୧୧୫ ଚାଷୀଙ୍କୁ କୁକୁଡା ଚିଆଁ ପ୍ରଦାନ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ପରିସରରେ ବ୍ଲକର ୧୬ଟି ପଂଚାୟତର ୧୧୫ଜଣ ଦଳିତ କୁକୁଡା ଚାଷୀଙ୍କୁ ବାରି ଅଗଣାରେ କୁକୁଡା ଚାଷ ପ୍ରକଳ୍ପ ପାଇଁ ସରକାରଙ୍କ ତରଫରୁ ମାଗଣାରେ ୫୦ଟି ଲେଖାଏଁ ମାସିକିଆ କୁକୁଡା ଚିଆଁ ପ୍ରଦାନ କରାଯାଇଛି । ଏଥିସହିତ ନିଜ ବାଡିରେ କୁକୁଡା ଭାଡି ନିର୍ମାଣ କରିବାକୁ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୫୦୦ଟଙ୍କା ସହାୟତା ପ୍ରଦାନ କରାଯାଇଛି । ସମୁଦାୟ ୧୦୧ଜଣ ମହିଳା ଓ ୧୪ଜଣ ପୁରୁଷ ଚାଷୀଙ୍କୁ ସହାୟତା ଦିଆଯାଇଛି । ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ରାଜା ଉଦୟଭାନୁ ରାଉତଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ସମ୍ମାନିତ ଅତିଥି ଭାବେ ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ବିଡିଓ ରଶ୍ମିରେଖା ମଲ୍ଲିକ, ଆତ୍ମା କମିଟି ଅଧ୍ୟକ୍ଷ ବସନ୍ତ କୁମାର ପାଢୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା, ବଛାଳୋ ସମିତି ସଭ୍ୟ ଚନ୍ଦନ କୁମାର ଲେଙ୍କା, ଘୋଡାଂଶ ସମିତି ସଭ୍ୟ ତରୁଣକାନ୍ତ ବାରିକ, କୋରୁଅ ପଂଚାୟତ ପୂର୍ବତନ ସରପଂଚ ଅରଣ୍ୟ ନାୟକ ପ୍ରମୁଖ ଯୋଗ ଦେଇ ଚାଷୀଙ୍କୁ କୁକୁଡା ଚିଆଁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଶୁଭେନ୍ଦୁ ରଂଜନ ସେଠୀ, ଡାକ୍ତର ଭି ସୁନନ୍ୟା ଶିବାନୀ ପ୍ରମୁଖ ପରିଚାଳନା କରିଥିଲେ ।


