ଗଣଶିକ୍ଷା ମନ୍ତ୍ରୀଙ୍କ ସହିତ ଆଲୋଚନା କଲା ଅଲ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅଲ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଯୋଜନାଭୁକ୍ତ)ର ରାଜ୍ୟ ସଭାପତି ଶ୍ରୀ ସୁଶାନ୍ତ ବେହେରା, ସାଧାରଣ ସମ୍ପାଦକ ବଙ୍କିମ ଚନ୍ଦ୍ର ସାଗରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ୨୦ ତାରିଖ ଦିନ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶଙ୍କୁ ଭେଟି ସଂଘର ୮ ଦଫା ଦାବି ବିଷୟରେ ଆଲୋଚନା କରିବା ସହିତ ବିଭିନ୍ନ ଉଚ୍ଚପଦାଧିକାରୀଙ୍କ ସହିତ ତୁରନ୍ତ ଆଲୋଚନା ପାଇଁ ଅନୁରୋଧ କରାଯାଇଛି । ଦାବି ଗୁଡ଼ିକ ମଧ୍ୟରେ ନୂତନ ପେନସନ ବ୍ୟବସ୍ଥା ଉଚ୍ଛେଦ କରି ପୁରୁଣା ପେନସନ ଲାଗୁ କରିବା, ଚୁକ୍ତିଭିତ୍ତିକ ପଦବୀକୁ ଉଚ୍ଛେଦ କରି ୬ ବର୍ଷ କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନା କରିବା, ସପ୍ତମ ବେତନ କମିଶନ ଅନୁଯାୟୀ ବର୍ଦ୍ଧିତ ଘରଭଡ଼ା ନିର୍ଦ୍ଧାରଣ କରିବା, ଭାରତବର୍ଷର ୨୩ଟି ରାଜ୍ୟ ପରି ଓଡ଼ିଶାରେ ମଧ୍ୟ ଅବିକଳ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରିବା, ଏକକ କ୍ୟାଡ଼ର ଲାଗୁ କରିବା (ଯେପରି କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ, ଏସ୍ସିଏସ୍ଟି ବିଭାଗ ବିଦ୍ୟାଳୟ ପରି ପିଆରଟି / ଟିଜିଟି / ପିଜିଟି), ନୂତନ ଶିକ୍ଷାନୀତି ଆଧାରରେ ଟିଆଇ ସ୍କେଲ / ୨୮୦୦ ଗ୍ରେଡ଼ ପେ ପ୍ରଦାନ, ୨୦୧୯ କ୍ୟାଡ଼ର ଅନୁଯାୟୀ ବାକିଥିବା ୧୮ଟି ଜିଲ୍ଲାର ଲେବୁଲ (୪), ଗ୍ରାଜୁଏଟ ଶିକ୍ଷକ, ପଦବୀ ସୃଷ୍ଟି କରି ଅନୁମୋଦନ କରିବା ସହିତ ରେସିଡ଼େନ୍ସି ପିରିୟଡ଼କୁ କୋହଳ କରି ପ୍ରମୋଶନ ଦେବା, ବର୍ଦ୍ଧିତ ଦରଦାମ ହେତୁ ଏମ୍ଡ଼ିଏମ୍ ମୂଲ୍ୟ ପ୍ରାଥମିକ ବିଦ୍ୟାଳୟ ପାଇଁ ୫ ଟଙ୍କା ୪୨ ପଇସା ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ୮ ଟଙ୍କା ୧୦ ପଇସାକୁ ବୃଦ୍ଧି କରି ବାକି ଥିବା ୫ ମାସର ଏମ୍ଡ଼ିଏମ୍ ଟଙ୍କା ୫୬ ହଜାରରୁ ଉର୍ଦ୍ଧ୍ୱ ସ୍କୁଲ୍କୁ ପ୍ରଦାନ କରିବା, ଓଡ଼ିଶାରେ ୫୬ ହଜାରରୁ ଉର୍ଦ୍ଧ୍ୱ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୫-ଟି ଅଧିନକୁ ନେଇ ବିଦ୍ୟାଳୟ ଭିତ୍ତିଭୂମିର ବିକାଶ କରିବା । ଏହି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ସଂଘ ତରଫରୁ ଶ୍ରୀ ପ୍ରସନ୍ନ ମହାପାତ୍ର, କେଶବ ଚନ୍ଦ୍ର ସାହୁ, ସୁରେନ୍ଦ୍ର ଗୌଡ଼, ଧରଣୀଧର ମଲ୍ଲିକ, ତ୍ରିନାଥ ପଣ୍ଡା, ଉତ୍ତମ ଦାସ, ନରେଶ ଚନ୍ଦ୍ର ପାଣିଗ୍ରାହୀ, ପବିତ୍ର ମୋହନ ସାହୁ, ସୁକାନ୍ତ କୁମାର ସାହୁ, ବସନ୍ତ କୁମାର ବିଶୋଇ, ପ୍ରଶାନ୍ତ ନାଥ ପ୍ରମୁଖ ଉପସ୍ଥିତ ରହି ଏକ ପ୍ରେସ୍ ବିବୃତ୍ତିରେ ପ୍ରକାଶ କରିଛନ୍ତି ଯେ, ସରକାର ତୁରନ୍ତ ଉପରୋକ୍ତ ସମସ୍ୟାର ସମାଧାନ ହେଲେ ୧ ଲକ୍ଷ ୨୦ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଉପକୃତ ହୋଇପାରିବେ ।


