ଓଭର ଲୋଡିଂ ବାଲି ଗାଡି ଅଟକାଇଲେ ଲୋକେ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ମଂଗଳବାର ଅପରାହ୍ନରେ ବନ୍ତ ବଜାରରେ ସ୍ଥାନୀୟ ଲୋକେ ଓଭର ଲୋଡିଂ ବାଲି ଗାଡିକୁ ଅଟକାଇ ପୋଲିସକୁ ଜିମା ଦେଇଛନ୍ତି । ପ୍ରକାଶ ଯେ, ଭଦ୍ରକ-ଆନନ୍ଦପୁର ୫୩ନଂ.ରାଜ୍ୟ ରାଜପଥରେ ଦୈନନ୍ଦିନ ବେଆଇନ ଓଭର ଲୋଡିଂ ବାଲି ଗାଡି ଯାତାୟତ କରୁଥିବା ବେଳେ ବିଭିନ୍ନ ସମୟରେ ବହୁ ଦୁର୍ଘଟଣା ଘଟୁଥିଲା । ବନ୍ତ ବଜାର ଅଞ୍ଚଳରେ ଦିନ ସମୟରେ ସ୍କୁଲ, କଲେଜ ପିଲା ମାନେ ନିରାପଦରେ ବିଦ୍ୟାଳୟକୁ ଯାତାୟତ କରିବାର ସମସ୍ୟା ଦେଖାଯାଉଥିଲା । ଏପରିସ୍ଥଳେ ଗତ ୩ ଦିନ ତଳେ ଜିଲାପାଳ, ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ବନ୍ତ ତହସିଲଦାର, ବନ୍ତ ଆଇଆଇସି ବନ୍ତ ସିନେମା ହଲ ଛକ ଠାରେ ଓଭରଲୋଡିଂ ଗାଡି ଗୁଡିକୁ ଜବତ କରି ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିଲା । ଏଥିସହ ବିଦ୍ୟାଳୟ ସମୟରେ ଏସବୁ ଗାଡି ଚଳାଚଳ ବନ୍ଦ ରହିବ ବୋଲି କୁହାଯାଇଥିଲା । ଏପରିସ୍ଥଳେ ଆଜି ଅପରାହ୍ନରେ ୫/୬ଟି ଓଭର ଲୋଡିଂ ବାଲି ବୋଝେଇ ଗାଡି ଯାତାୟତ କରୁଥିବା ବେଳେ ସ୍ଥାନୀୟ ଲୋକେ ଗାଡି ଗୁଡିକୁ ଅଟକାଇ ପୋଲିସକୁ ଜିମା ଦେଇଛନ୍ତି । ପୋଲିସ ପକ୍ଷରୁ ଏସଂପର୍କରେ ତହସିଲଦାରଙ୍କୁ ଅବଗତ କରାଯାଇଛି । ତହସିଲଦାର ଆସିଲେ ଜୋରିମାନା କଟା ଯିବ ବୋଲି ପୋଲିସ କହିଛି ।