁ । ଫଳରେ ପାଟ ଜମିରୁ ଜଳ ନିଷ୍କାସନ ହୋଇପାରୁନାହିଁ । ବର୍ଷାଜଳ ନାଗପୁରା ଓ ଦେ’ପୁର ଗ୍ରାମର ପ୍ରାୟ ୪ ଶହ ଚାଷୀଙ୍କର ଦୁଇ ଶହ ଏକରରୁ ଅଧିକ ଜମିର ଫସଲ ସଂପୂର୍ଣ୍ଣ ଭାବେ ପଚି ନଷ୍ଟ ହୋଇଯାଇଛି । କେନ୍ଦ୍ରାପଡା ଡ୍ରେନେଜ ଡିଭିଜନରେ ଏସଡିଓ ପଦ ବହୁଦିନ ଧରି ଖାଲି ପଡିଛି । ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପାଟ ଅଞ୍ଚଳ ପରିଦର୍ଶନ କରି ସେହି ପାଟରୁ ଉଦବୃତ୍ତ ବର୍ଷାଜଳ ନିଷ୍କାସନ ନିମନ୍ତେ ପାଟନାଳୀ ଖନନର ଆବଶ୍ୟକତା ରହିଛି ବୋଲି କହିଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଏ ସମ୍ପର୍କରେ ଡ୍ରେନେଜ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀଙ୍କ ସହିତ ଯୋଗାଯୋଗ କରାଯିବାରେ ସେ ଏହି ପାଟନାଳୀ ଖନନ ପାଇଁ ୮୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ସୂଚନା ଦେଇଥିଲେ । କିନ୍ତୁ କେଉଁ କାରଣରୁ ଚଳିତ ବର୍ଷ ପାଟନାଳୀ ଖନନ କାର୍ଯ୍ୟ ଆରମ୍ଭ ହୋଇପାରିଲା ନାହିଁ ସେ ସମ୍ପର୍କରେ ସେ ଚାଷୀମାନଙ୍କୁ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଆସନ୍ତା ୨୦୨୩ ମସିହା ମାର୍ଚ୍ଚ ମାସ ସୁଦ୍ଧା ଏହି ପାଟନାଳୀ ଖନନ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଥିଲେ । ଚଳିତ ବର୍ଷର ଲଘୁଚାପରେ କ୍ଷତି ହୋଇଥିବା ଚାଷ ଜମିର ଫସଲ ନଷ୍ଟ ସମ୍ପର୍କରେ ଆକଳନ କରାଯାଇ ଚାଷୀଙ୍କୁ ତୁରନ୍ତ କ୍ଷତି ପୂରଣ ଦେବାକୁ ଉପରୋକ୍ତ ୪ଟି ଗ୍ରାମର ଚାଷୀମାନଙ୍କ ପକ୍ଷରୁ ଦାବି ହେବା ସହିତ ଜିଲ୍ଲାପାଳ ଉକ୍ତ ୪ଟି ଗ୍ରାମର ଚାଷୀଙ୍କ ଦାବି ଅନୁଯାୟୀ ଏହି ପାଟରୁ ଜଳ ନିଷ୍କାସନ ପାଇଁ ସ୍ଥାୟୀ ବ୍ୟବସ୍ଥା କରିବା ପାଇଁ ଡ୍ରେନେଜ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀଙ୍କ ସହିତ ଆଲୋଚନା କରି ପାଟନାଳୀ ତୁରନ୍ତ ଖନନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାପାଇଁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ