ବାଲେଶ୍ୱରରେ ଆୟୁଷ ବିକାଶ ମଞ୍ଚ ଗଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ସ୍ଥାନୀୟ ଡ୍ରାଇଭର ସଂଘ ଗୃହରେ ବିଧିବଦ୍ଧ ଭାବେ ଡା. ପୂର୍ଣ୍ଣଚନ୍ଦ୍ର ଜେନା ଏବଂ ଡା. ପ୍ରଭାତ ରଞ୍ଜନ ପ୍ରଧାନଙ୍କ ଯୁଗ୍ମ ଆବାହକତ୍ୱରେ ଆୟୋଜିତ ସାଧାରଣ ସଭାରେ ଆୟୁଷ ବିକାଶ ମଞ୍ଚ ଗଠିତ ହୋଇଯାଇଛି । ଆୟୁଷ (ଆୟୁର୍ବେଦ, ୟୁନାନୀ, ହୋମିଓପାଥି, ଯୋଗ ଓ ସିଦ୍ଧି) ଚିକିତ୍ସକ, ଔଷଧ ବିତରକ, ସମାଜସେବୀମାନଙ୍କ ଉପସ୍ଥିତିରେ ତଥା ଡା. ଅଜୟ କୁମାର ଷଣ୍ଢଙ୍କ ଅଧ୍ୟକ୍ଷତାରେ ବାଲେଶ୍ୱର ସହର ସମେତ ବ୍ଲକ ସ୍ତରରେ ଆୟୁଷ ଚିକିତ୍ସାର ସଠିକ୍ ପ୍ରଚାର ଓ ପ୍ରସାର, ବାଲେଶ୍ୱରରେ ଏକ ଆୟୁର୍ବେଦ ମେଡିକାଲ କଲେଜ୍ ପ୍ରତିଷ୍ଠା, ବାଲେଶ୍ୱର ସଦର ଜିଲ୍ଲା ହସ୍ପିଟାଲ୍‌ରେ ଆୟୁର୍ବେଦୀୟ ବହିଃ ଚିକିତ୍ସା, ସରକାରୀ ମଞ୍ଜୁରୀପ୍ରାପ୍ତ ୫୦ ଶଯ୍ୟା ବିଶିଷ୍ଟ ଆୟୁଷ ଚିକିତ୍ସାଳୟ ଟେଣ୍ଡର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା, ଫକୀରମୋହନ ବିଶ୍ୱ ବିଦ୍ୟାଳୟରେ ଯୋଗ ବିଭାଗ ଖୋଲିବା ସହ ସମସ୍ତ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କୁ ଯୋଗ ଶିକ୍ଷା ଦେବା ଓ ଆୟୁର୍ବେଦର ସାମଗ୍ରୀକ ବିକାଶର ଧାରାକୁ ଅଧିକ କ୍ରିୟାଶୀଳ କରିବା ଆଭିମୁଖ୍ୟ ନେଇ ଏହି ମଞ୍ଚ ଗଠିତ ହୋଇଥିବା କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ଆସନ୍ତା ସେପ୍ଟେମ୍ବର ୨ ତାରିଖ ଅପରାହ୍ନରେ ନବଗଠିତ ଆୟୁଷ ବିକାଶ ମଂଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ ପାଇଁ ଆଜିର ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ନବଗଠିତ ଆୟୁଷ ବିକାଶ ମଞ୍ଚର ଡା. ପୂର୍ଣ୍ଣଚନ୍ଦ୍ର ଜେନା ସଭାପତି, ଡା. ପ୍ରଭାକର ରଥ ଉପସଭାପତି, ହିମାଂଶୁ ଶେଖର ଦାସ ସମ୍ପାଦକ, ଡା. ପ୍ରଭାତ ରଞ୍ଜନ ପ୍ରଧାନ ସହ ସମ୍ପାଦକ, ଡା. ସୁଧାଂଶୁ ଶେଖର ଦାଶ କୋଷାଧ୍ୟକ୍ଷ, ଡା. ପ୍ରମୋଦ କୁମାର ରାଉତ, ଡା. ମଧୁସୂଦନ ଜେନା, ଡା. ଜୟନ୍ତ କୁମାର ପ୍ରଧାନ, ଡା. ସମାପିକା ପରିଡ଼ା ଓ ଡା. ଲକ୍ଷ୍ମୀକାନ୍ତ ହୋତାଙ୍କୁ କାର୍ଯ୍ୟକାରୀ ସଭ୍ୟ ତଥା ନିରଞ୍ଜନ ପରିଡ଼ା ଅଭିରାମ ଦାସ, ପରମେଶ୍ୱର ପାତ୍ର, ଶ୍ୟାମସୁନ୍ଦର ଜେନା, ରବି କୁମାର ପାଣିଗ୍ରାହୀ ଓ ଅଶୋକ କୁମାର ଦାସଙ୍କୁ ଉପଦେଷ୍ଠା ଭାବେ ମନୋନୀତ କରାଯାଇଛି । ନବଗଠିତ ଆୟୁଷ ବିକାଶ ମଞ୍ଚର ମାସିକ ବୈଠକ ପ୍ରତିମାସର ଶେଷ ରବିବାରରେ ଅନୁଷ୍ଠିତ ହେବ ବୋଲି ଧାର୍ଯ୍ୟ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ