ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାର ରୋଗୀ କଲ୍ୟାଣ ସମିତି ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ପରିସରରେ ଶୁକ୍ରବାର ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କମିଟିର ଅଧ୍ୟକ୍ଷ ତଥା ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର ଅଧ୍ୟକ୍ଷତା କରି ଡାକ୍ତରଖାନାରେ ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଡାକ୍ତର ଓ କର୍ମଚାରୀମାନେ ନିଜର ମନୋବଳ ଦୃଢ କରିବା ପାଇଁ ପରାମର୍ଶ ଦେଇଛନ୍ତି । ସେହିପରି ଚିକିତ୍ସା ସମୟରେ ମୃତ୍ୟୁବରଣ କରିଥିବା ମୃତ ବ୍ୟକ୍ତିଙ୍କ ଶବକୁ ସ୍ୱଳ୍ପ ଖର୍ଚ୍ଚାନ୍ତରେ କିପରି ସେମାନଙ୍କ ଘରକୁ ପହଞ୍ଚାଇ ଯାଇପାରିବ ସେଥିପ୍ରତି ପଦକ୍ଷେପ ନେବାକୁ ଉପଜିଲ୍ଲାପାଳ କହିଛନ୍ତି । ଏଥିପାଇଁ ଡାକ୍ତରଖାନା ପରିସରରେ ଲୋକଙ୍କୁ ସଚେତନତା ଲାଗି ସାଇନ୍ ବୋର୍ଡ ଲଗାଇବାକୁ କୁହାଯାଇଛି । ଏହାସହ ଗର୍ଭବତୀ ମହିଳାଙ୍କ ଆଲଟ୍ରାସାଉଣ୍ଡ ପରୀକ୍ଷା ବେଳେ ଭିଡକୁ ପରିଲିଖିତ କରି ସପ୍ତାହକରେ ଦିନକ ବଦଳରେ ଦୁଇଦିନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଖାଲି ପଡିଥିବା ଡାକ୍ତର, ନର୍ସ, ଲେବର ଟେକ୍ନିସିଆନ୍, କର୍ମଚାରୀ ପଦବି ପୂରଣ ବିଷୟରେ ସରକାରଙ୍କ ସହ ଆଲୋଚନା କରି କୌଣସି ବ୍ୟବସ୍ଥା କରିବା ପାଇଁ ଉପଜିଲ୍ଲାପାଳ ଶ୍ରୀ ପାତ୍ର ପଦକ୍ଷେପ ନେବାକୁ କହିଛନ୍ତି । ଉପଖଣ୍ଡ ଡାକ୍ତରଖାନାର ଅଧୀକ୍ଷକ ଡାକ୍ତର ପ୍ରଫୁଲ ଚନ୍ଦ୍ର ଗୌଡ ସ୍ୱାଗତଣ ଭାଷଣ ପ୍ରଦାନ କରିଥିବା ବେଳେ ଡାକ୍ତରଖାନା ମ୍ୟାନେଜର ସନ୍ତୋଷ କୁମାର ପଣ୍ଡା କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନା କରିଥିଲେ ଏବଂ ଡାକ୍ତର ସୁଦର୍ଶନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ରୋଗୀ କଲ୍ୟାଣ ସମିତିର ସଦସ୍ୟ କୃପାସିନ୍ଧୁ ପଣ୍ଡାଙ୍କ ବିୟୋଗରେ ଦୁଇମିନିଟ୍ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆସିଷ୍ଟାଣ୍ଟ କଲେକ୍ଟର ବିକ୍ରମ କୁମାର ଦୋରା, ପୁର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଅଶୋକ କୁମାର ବେହେରା, ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ କାଳୁ ଚରଣ ପାତ୍ର, ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ମୃଦ୍ୟୁକୁମାରୀ ପାଣିଗ୍ରାହୀ, ସିଡିପିଓ ପ୍ରଣମିତା ପଣ୍ଡା, ଏନ୍ଏସି କାର୍ଯ୍ୟାଳୟର ବରିଷ୍ଠ ସହାୟକ ପ୍ରବୀଣ କୁମାର ପାଣିଗ୍ରାହୀ, ରୀତା ରଥ, ଏସ୍.ରେଖା ମହାନ୍ତି, ବସନ୍ତ କୁମାର ମହାରଣା ପ୍ରମୁଖ କମିଟି ସଦସ୍ୟ ଉପସ୍ଥିତ ଥିଲେ ।


