କେନ୍ଦ୍ରାପଡା ଜିଲ୍ଲାରେ ଭିନ୍ନକ୍ଷମ ହିତାଧିକାରୀଙ୍କୁ ସହାୟତା ଉପକରଣ ବଣ୍ଟନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଓ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ (ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ), କେନ୍ଦ୍ରାପଡା ଓ ପୁନର୍ବାସ ସେବା ଓ ଅନୁସନ୍ଧାନ କେନ୍ଦ୍ର(ସିଆରଏସଆର), ଭଦ୍ରକର ମିଳିତ ଆନୁକୂଲ୍ୟରେ କେନ୍ଦ୍ରାପଡା, ଡେରାବିଶ, ମାର୍ଶାଘାଇ, ପଟ୍ଟାମୁଣ୍ଡାଇ ବ୍ଲକ ଓ କେନ୍ଦ୍ରାପଡା ପୌରାଞ୍ଚଳରୁ ଚୟନ କରାଯାଇଥିବା ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ହୁଇଲ ଚେୟାର, ଆଶାବାଡି ଓ ଅନ୍ୟାନ୍ୟ ସହାୟତା ଉପକରଣ ବଣ୍ଟନ ପାଇଁ କେନ୍ଦ୍ରାପଡା ପୈାରସଂସ୍ଥା ସମ୍ମିଳନୀ କକ୍ଷରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲ, କେନ୍ଦ୍ରାପଡା ପୌରପରିଷଦ ଅଧ୍ୟକ୍ଷ ସରିତା ସାହୁ, କେନ୍ଦ୍ରାପଡା ଭାରପ୍ରାପ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଅଶୋକ କୁମାର ମହାନ୍ତି, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଡଃ. ଭଗବାନ ପରିଡା, ସାଧାରଣ ସମ୍ପାଦକ, ସିଆରଏସଆର ଭଦ୍ରକ ପ୍ରମୁଖ ଯୋଗଦେଇଥିଲେ । କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା ସାରା ଭାରତରେ ଆଜି ୭୩ଟି ସ୍ଥାନରେ ଏଡିଆଇପି ଯୋଜନା ଅଧୀନରେ ପୂର୍ବରୁ ଚିହ୍ନଟ ହୋଇଥିବା ଭିନ୍ନକ୍ଷମମାନଙ୍କୁ ସହାୟତା ଉପକରଣ ବଣ୍ଟନ ଓ ନୂତନ ହିତାଧିକାରୀଙ୍କ ମଧ୍ୟରୁ ଚିହ୍ନଟ କରାଯାଇ ଭବିଷ୍ୟତରେ ସେମାନଙ୍କୁ ସହାୟତା ଉପକରଣ ନିଶୁଳ୍କରେ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଏହି କ୍ରମରେ କେନ୍ଦ୍ରାପଡାରେ ୧୯୮ଜଣ ଚିହ୍ନଟ ହୋଇଥିବା ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ତିନିଚକିଆ ସାଇକେଲ, ହୁଇଲ ଚେୟାର, ପ୍ରାଥୋସିସ, ସର୍ଜିକାଲ ସୁଜ, ବ୍ଲାଇଣ୍ଡ ଷ୍ଟିକ୍‌, ସ୍ମାର୍ଟ ଫୋନ୍‌, ସ୍ମାର୍ଟ କେନ୍‌, ଲେପ୍‌ରୋଜୀ ଫୋନ୍‌, ବ୍ରେଲୀ କିଟ୍‌, ହିଅରିଂ ଏଡ୍ ଆଦି ସହାୟତା ଉପକରଣ ପ୍ରଦାନ କରାଯାଇଥିଲା । ଡଃ ଭଗବାନ ପରିଡା ପ୍ରାରମ୍ଭରେ ସହାୟତା ଶିବିରର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରୂପାଲୀ ପ୍ରିୟଦର୍ଶନୀ ସହାୟତା ଉପକରଣ ବଣ୍ଟନରେ ସହାୟତା କରିଥିଲେ । ଶେଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ