ପ୍ରତି ତିନି ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ତାଙ୍କ ଜୀବନ ଭିତରେ ଥରେ ରକ୍ତ ଆବଶ୍ୟକ କରିଥାନ୍ତି : ଡଃ ମାଣ୍ଡଭିୟ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ରକ୍ତଦାନ ଏକ ମହତ୍ କାର୍ଯ୍ୟ ଅଟେ ଏବଂ ଆମର ସମୃଦ୍ଧ ସଂସ୍କୃତି ଏବଂ ସେବା ଓ ସହଯୋଗର ପରମ୍ପରାକୁ ଲକ୍ଷ୍ୟ କରି, ମୁଁ ସମସ୍ତ ନାଗରିକଙ୍କୁ ଦେଶବ୍ୟାପୀ ଅନୁଷ୍ଠିତ ବୃହତ୍ ସ୍ୱେଚ୍ଛାକୃତ ରକ୍ତଦାନ ଅଭିଯାନ – ରକ୍ତଦାନ ଅମୃତ ମହୋତ୍ସବରେ ଯୋଗଦେଇ ରକ୍ତ ଦାନ କରିବା ପାଇଁ ଆହ୍ୱାନ କରୁଛି । ରକ୍ତଦାନ କେବଳ ଏକ ଜାତୀୟ ଆବଶ୍ୟକତାକୁ ପୂରଣ କରି ନଥାଏ, ଏହା ସମାଜ ଏବଂ ମାନବତା ନିମନ୍ତେ ଏକ ମହାନ ସେବା ଅଟେ ।” କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ ଆଜି ନୂଆଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାରେ ଆୟୋଜିତ ରକ୍ତଦାନ ଶିବିରରେ ରକ୍ତଦାନ କରିବା ଅବସରରେ ଏହା କହିଥିଲେ । ସ୍ୱେଚ୍ଛାକୃତ ରକ୍ତଦାନର ମହତ୍ୱକୁ ଉଲ୍ଲେଖ କରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ ଯେ, “ଆଜାଦୀର ଅମୃତ ମହୋତ୍ସବ ପାଳନର ଏକ ଅଂଶ ବିଶେଷ ହେଉଛି “ରକ୍ତଦାନ ଅମୃତ ମହୋତ୍ସବ” । ନିୟମିତ ଭାବେ ପାରିଶ୍ରମିକ ନନେଇ ସ୍ୱେଚ୍ଛାକୃତ ରକ୍ତ ଦାନ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ରକ୍ତ କିମ୍ବା ଏହାର ଉପାଦନ ଗୁଡିକର (ସମ୍ପୂର୍ଣ୍ଣ ରକ୍ତ, ପ୍ୟାକ୍ ହୋଇଥିବା ଲାଲ୍ ରକ୍ତ କଣିକା, ପ୍ଲାଜ୍ମା, ପ୍ଲାଟଲେଟ୍) ଉପଲବ୍ଧତା, ପହଂଚ ଯୋଗ୍ୟ, ସୁଲଭ ଏବଂ ନିରାପଦ ବୋଲି ସୁନିଶ୍ଚିତ କରିବା ଏହି ଅଭିଯାନର ଲକ୍ଷ୍ୟ ରହିଛି । ୨୦୨୧ ପରିସଂଖ୍ୟାନ ଅନୁଯାୟୀ, ଭାରତର ବାର୍ଷିକ ରକ୍ତ ଆବଶ୍ୟକତା ପ୍ରାୟ ୧.୫ କୋଟି ୟୁନିଟ୍ ଅଟେ । ପ୍ରତି ଦୁଇ ସେକେଣ୍ଡରେ, ଭାରତରେ କେହି ନା କେହି ରକ୍ତ ଆବଶ୍ୟକ କରିଥାନ୍ତି ଏବଂ ଆମ ତିନି ଜଣଙ୍କ ଭିତରୁ ଜଣେ ସାରା ଜୀବନ ଭିତରେ ଥରେ ନିଶ୍ଚିତ ରୂପରେ ରକ୍ତ ଆବଶ୍ୟକ କରିଥାନ୍ତି ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ । “ବୈଷୟିକ ଜ୍ଞାନ କୌଶଳର ଅଗ୍ରଗତି ସତ୍ତ୍ୱେ , ଏବେ ସୁଦ୍ଧା ରକ୍ତ ପାଇଁ କୌଣସି ବିକଳ୍ପ ନାହିଁ ଏବଂ ୧ ୟୁନିଟ୍ ରକ୍ତ ତିନି ଜଣଙ୍କର ଜୀବନ ରକ୍ଷା କରି ପାରିବ” ବୋଲି ଡଃ ମାଣ୍ଡବୀୟ ସୂଚନା ଦେଇଥିଲେ । ଡଃ ମାଣ୍ଡବୀୟ ରକ୍ତ ଦାନ ଶିବିରରେ ରକ୍ତଦାତା ମାନଙ୍କୁ ଦେଖା କରିଥିଲେ ଏବଂ ସେମାନଙ୍କର ରକ୍ତଦାନ ଭଳି ନିଃସ୍ୱାର୍ଥପର ସେବା କାର୍ଯ୍ୟକୁ ପ୍ରଶଂସା କରିଥିଲେ । ରକ୍ତ ଦାନକୁ ନେଇ ରହିଥିବା କପୋଳକଳ୍ପିତ କଥାକୁ ଦୂର କରି ଡଃ ମାଣ୍ଡବୀୟ କହିଥିଲେ ଯେ ଜଣେ ବ୍ୟକ୍ତିଙ୍କର ଶରୀରରେ ୫ -୬ ଲିଟର ରକ୍ତ ଥାଏ ଏବଂ ସେ ପ୍ରତି ୯୦ ଦିନ (୩ ମାସ)ରେ ଥରେ ରକ୍ତ ଦାନ କରି ପାରିବେ ।” ଶରୀରରେ ବହୁତ ଶୀଘ୍ର ରକ୍ତ ସୃଷ୍ଟି ହୋଇ ଯାଇଥାଏ ; ୨୪ – ୪୮ ଘଂଟା ଭିତରେ ରକ୍ତ ପ୍ଲାଜ୍ମା ପୁଣି ସୃଷ୍ଟି ହୋଇଯାଏ, ପ୍ରାୟ ୩ ସପ୍ତାହରେ ଲାଲ୍ ରକ୍ତ କଣିକା ଗୁଡିକ ତିଆରି ହୁଏ ଏବଂ କିଛି ମୁହୂର୍ତ୍ତ ଭିତରେ ପ୍ଲାଟଲେଟ୍ସ ଏବଂ ଶ୍ୱେତ ରକ୍ତ କଣିକା ତିଆରି ହୋଇ ଯାଇଥାଏ । ସାରା ଦେଶରେ ଚାଲିଥିବା ଏହି ଅଭିଯାନକୁ କେନ୍ଦ୍ରୀକୃତ ରକ୍ତ ବ୍ୟାଙ୍କ ପରିଚାଳନା ସୂଚନା ପ୍ରଣାଳୀ, ଇ – ରକ୍ତ କୋଷ ପୋର୍ଟାଲ ସମର୍ଥନ ପ୍ରଦାନ କରୁଛି, ଯାହା ରକ୍ତ ଦାତା ମାନଙ୍କର ଜାତୀୟ ଭଣ୍ଡାର ଆକାରରେ କାର୍ଯ୍ୟ କରିବ । ଏହା ରକ୍ତଦାତା ମାନଙ୍କର ଏକ ମଜଭୁତ ରେକର୍ଡକୁ ସୁନିଶ୍ଚତ କରିବ ଏବଂ ଆବଶ୍ୟକ ପଡିଲେ ରକ୍ତର ଉପଲବ୍ଧତାରେ ମଧ୍ୟ ଦ୍ରୁତ ଗତି ଆଣିବ । ଇ – ରକ୍ତ କୋଷ ପୋର୍ଟାଲ ନିମନ୍ତେ ଲିଙ୍କ୍ https://www. eraktkosh.in /BLDAHIMS/bloodbank/transactions/bbpublicindex. html ରେ କ୍ଲିକ୍ କରନ୍ତୁ । ଡଃ ମାଣ୍ଡବୀୟ ଭାରତର ସ୍ୱାସ୍ଥ୍ୟ ଯତ୍ନ ଦିଗରେ ସଫଦରଜଙ୍ଗ ଡାକ୍ତରଖାନାର ଯୋଗଦାନକୁ ପ୍ରଦର୍ଶିତ କରି, “ଫୁଟପ୍ରିଂଟ୍ସ ଅନ୍ ଦ ସ୍ୟାଣ୍ଡ୍ସ ଅଫ୍ ଟାଇମ୍” ପୁସ୍ତକର ମଧ୍ୟ ଉନ୍ମୋଚନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ