୨୩ରେ ସିଭିଲ ସୋସାଇଟିର ଜଳ ସତ୍ୟାଗ୍ରହ
ବାଲେଶ୍ୱର, (ସରୋଜ ପଣ୍ଡା) : ବୁଢ଼ାବଳଙ୍ଗ ନଦୀ ଜଳର ସୁରକ୍ଷା ପାଇଁ ଜନସଚେତନତା ନିମନ୍ତେ ନିଷ୍ପତ୍ତି ନେଇ ବାଲେଶ୍ୱର ସିଭିଲ ସୋସାଇଟି । ଆସନ୍ତା ୨୩ ତାରିଖ ଶୁକ୍ରବାର ଦିନ ୧୬ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ଥିବା କାଠସିଙ୍ଗଡ଼ା ତ୍ରିବେଣୀଘାଟରେ ସିଭିଲ୍ ସୋସାଇଟି ପକ୍ଷରୁ ଜଳସତ୍ୟାଗ୍ରହ କରିବ ବୋଲି ଆୟୋଜିତ ବୈଠକରେ ଧାର୍ଯ୍ୟ ହୋଇଛି । ଲୋକଶକ୍ତି ଓ ଜନଆନ୍ଦୋଳନ ରାଷ୍ଟ୍ରୀୟ ସମନ୍ୱୟ ତରଫରୁ ଓଡ଼ିଶାର ନଦୀ ଓ ଜଳ ଉତ୍ସଗୁଡ଼ିକର ସୁରକ୍ଷା ଅଭିଯାତ୍ରା ବାଲେଶ୍ୱରରୁ ଆରମ୍ଭ କରାଯିବ । ବିଶିଷ୍ଟ ପରିବେଶବିତ୍ ତଥା ମେଗାସିସ୍ ପୁରସ୍କାର ବିଜେତା ପ୍ରଫୁଲ୍ଲ ସାମନ୍ତରା ଏହି ଯାତ୍ରାରେ ନେତୃତ୍ୱ ନେବେ । ଏହିଦିନ ଅପରାହ୍ନରେ ସ୍ଥାନୀୟ ଷ୍ଟେସନ୍ କ୍ଲବ୍ ସଭାଗୃହରେ ବାଲେଶ୍ୱରର ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ଗଣସଂଗଠନଙ୍କର ନେତୃତ୍ୱଙ୍କ ସମେତ ବୁଦ୍ଧିଜୀବୀମାନଙ୍କର ଏକ ଚିନ୍ତନ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । ସାଂପ୍ରତିକ ସ୍ଥିତିରେ ପ୍ରାକୃତିକ ସଂପଦ ଓ ପରିବେଶ ସୁରକ୍ଷା ସଂପର୍କରେ ଆଲୋଚନା କରାଯିବ । ବୋଲି ପଢ଼ୁଆଁପଦାସ୍ଥିତ ଉଠାଜଳସେଚନ କର୍ମଚାରୀ ଭବନରେ ସିଭିଲ୍ ସୋସାଇଟିର ବୈଠକରେ ନିଷ୍ପତ୍ତି ନିଆଯାଇଛି । ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ବୈଠକରେ ସଂପାଦକ ମନୋଜ ନାୟକ ଯୋଗଦେଇ ଗତ ୫ବର୍ଷ ପୂର୍ବରୁ ବୁଢ଼ାବଳଙ୍ଗ ନଦୀରୁ ଶିଳ୍ପାନୁଷ୍ଠାନମାନଙ୍କୁ ଜଳ ଯୋଗାଣ ପାଇଁ ହୋଇଥିବା ଚକ୍ରାନ୍ତ ଓ ବାଲେଶ୍ୱରବାସୀଙ୍କ ଦୃଢ଼ ପ୍ରତିବାଦ ସଂପର୍କରେ ବୈଠକରେ ଆଲୋକପାତ କରିଥିଲେ । ସୋସାଇଟିର ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ସୀତାରାମ ପ୍ରଧାନ, ଅରୁଣ ଜେନା, ତୁଷାରକାନ୍ତି ମହାପାତ୍ର, ପରମେଶ୍ୱର ପାତ୍ର, ସର୍ବେଶ୍ୱର ମିଶ୍ର, ନିରଞ୍ଜନ ପରିଡ଼ା, ପରମାନନ୍ଦ ପଣ୍ଡା, ସଂଜିତ୍ କୁମାର ପତି, ଜ୍ଞାନାନନ୍ଦ ମିଶ୍ର, ଭରତ ଚନ୍ଦ୍ର ସେଠୀ ପ୍ରମୁଖ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିôତଲେ । ଶ୍ୟାମସୁନ୍ଦର ଜେନା ଶେଷରେ ଧନ୍ୟବାଦ ଦେଇଥିଲେ ।


