ବହୁ ପ୍ରତୀକ୍ଷିତ ଗଜପତି ଉତ୍ସବ କେବେ…?
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ସଦର ମହୁକମା ପାରଳାଖେମୁଣ୍ଡି ଠାରେ ଆସନ୍ତା ଡିସେମ୍ବର ୧୮ରୁ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଗଜପତି ମହତ୍ସବ ଧାର୍ଯ୍ୟ ତାରିଖରେ ଅନୁଷ୍ଠିତ ହେବନାହିଁ ବୋଲି ପ୍ରଶାସନିକ ସୂତ୍ରରୁ ପ୍ରକାଶ । ବହୁ ପ୍ରତୀକ୍ଷିତ ଏହି ଗଜପତି ଉତ୍ସବ ଗତବର୍ଷ ତିତ୍ଲି ବାତ୍ୟା ପାଇଁ ବନ୍ଦ ହୋଇଥିଲା । କେବଳ ପଲ୍ଲୀଶ୍ରୀମେଳାରେ ତାହା ସିମୀତ ରହିଥିଲା । ଦୀର୍ଘ ଦିନର ପ୍ରତୀକ୍ଷା ପରେ ଗଜପତି ଉତ୍ସବ ପାଳନ ପାଇଁ ପ୍ରଶାସନିକସ୍ତରରେ ଏବଂ ସାଧାରଣ ଲୋକଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ କରାଯାଇ ଉତ୍ସବ ଆସନ୍ତା ଡିସେମ୍ବରମାସ ୧୮ରୁ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଥିଲା । ଏଥିପାଇଁ ବିଭିନ୍ନ କମିଟି ଗଠନ କରାଯିବାସହ ଏହି ମହତ୍ସବର ରୂପରେଖ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ହେଲେ ପ୍ରଶାସନ ପକ୍ଷରୁ ଗଜପତି ଉତ୍ସବ ପାଇଁ ଧାର୍ଯ୍ୟ ହୋଇଥିବା ତାରିଖରେ ସେହି ଉତ୍ସବ ଆୟୋଜନ ହୋଇପାରିବ ନାହିଁ ବୋଲି ସୂଚନା ଦିଆଯାଇଛି । ସାଧାରଣରେ ପ୍ରଶ୍ନ ଉଠିଛି ତାରିଖ ଧାର୍ଯ୍ୟ ହୋଇଥିବା ଗଜପତି ଉତ୍ସବକୁ ସ୍ଥଗିତ ରଖାଗଲା ଚଳିତ ବର୍ଷ ମଧ୍ୟ କ’ଣ ଉତ୍ସବକୁ ବାତିଲ କରାଯିବ । କେବେ ହେବ ଗଜପତି ଉତ୍ସବ । ସୂଚନା ମୁତାବକ ଜାତୀୟ ଶିଶୁ ସୁରକ୍ଷା ଓ ଅଧିକାର କମିଶନରଙ୍କ ପକ୍ଷରୁ ଆସନ୍ତା ଡିସେମ୍ବର ୨୧ତାରିଖ ଦିନ ଏକ କୋର୍ଟ କ୍ୟାମ୍ପ ଆୟୋଜନ ହେବାପାଇଁ ସ୍ଥିର ହୋଇଛି । ତେଣୁ ଏହିପରି ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାମ୍ପ ସମୟରେ ଗଜପତି ମହତ୍ସବ ଭଳି ଏକ ଜିଲାସ୍ତରୀୟ ଉତ୍ସବକୁ ଆୟୋଜନ କରିବା ଏକ କଷ୍ଟକର ବ୍ୟାପାର ହୋଇଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ହୋଇଥିବା ତାରିଖରେ ଉତ୍ସବ ପାଳନପାଇଁ ସ୍ଥଗିତ ରଖାଯାଇଛି ।


